ଆରଏସ୍‌ଏସ୍‌ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇପାରନ୍ତି ରାହୁଲ, ସୀତାରାମ

ନୂଆଦିଲ୍ଲୀ: ଆସନ୍ତା ମାସରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସିପିଆଇଏମ୍‌ ଅଧ୍ୟକ୍ଷ ସୀତାରାମ ୟେଚୁରି। ନୂଆଦିଲ୍ଲୀରେ ଆର୍‌ଏସ୍‌ଏସ୍‌ ପକ୍ଷରୁ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ଦ୍ୱାରା ଏକ ୩ ଦିନିଆ ବକ୍ତତା କାର୍ଯ୍ୟକ୍ରମ ହେଉଛି। ଏହି କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ଚିନ୍ତାଧାରାର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରିତ କରାଯାଉଛି। ଏନେଇ ତାଲିକା ମଧ୍ୟ ପ୍ରସ୍ତୁତ ହୋଇ ସାରିଛି। ତେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସୀତାରାମ ୟେଚୁରି ମଧ୍ୟ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହେବା ନେଇ ସଂଘ ସୂତ୍ରରୁ ଜଣାପଡ଼ିଛି।

ସେପ୍ଟେମ୍ବର ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ବିଜ୍ଞାନ ଭବନରେ ଏହି କାର୍ଯ୍ୟକ୍ରମର ଆୟୋଜନ ହେବ। ଏହି କାର୍ଯ୍ୟକ୍ରମ ଉପରେ ବିସ୍ତତ ସୂଚନା ଦେଇ ଆରଏସଏସ ପ୍ରଚାର ପ୍ରମୁଖ ଅରୁଣ କୁମାର କହିଛନ୍ତ ଯେ ସଂଘ ପକ୍ଷରୁ ପ୍ରଥମ ଥର ପାଇଁ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ଦ୍ୱାରା ୩ ଦିନିଆ ବକ୍ତତା କାର୍ଯ୍ୟକ୍ରମ କରାଯାଉଛି। ‘ଫ୍ୟୁଚର ଅଫ୍‌ ଭାରତ : ଆନ୍‌ ଆରଏସଏସ ପର୍ସପେକ୍ଟିଭ୍‌’ ତଥା ଭାରତର ଭବିଷ୍ୟତ : ଏକ ଆରଏସଏସ୍‌ ସମ୍ଭାବନା ଉପରେ ମୋହନ ଭାଗବତ ବକ୍ତୃତା ଦେବେ। କିନ୍ତୁ ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଣ୍ଡନ୍‌ରେ ଏକ ଶିକ୍ଷାନୁଷ୍ଠାନରେ ଭାଷଣ ଦେବା ସମୟରେ ଆରଏସଏସ୍‌ ବିରୋଧରେ ମନ୍ତବ୍ୟ ରଖିବା ଏବଂ ଆରଏସଏସ୍‌ ପକ୍ଷରୁ ମଧ୍ୟ ରାହୁଲ ଭାରତ ବିଷୟରେ ଅଜ୍ଞ ଥିବା କହି ତାଙ୍କୁ କଡ଼ା ସମାଲୋଚନା କରାଯାଇଥିବାବେଳେ ଏବେ ଆରଏସଏସ୍‌ କାର୍ଯ୍ୟକ୍ରମକୁ ରାହୁଲ୍‌ଙ୍କୁ ନିମନ୍ତ୍ରଣ କରିବା ପ୍ରସଙ୍ଗ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି।

ସମ୍ବନ୍ଧିତ ଖବର