ଚଣ୍ଡୀଗଡ଼: ସୋମବାର ରାତିରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ ଟ୍ରକ୍‌ରେ ଡ୍ରାଇଭର ପାଖରେ ବସି ଦିଲ୍ଲୀରୁ ଚଣ୍ଡୀଗଡ଼ ଯାତ୍ରା କରିଥିଲେ। ଏହି ଅଭିନବ ଟ୍ରକ୍ ଯାତ୍ରାର ଉଦ୍ଦେଶ୍ୟ ଥିଲା, ଟ୍ରକ୍ ଡ୍ରାଇଭରଙ୍କ ଭଲମନ୍ଦ କଥା ବୁଝିବା ଏବଂ ବୃତ୍ତିରେ ସେମାନେ କିକି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ତାଙ୍କଠାରୁ ଶୁଣିବା। ଦଳ ପକ୍ଷରୁ ରାହୁଲ ଟ୍ରକ୍ ଭିତରେ ଡ୍ରାଇଭର ପାଖରେ ଏକ ଟି-ସାର୍ଟ ପିନ୍ଧି ବସିଥିବାର ଫଟୋ ସେୟାର କରାଯାଇଛି। ବାଟରେ ଏକ ଢାବାରେ ପହଞ୍ଚିବା ପରେ ସେଠାରେ ରାହୁଲ ଅନ୍ୟ ଡ୍ରାଇଭରମାନଙ୍କଠାରୁ ସେମାନଙ୍କ ଭଲମନ୍ଦ କଥା ପଚାରି ବୁଝିଥିଲେ। ଦଳ କରିଥିବା ଟ୍ବିଟ୍‌ରେ ଲେଖାଯାଇଛି- ଜନନାୟକ ରାହୁଲ ଗାନ୍ଧିଜୀ ଟ୍ରକ୍ ଡ୍ରାଇଭରମାନଙ୍କ ସମସ୍ୟା ବୁଝିବା ପାଇଁ ସେମାନଙ୍କ ପାଖକୁ ଯାଇଥିଲେ। ସେ ଦିଲ୍ଲୀରୁ ଚଣ୍ଡୀଗଡ଼ ଏକ ଟ୍ରକ୍‌ରେ ଯାତ୍ରା କରିଥିଲେ। ମିଡ଼ିଆ ରିପୋର୍ଟ ମୁତାବକ ଭାରତର ସଡ଼କଗୁଡ଼ିକରେ ପ୍ରାୟ ୯୦ ଲକ୍ଷ ଡ୍ରାଇଭର କାର୍ଯ୍ୟରତ ଅଛନ୍ତି। ସେମାନଙ୍କର ନିଜର ସମସ୍ୟା ରହିଛି। ସେମାନଙ୍କ ‘ମନ୍ କୀ ବାତ୍’ ଶୁଣିବା ପାଇଁ ରାହୁଲଜୀ ଏହି ଯାତ୍ରା କରିଥିଲେ ବୋଲି କଂଗ୍ରେସ କହିଛି।

Advertisment

ରାହୁଲ ମଧ୍ୟ ଅମ୍ବାଲା ସିଟିରେ ଅମ୍ବାଲା-ଚଣ୍ଡୀଗଡ଼ ରାଜପଥ କଡ଼ରେ ଥିବା ଏକ ଗୁରୁଦ୍ବାରା ନିକଟରେ ମଙ୍ଗଳବାର ସକାଳେ ଅଟକିଥିଲେ ଏବଂ ସେଠାରେ ନିଜର ଭକ୍ତି-ନୈବେଦ୍ୟ ଅର୍ପଣ କରିଥିଲେ। କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ମଧ୍ୟ ରାହୁଲ ଗାନ୍ଧିଙ୍କ ଟ୍ରକ୍ ଯାତ୍ରାର ଫଟୋ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ରାହୁଲ ଗାନ୍ଧି ଜଣେ ଭିନ୍ନ ମଣିଷ। ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ବଢ଼ୁଥିବା ଦୂରତା ଦୂର କରିବା ପାଇଁ ସେ ପ୍ରତିବଦ୍ଧ। ଏଥିପାଇଁ ଗରମ ପାଗରେ ବି ଟ୍ରକ୍ ଡ୍ରାଇଭରଙ୍କ ସମସ୍ୟା ବୁଝିବା ପାଇଁ ସେ ସାରାରାତି ଟ୍ରକ୍‌ରେ ଯାତ୍ରା କରିଥିଲେ ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି।