ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ର ନିର୍ବାଚନରେ ‘ମ୍ୟାଚ୍‌ଫିକ୍ସିଂ’ ଅଭିଯୋଗ ଆଣି ଝଡ଼ ସୃଷ୍ଟି କରିଛନ୍ତି। ଶନିବାରବିଜେପିକୁ ତୀବ୍ର ସମାଲୋଚନା କରି ରାହୁଲ କହିଛନ୍ତି ଯେ ଗତବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିକୁ ଫାଇଦା ଦେବା ପାଇଁ ଜାଲିଆତି କରାଯାଇଥିଲା। ଏବେ ବିହାର ନିର୍ବାଚନ ପାଇଁ ବିଜେପି ସମାନ ଲକ୍ଷ୍ୟ ରଖିଛି। ଏହାକୁ ସେ ଜନମତର ଚୋରି ବା ନିର୍ବାଚନରେ ମ୍ୟାଚ୍‌ଫିକ୍ସିଂ ବୋଲି ଅଭିହିତ କରିଛନ୍ତି। ସୋରସ ପ୍ଲେବୁକ୍ ଟିପ୍ପଣୀ ମାଧ୍ୟମରେ ବିଜେପି ଏହାର ଜବାବ ଦେଇଛି।  ‘ମ୍ୟାଚ୍ ଫିକ୍ସିଂ ମହାରାଷ୍ଟ୍ର’ ଶୀର୍ଷକ ଲେଖା ମାଧ୍ୟମରେ ରାହୁଲ ଗାନ୍ଧୀ ବିଧାନସଭା ନିର୍ବାଚନ ଫଳାଫଳରେ କିପରି ଜାଲିଆତି ହୋଇଥାଇପାରେ ବୋଲି ସେ ବିଶ୍ୱାସ କରନ୍ତି, ତାହାର ବିବରଣୀ ଦେଇଛନ୍ତି। 

Advertisment

ମହାରାଷ୍ଟ୍ର ନିର୍ବାଚନରେ ବିଜେପି ଜାଲିଆତି କରିଥିଲା: ରାହୁଲ
ବିହାରରେ ବି ଜାଲିଆତି ପାଇଁ ଯୋଜନା

ରାହୁଲ ଏକ୍ସରେ ଲେଖିଛନ୍ତି, ୨୦୨୪ରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଗଣତନ୍ତ୍ରରେ ଦୁର୍ନୀତିର ଏକ ବ୍ଲୁ ପ୍ରିଣ୍ଟ ଥିଲା। ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ ବିଜେପି ଅନୁରୂପ ଜାଲିଆତି କରିବାକୁ ଚାହୁଛି। ମହାରାଷ୍ଟ୍ରର ମ୍ୟାଚ୍ ଫିକ୍ସିଂ ଆଗକୁ ବିହାରକୁ ଆସିବ ବୋଲି ସେ କହିଥିବାରୁ ଏହାକୁ ଜେଡିୟୁ କଡ଼ା ସମାଲୋଚନା କରିଛି। ରାହୁଲ ଦାବି କରିଛନ୍ତି ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଓ ଫଳାଫଳକୁ ବାଧାପ୍ରାପ୍ତ କରିବା ପାଇଁ ବିଜେପି ଏକ ବିସ୍ତୃତ ପାଞ୍ଚସ୍ତରୀୟ ପ୍ରକ୍ରିୟା ପ୍ରୟୋଗ କରିଥିଲା। ପ୍ରଥମେ ସେମାନେ ୨୦୨୩ରେ ନିର୍ବାଚନ କମିସନର ନିଯୁକ୍ତ କରିବା ପାଇଁ ସଂଶୋଧିତ ଆଇନ ଆଣିଲେ, ଯାହା କେନ୍ଦ୍ରର ବିଜେପି ସରକାରକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଚୟନ କମିଟିରେ ଉଦ୍ଦେଶ୍ୟମୂଳକ ଭାବେ ପ୍ରଧାନ ବିଚାରପତିଙ୍କ ବଦଳରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ରଖାଗଲା। ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଭୋଟର ତାଲିକାରେ ଅନେକ ନକଲି ଭୋଟରଙ୍କ ନାମ ଯୋଡ଼ାଯାଇଥିଲା। ତା’ ନ ହେଲେ ମତଦାନ ଶେଷ ହେବା ପରେ ମହାରାଷ୍ଟ୍ରରେ ମତଦାନ ହାର କିପରି ୭.୮୩ ପ୍ରତିଶତ ବୃଦ୍ଧି ପାଇଲା?  ଶେଷ ଦୁଇ ପଏଣ୍ଟରେ ରାହୁଲ ଦାବି କରିଛନ୍ତି ଯେ ବିଜେପି ଯେଉଁଠି ଜିତିଛି ସେଠାରେ ନକଲି ଭୋଟିଂର ସାହାରା ନେଇଛି ଏବଂ ପ୍ରମାଣ ଲୁଚାଇଛି।

ନିର୍ବାଚନ କମିସନଙ୍କ ଉତ୍ତର, ମୂର୍ଖତାପୂର୍ଣ୍ଣ ଅଭିଯୋଗ, ଆଇନ ପ୍ରତି ଅସମ୍ମାନ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟର ତାଲିକା ଓ ମତଦାନ ତଥ୍ୟକୁ ନେଇ ରାହୁଲ ଗାନ୍ଧୀ କରିଥିବା ଅଭିଯୋଗକୁ ଭାରତୀୟ ନିର୍ବାଚନ ଆୟୋଗ ଦୃଢ଼ ଖଣ୍ଡନ କରିଛନ୍ତି ଏବଂ ଏହା ଆୟୋଗକୁ ବଦନାମ କରିବାକୁ ଏକ ଷଡ୍‌ଯନ୍ତ୍ର ବୋଲି କହିଛନ୍ତି। ରାଜନୈତିକ ଦଳଦ୍ୱାରା ନିଯୁକ୍ତ ପୋଲିଂ ଏଜେଣ୍ଟଙ୍କ ସମ୍ମୁଖରେ ସମଗ୍ର ମତଦାନ ପ୍ରକ୍ରିୟା ହୋଇଥିବା ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି। ବିଶେଷ କରି ରିଟର୍ଣ୍ଣିଂ ଅଫିସର କିମ୍ବା ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ନିକଟରେ ଯାଞ୍ଚ ସମୟରେ ଅସ୍ୱାଭାବିକ ମତଦାନକୁ ନେଇ କଂଗ୍ରେସ ଓ ଏହାର ଅଧିକୃତ ଏଜେଣ୍ଟମାନେ କୌଣସି ଉଦ୍‌ବେଗ ପ୍ରକାଶ କରି ନ ଥିଲେ।

ଆୟୋଗକୁ ବଦନାମ କରିବାକୁ ଷଡ୍‌ଯନ୍ତ୍ର

 ଡିସେମ୍ବର ୨୪, ୨୦୨୪ରେ କଂଗ୍ରେସକୁ ଦେଇଥିବା ଜବାବରେ ଆୟୋଗ ଏହି ଚିନ୍ତାଗୁଡ଼ିକୁ ବିସ୍ତୃତ ଭାବରେ ସମାଧାନ କରିସାରିଛନ୍ତି। ଏହା ଇସିଆଇ ୱେବ୍‌ସାଇଟ୍‌ରେ ଉପଲବ୍ଧ ଅଛି। ନିର୍ବାଚନ ଆୟୋଗ କଡ଼ା ଶବ୍ଦରେ ଚେତାବନୀ ଦେଇ କହିଛି ଯେ, କେହି ବି କୌଣସି ଭୁଲ ତଥ୍ୟ ପ୍ରସାର କରିବା କେବଳ ଆଇନ ପ୍ରତି ଅସମ୍ମାନ ନୁହେଁ, ବରଂ ନିଜ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ହଜାର ହଜାର ପ୍ରତିନିଧିଙ୍କୁ ବଦନାମ କରିବା ସହ ନିର୍ବାଚନ ସମୟରେ ନିରବଚ୍ଛିନ୍ନ ଓ ସ୍ୱଚ୍ଛ ଭାବରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ନିର୍ବାଚନ କର୍ମଚାରୀଙ୍କୁ ନିରାଶ କରିଥାଏ। ଏଭଳି ଅଭିଯୋଗ ମୂର୍ଖତାପୂର୍ଣ୍ଣ ବୋଲି ନିର୍ବାଚନ କମିସନ କହିଛନ୍ତି।