ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କୁ ଇଡିର ସମନ ତଥା ଅଗ୍ନିପଥ ଯୋଜନାକୁ ବିରୋଧ କରି ଗତ ୪ ଦିନ ହେଲା କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ ଚାଲିଛି। ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶା କଂଗ୍ରେସର ଅନେକ ନେତା ସାମିଲ ହୋଇଥିଲେ। ଆଜି ଏଆଇସିସି ପରିସରରେ ଅନୁଷ୍ଠିତ ପ୍ରତିବାଦ ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ପ୍ରସଙ୍ଗକୁ ନେଇ କର୍ମୀ ଓ ନେତାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

Advertisment

ଶ୍ରୀ ଗାନ୍ଧୀ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ସମସ୍ତ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ। ବୈଠକରେ ସିଡବ୍ଲ୍ୟୁସିର ପଦାଧିକାରୀ, ଲୋକସଭା ଓ ରାଜ୍ୟସଭାର ସଦସ୍ୟ, ବିଭିନ୍ନ ରାଜ୍ୟରୁ ଆସିଥିବା କଂଗ୍ରେସ ବିଧାୟକ, କଂଗ୍ରେସର ଛାମୁ୍ଆ ସଂଗଠନର ନେତା, ମହିଳା କଂଗ୍ରେସର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ସଭାରେ ଓଡ଼ିଶା ପିସିସି ସଭାପତି, ଏଆଇସିସିର ଓଡ଼ିଶା ପ୍ରଭାରୀ, ଲୋକସଭାର ସାଂସଦ, ଛଅ ଜଣ ବିଧାୟକଙ୍କ ସମେତ ଏକାଧିକ ନେତା ଯୋଗଦେଇଥିଲେ। ଶ୍ରୀ ଗାନ୍ଧିଙ୍କ ଆହ୍ବାନକୁ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ କଂଗ୍ରେସ କର୍ମୀ ଜୋରଦାର ପ୍ରୟାସ କରିବେ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ।

ଏଆଇସିସି ପରିସରରେ ଶ୍ରୀ ଗାନ୍ଧି କଂଗ୍ରେସ କର୍ମୀମାନଙ୍କୁ ଆହ୍ବାନ ଦେଇ କହିଛନ୍ତି, ଗାଁ’, ବ୍ଲକ୍‌ ଓ ସହର ସବୁଠାରେ କଂଗ୍ରେସ କର୍ମୀମାନେ ଅଗ୍ନିପଥ ଯୋଜନାକୁ ବିରୋଧ କରି ପ୍ରତିବାଦ କରନ୍ତୁ। ଏହି ଯୋଜନାକୁ ନେଇ କେନ୍ଦ୍ର ସରକାର ଦେଶର ଯୁବ ବର୍ଗକୁ ଭ୍ରମିତ କରୁଛନ୍ତି। କଂଗ୍ରେସ କର୍ମୀମାନେ ଏହି ପ୍ରସଙ୍ଗରେ ଦଳର ଆଭିମୁଖ୍ୟକୁ ସଠିକ ଭାବେ ଲୋକମାନଙ୍କ ନିକଟରେ ପହଂଚାଇବାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ଦେଶରେ ବେକାରୀ ସମସ୍ୟାର ସମାଧାନ ନ କରି ଏଭଳି ଯୋଜନା ଆଣୁଛନ୍ତି ଯାହା ଦ୍ବାରା ଯୁବବର୍ଗ ଦିଗହରା ହେଉଛନ୍ତି। କଂଗ୍ରେସ କର୍ମୀମାନେ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ଜନତାଙ୍କ ସାମ୍ନାକୁ ଆଣିବା ପାଇଁ ରାହୁଲ ସମ୍ବୋଧନରେ କହିଥିଲେ।