ନୂଆଦିଲ୍ଲୀ : ଏକ ସାର ରପ୍ତାନି ଦୁର୍ନୀତି ମାମଲାରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାରୀମାନେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ବଡ଼ଭାଇ ଅଗ୍ରସେନ ଗେହଲଟ୍ଙ୍କ ବାସଭବନ ସମେତ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛନ୍ତି। ସୂଚନାନୁଯାୟୀ, ରିହାତିଯୁକ୍ତ ସାର ମୁରିଏଟ୍ ଅଫ୍ ପଟାସ(ଏମ୍ଓପି)କୁ ଅଗ୍ରସେନ ବିଭିନ୍ନ କମ୍ପାନିକୁ ବିକିଦେବା ସହ ଏହାର ରପ୍ତାନି ପାଇଁ ନିଷେଧାଦେଶ ବେଳେ ମଧ୍ୟ ତାହାକୁ ରପ୍ତାନି କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଇଣ୍ଡିଆନ୍ ପଟାସ ଲି. ହେଉଛି ଉକ୍ତ ସାରର ଅଧିକୃତ ଆମଦାନିକର୍ତ୍ତା ଏବଂ ତାହାକୁ ରିହାତି ଦରରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥାଏ। ତେବେ ଇଣ୍ଡିଆନ୍ ପଟାସ୍ର ଅଧିକୃତ ବିକ୍ରେତା ଥିବା ଅଗ୍ରସେନଙ୍କ କମ୍ପାନି ଅନୁପମ କୃଷି ୨୦୦୭ରୁ ୨୦୦୯ ମସିହା ଭିତରେ ବିପୁଳ ପରିମାଣର ଉକ୍ତ ସାର ରିହାତି ଦରରେ କିଣିଥିଲା। ତେବେ ତାହା ଚାଷୀଙ୍କୁ ଯୋଗାଣ ନକରି ଅନ୍ୟ କିଛି କମ୍ପାନିକୁ ବିକିଥିଲା ଯାହା କି ପରେ ମାଲେସିଆ ଓ ସିଙ୍ଗାପୁରକୁ 'ଇଣ୍ଡଷ୍ଟ୍ରିଆଲ୍ ସଲ୍ଟ' ନାମରେ ରପ୍ତାନି ହୋଇଥିଲା। ଅପରପକ୍ଷେ, ଉକ୍ତ ସାରକୁ କିଛି ମଧ୍ୟସ୍ଥି ଚାଷୀଙ୍କୁ ଯୋଗାଇବେ ବୋଲି କହି ଅନ୍ୟତ୍ର ରପ୍ତାନି ଉଦ୍ଦେଶ୍ୟରେ ବିକିଦେଇଥିଲେ ବୋଲି ସେତେବେଳେ ଅଗ୍ରସେନ ସଫେଇ ଦେଇଥିଲେ। ତେବେ ଏହି ପୁରୁଣା ମାମଲାରେ ଏବେ ଚଢ଼ଉ କରାଯିବା ନେଇ କଂଗ୍ରେସ ନେତା ରଣଦୀପ ସୁର୍ଜେଵାଲା ପ୍ରଶ୍ନ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପରି ଚଢ଼ଉରାଜରେ କଂଗ୍ରେସ ଆଦୌ ଭୟଭୀତ ନୁହେଁ ବୋଲି ସୁର୍ଜେଵାଲା କହିଛନ୍ତି।
ସାର ଦୁର୍ନୀତି ମାମଲା : ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରେ ଚଢ଼ଉ
/sambad/media/post_attachments/wp-content/uploads/2020/07/raid.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)