ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ବ୍ରିଟେନରେ ଭାରତର ଗଣତନ୍ତ୍ର ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ସଂସଦରେ ଝଡ଼ ସୃଷ୍ଟି ହୋଇଛି। ରାହୁଲଙ୍କର ଏହି ଟିପ୍ପଣୀ ଗଣତନ୍ତ୍ରର ଅପମାନ କରିଛି ଏବଂ ରାହୁଲ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି। ଏଥିପାଇଁ ଲଗାତାର ୪ ଦିନ ଧରି ସଂସଦରେ କୌଣସି କାର୍ଯ୍ୟ ହୋଇପାରୁନି। ଇତି ମଧ୍ୟରେ ରାହୁଲ ଗତକାଲି ବ୍ରିଟେନରୁ ଫେରିବାପରେ ଆଜି ପ୍ରଥମ ଥର ପାଇଁ ସଂସଦ ଆସିଥିଲେ। କିନ୍ତୁ ରାହୁଲ ସଂସଦରେ ପହଞ୍ଚିବାର ମାତ୍ର କିଛି ସମୟ ମଧ୍ୟରେ ସଂସଦକୁ ମୁଲତବୀ ରଖାଯାଇଥିଲା। ଗୃହ ମୁଲତବୀ ହେବାପରେ ରାହୁଲ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ବାଚସ୍ପତି ଓମ୍ ବିର୍ଲାଙ୍କୁ ସେ ଭେଟିଛନ୍ତି ଏବଂ ଗୃହରେ କଥା ହେବାପାଇଁ ଅନୁମତି ମାଗିଛନ୍ତି। ରାହୁଲ କହିଛନ୍ତି, ସଂସଦରେ ମୋ ବିରୋଧରେ ଅଭିଯୋଗ ଆସିଛି ଏବଂ ୪ ଜଣ ମନ୍ତ୍ରୀ ମୋ ବିରୋଧରେ ଅଭିଯୋଗ ଆଣିଛନ୍ତି।
୪ ଦିନ ହେଲା ସଂସଦ ଅଚଳ
ସାଂସଦ ହିସାବରେ ମୋର ମଧ୍ୟ ସଂସଦରେ କହିବାର ଅଧିକାର ଅଛି। ଏହା ମୋର ଗଣତାନ୍ତ୍ରିକ ଅଧିକାର। ଯଦି ଭାରତୀୟ ଗଣତନ୍ତ୍ର କାର୍ଯ୍ୟ କରୁଛି , ତେବେ ମୁଁ ସଂସଦରେ ମୋ ମତ ରଖିପାରିବି। ତେଣୁ ଏହା ହେଉଛି ଭାରତୀୟ ଗଣତନ୍ତ୍ର ପାଇଁ ଏକ ପରୀକ୍ଷାର ସମୟ। ବିଜେପିର ୪ ଜଣ ମନ୍ତ୍ରୀ ଜଣେ ସାଂସଦଙ୍କ ବିରୋଧରେ ଅଭିଯୋଗ କରିବାପରେ ସାଂସଦଙ୍କୁ ବି କହିବାର ସୁଯୋଗ ମିଳିବା ଉଚିତ କି ସାଂସଦଙ୍କୁ ପାଟି ବନ୍ଦ କରିବାପାଇଁ କହିବା ଉଚିତ। ଏହା ଏବେ ଦେଶ ଆଗରେ ବାସ୍ତବ ପ୍ରଶ୍ନ। ରାହୁଲ କହିଛନ୍ତି, ଆଦାନୀ ପ୍ରସଙ୍ଗକୁ ନେଇ ସରକାର ଭୟ କରୁଛନ୍ତି। ସରକାର ତାମ୍ସା ଚଲାଇଛନ୍ତି ବୋଲି ରାହୁଲ କହିଛନ୍ତି।
ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ପରେ ବିଜେପି ତାଙ୍କୁ ପାଲଟା ଆକ୍ରମଣ କରିଛି। ରାହୁଲ ଯେଉଁ ଭିତ୍ତିହୀନ ଅଭିଯୋଗ କରିଛନ୍ତି ଏଥିପାଇଁ ସେ ପ୍ରଥମେ ଦେଶର ଦେଶର ଜନସାଧାରଣଙ୍କୁ କ୍ଷମା ମାଗନ୍ତୁ। ବିଜେପି ସାଂସଦ ରବି ଶଙ୍କର ପ୍ରସାଦ କହିଛନ୍ତି, ରାହୁଲ ଗାନ୍ଧିଙ୍କ କ୍ଷମା ଦାବିରେ ଆମେ ଦେଶବ୍ୟାପୀ ଏକ ଅଭିଯାନ ଆରମ୍ଭ କରିବୁ। ଭିତ୍ତିହୀନ କଥା କହିବା ତାଙ୍କର ଅଭ୍ୟାସ ହୋଇଗଲାଣି। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ପ୍ରହ୍ଲାଦ ଯୋଶୀ କହିଛନ୍ତି, କେବଳ ସାଂସଦମାନେ ନୁହନ୍ତି ବରଂ ସମଗ୍ର ଦେଶ ରାହୁଲଙ୍କ ଟିପ୍ପଣୀ ପାଇଁ ଉଦ୍ବେଗ ପ୍ରକାଶ କରିଛି। ଗଣତନ୍ତ୍ରକୁ ଅପମାନ କରିବା ରାହୁଲଙ୍କର ଅଭ୍ୟାସ ହୋଇଯାଇଛି। ରାହୁଲଙ୍କ ଟିପ୍ପଣୀ ଗଣତନ୍ତ୍ରର ସଫଳତା କିମ୍ବା ବିଫଳତାର ଏକ ମାନଦଣ୍ଡ ହୋଇପାରିବନି ବୋଲି ବିଜେପି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/gdj4gd654gjd564gjdgjdgjdjgdgjd.jpg)