ନୂଆଦିଲ୍ଲୀ : ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗତକାଲି  ‘ଭୋଟର ଅଧିକାର ଯାତ୍ରା’ ଶେଷ କରିବା ଅବସରରେ  ଭୋଟ୍‌ ଚୋରିକୁ ନେଇ କଂଗ୍ରେସ ‘ହାଇଡ୍ରୋଜେନ୍‌ ବୋମା’ ପକାଇବ ବୋଲି ଦେଇଥିବା ବୟାନର ଜବାବ ଦେଇଛି ବିଜେପି ।  ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ ମଙ୍ଗଳବାର କହିଛନ୍ତି, କଂଗ୍ରେସ ହେଉଛି ‘ସର୍ବୋତ୍କୃଷ୍ଟ ଭୋଟ୍‌ ଚୋର’ ଏବଂ ଗଣତାନ୍ତ୍ରିକ ପଦ୍ଧତି ଉପରେ କଂଗ୍ରେସର ଆସ୍ଥା ନାହିଁ। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସର ଜାତୀୟ ମୁଖପାତ୍ର ପୱନ ଖେଡ଼ାଙ୍କର ଦିଲ୍ଲୀରେ ୨ଟି ଭୋଟର ପରିଚୟପତ୍ର ରହିଛି। ‘ଏକ୍ସ’ରେ ଏକ ପୋଷ୍ଟ୍‌ କରି ମାଲବ୍ୟ ଦାବି କରିଛନ୍ତି ଯେ ଖେଡ଼ା ଜଙ୍ଗପୁରା ଏବଂ ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟର ଭା‌ବେ ପଂଜୀକୃତ ‌ହୋଇଛନ୍ତି। ମାଲବ୍ୟ କହିଛନ୍ତି, ରାହୁଲ ‘ଭୋଟ୍‌ ଚୋରି’ ହୋଇଥିବା ଚିତ୍କାର କରୁଛନ୍ତି, କିନ୍ତୁ ସେ ଓ ତାଙ୍କ ଦଳର ଆଭିମୁଖ୍ୟ କ’ଣ ତାହା ଲୋକେ ଜାଣିସାରିଛନ୍ତି। ରାହୁଲଙ୍କ ମା’ ସୋନିଆ ଗାନ୍ଧୀ  ଭାରତୀୟ ନାଗରିକ ହେବା ପୂର୍ବରୁ ଭୋଟର ତାଲିକାରେ ତାଙ୍କ ନାଁ ଥିଲା ଏବଂ ଏବେ ପୁଣି ପୱନ ଖେଡ଼ାଙ୍କର ୨ଟି ଭୋଟର ପରିଚୟପତ୍ର ଥିବା ଜଣାପଡ଼ିଛି।

Advertisment

ଏଭଳି ଘଟଣା କଂଗ୍ରେସର ଅସଲ ସ୍ବରୂପକୁ ପଦାକୁ ଆଣିଛି। ପୱନ ଖେଡ଼ା ୨ଟି ପରିଚୟପତ୍ର ରଖିଥିବା ଘଟଣାରେ ଇସି (ନିର୍ବାଚନ କମିସନ୍‌) ଆଜି ତାଙ୍କୁ ନୋଟିସ୍‌  ଜାରି କରିଛି। ମାମଲାର ତଦନ୍ତ କରିବାପାଇଁ ମଧ୍ୟ ବିଜେପି ଇସିଙ୍କୁ ଅନୁରୋଧ କରିଛି। ମାଲବ୍ୟଙ୍କ ଅଭିଯୋଗର ଜବାବ ଦେଇ ପୱ‌ନ ଖେଡ଼ା କହିଛନ୍ତି, କଂଗ୍ରେସ ଭୋଟର ତାଲିକାରେ ତ୍ରୁଟି ଥିବା ନେଇ ନିର୍ବାଚନ କମିସନଙ୍କୁ ପ୍ରଶ୍ନ କରିବା ବନ୍ଦ କରିବ ନାହିଁ। ସେ ଦାବି କରିଛନ୍ତି ଯେ ୨୦୧୬ରେ ସେ ଅନ୍ୟତ୍ର ଯିବାପରେ ମଧ୍ୟରେ ନୁଆଦିଲ୍ଲୀରେ ତାଙ୍କ ନାଁ ରହିଛି। ୧ରୁ ଅଧିକ ଭୋଟର ଆଇଡି ରଖିଥିବା କାରଣ ପାଇଁ ନିର୍ବାଚନ କମିସନ ଆଜି  ଖେଡ଼ାଙ୍କୁ ନୋଟିସ୍‌ ଜାରି କରିବା ପରେ ଏହାକୁ ବିଜେପି ଏକ ପ୍ରସଙ୍ଗ କରିଛି। ନୂଆଦିଲ୍ଲୀ ଜିଲ୍ଲା ନିର୍ବାଚନ ଅଫିସ୍‌ ପକ୍ଷରୁ ଜାରି ହୋଇଥିବା ନୋଟିସ୍‌ ଅନୁଯାୟୀ ଖେଡ଼ା ଏକାଧିକ ନିର୍ବାଚନମଣ୍ଡଳୀରେ ଜଣେ ଭୋଟର ଭାବେ ପଂଜୀକୃତ ହୋଇଛନ୍ତି।