ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରୁର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଭାରତର ଅର୍ଥନୀତି ମୃତ’ ବୟାନକୁ ଦୃଢ଼ ଭାବେ ଖଣ୍ଡନ କରିଥିବା ବେଳେ ଏ ନେଇ ଦଳର ନେତା ରାହୁଲ ଗାନ୍ଧୀଙ୍କ ‘ମୃତ ଅର୍ଥନୀତି’ ବୟାନ ନେଇ ମଧ୍ୟ ଭିନ୍ନମତ ରଖିଛନ୍ତି। କଂଗ୍ରେସ ଦଳ ଟ୍ରମ୍ପଙ୍କ ବୟାନକୁ ନେଇ ଦେଖାଇଥିବା ଆଭିମୁଖ୍ୟର ଓଲଟା ବୟାନ ଦେଇ ଥରୁର ଦଳ ପାଇଁ ଏବେ ଆହ୍ବାନ ସୃଷ୍ଟି କରିଛନ୍ତି। ଆଉ କେତେକ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଟ୍ରମ୍ପଙ୍କ ବୟାନକୁ କଡ଼ା ସମାଲୋଚନା କରିଥିବାରୁ ଏହା ଦଳ ଭିତରେ ଆଭ୍ୟନ୍ତରୀଣ କଳହକୁ ବଢ଼ାଇ ଦେଇଛି। ରାହୁଲ ତାଙ୍କର ନିଜସ୍ବ କାରଣ ପାଇଁ ଏଭଳି ବୟାନ ଦେଉଛନ୍ତି ବୋଲି ଆଜି ଥରୁର ଗଣମାଧ୍ୟମକୁ କହିଛନ୍ତି ଏବଂ ରାହୁଲଙ୍କ ବୟାନଠାରୁ ନିଜକୁ ଦୂରେଇ ନେଇଛନ୍ତି। ତେବେ ଥରୁରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ଦଳ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।
ସୂଚନାଯୋଗ୍ୟ, ଟ୍ରମ୍ପ କିଛିଦିନ ତଳେ ଭାରତ ଓ ରୁଷ୍କୁ ‘ମୃତ ଅର୍ଥନୀତି’ ବୋଲି କଟାକ୍ଷ କରିବା ସହ ଭାରତୀୟ ଜିନିଷ ଉପରେ ୨୫% ଶୁଳ୍କ ଓ ରୁଷ୍ ସହ ବାଣିଜ୍ୟ ପାଇଁ ଅତିରିକ୍ତ ଜୋରିମାନା ଘୋଷଣା କରିଥିଲେ । ରାହୁଲ ଗାନ୍ଧୀ ଟ୍ରମ୍ପଙ୍କ ‘ମୃତ ଅର୍ଥନୀତି’ ବୟାନକୁ ସମର୍ଥନ କରି ସରକାରକୁ ଟାର୍ଗେଟ୍ କରିଥିଲେ। ରାହୁଲ କହିଥିଲେ, ‘ଟ୍ରମ୍ପ ଠିକ୍ କହିଛନ୍ତି। ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଛାଡ଼ି ସମସ୍ତେ ଜାଣନ୍ତି ଯେ ଭାରତୀୟ ଅର୍ଥନୀତି ମୃତ। ବିଜେପି ଅର୍ଥନୀତିକୁ ଧ୍ୱଂସ କରିଛି।’ ରାହୁଲ ତ୍ରୁଟିପୂର୍ଣ୍ଣ ଜିଏସ୍ଟି, ବିମୁଦ୍ରୀକରଣ ଓ ଅନ୍ୟାନ୍ୟ ନୀତିକୁ ଦାୟୀ କରିବା ସହ ଟ୍ରମ୍ପଙ୍କ ବୟାନକୁ ନେଇ ଖୁସି ଜାହିର କରିଥିଲେ। ତେବେ ରାହୁଲଙ୍କ ଏହି ବୟାନକୁ ଏକ ପ୍ରକାର ପ୍ରତ୍ୟାଖ୍ୟାନ କରି ଥରୁର ସରକାରଙ୍କ ଆଭିମୁଖକୁ ସମର୍ଥନ କରିବା ସହ ଭାରତର ସୁଦୃଢ଼ ଅର୍ଥନୀତି ସଂପର୍କରେ ମତ ରଖିଥିଲେ।
ଥରୁର ଏହି ପ୍ରସଙ୍ଗରେ କହିଥିଲେ, ଆମେରିକା ରାଷ୍ଟ୍ରପତି ମିଛ କହୁଥିବା ଆମେ ସମସ୍ତେ ଜାଣୁ। ଆମେରିକା ସହ ବାଣିଜ୍ୟ ସମ୍ପର୍କକୁ ଗୁରୁତ୍ୱ ଦେଇ ଥରୁର କହିଥିଲେ, ଆମେ ଆମେରିକାକୁ ପ୍ରାୟ ୯୦ ବିଲିୟନ ଡଲାରର ଜିନିଷ ରପ୍ତାନି କରୁଛୁ। ଏହାକୁ ହରାଇବା କିମ୍ବା କମାଇବା ଆମ ପାଇଁ କ୍ଷତିକାରକ ହେବ। ତେବେ ଭାରତର ସୁଦୃଢ଼ ଅର୍ଥନୀତି ଯେ କୌଣସି ଚାପର ମୁକାବିଲା ପାଇଁ ସମର୍ଥ ବୋଲି ଥରୁର ସ୍ପଷ୍ଟ କରିଦେଇଥିଲେ। ଥରୁରଙ୍କ ଏହି ମତ କଂଗ୍ରେସ ଦଳ ଭିତରେ ବଡ଼ ମତପାର୍ଥକ୍ୟକୁ ସୂଚାଇଛି। ଥରୁର ରାହୁଲଙ୍କ ବୟାନର ବୀପରିତରେ ସରକାରକୁ ସମର୍ଥନ କରି ମତ ରଖିବା ଦଳ ପାଇଁ ଝଟ୍କା ହୋଇଛି। ଏହା ପୂର୍ବରୁ ଅପରେସନ ସିନ୍ଦୂର ପ୍ରସଙ୍ଗରେ ମଧ୍ୟ ଥରୁରଙ୍କ ମତ ଦଳୀୟ ନୀତିଠାରୁ ଭିନ୍ନ ଥିଲା ଏବଂ ଏହା ଦଳରେ ହଇଚଇ ସୃଷ୍ଟି କରିଥିଲା।