ରାଫେଲ୍‌ ଚୁକ୍ତି ସ୍ୱଚ୍ଛ: ଡାସଲ୍ଟ

ଅନ୍ୟ ଦେଶର ଦର ସହ ତୁଳନା କରିବାର ମାନେ କିଛି ନାହିଁ, ଉପଲବ୍ଧ ସୁବିଧା ପ୍ରୟୋଗ ଅନୁସାରେ ମୂଲ୍ୟରେ ତାରତମ୍ୟ

ନୂଆଦିଲ୍ଲୀ: ଫ୍ରାନ୍ସ ସହ ଭାରତ କରିଥିବା ବହୁ କୋଟି ମୂଲ୍ୟର ରାଫେଲ୍‌ ବିମାନ ରାଜିନାମାରେ କୌଣସି ଅଭିସନ୍ଧି ନାହିଁ ଏବଂ ତାହା ନିର୍ମଳ ଓ ସ୍ୱଚ୍ଛ ବୋଲି ରାଫେଲ୍‌ର ନିର୍ମାଣକାରୀ କମ୍ପାନି ଡାସଲ୍ଟ ଏଭିଏସନ୍‌ ପକ୍ଷରୁ ଦାବି କରାଯାଇଛି। ଅଯଥାରେ ଅନ୍ୟ ଦେଶର ଦର ସହ ତୁଳନା କରି ଭାରତ ରାଫେଲ ପିଛା ମାତ୍ରାଧିକ ମୂଲ୍ୟ ଦେଉଥିବାରୁ ସେଥିରେ କେଳେଙ୍କାରୀ ରହିଛି ବୋଲି ହେଉଥିବା ପ୍ରଚାର ଅମୂଳକ ଏବଂ ଅଯୌକ୍ତିକ ବୋଲି ଡାସଲ୍ଟର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଏରିକ୍‌ ଟ୍ରପିଅର୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରାଫେଲ୍‌ ବିମାନ ସହ ନିର୍ଦ୍ଦିଷ୍ଟ ଭାବରେ ଉପଲବ୍ଧ ହେଉଥିବା ସୁବିଧା ସୁଯୋଗ ପ୍ରଣାଳୀ ଉପରେ ନିର୍ଭର କରି ଏହାର ଦର ଭିନ୍ନ ହୋଇଥାଏ ବୋଲି ସମ୍ପ୍ରତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ଙ୍କ ସହ ଭାରତ ଗସ୍ତରେ ଆସିଥିବା ଟ୍ରପିଅର ସଫେଇ ଦେଇଛନ୍ତି। ଏଥି ସହିତ ଭାରତ ଓ ଫ୍ରାନ୍ସ ଉଭୟ ଦେଶର ବିଧି ବ୍ୟବସ୍ଥାକୁ ସମ୍ମାନ ଜଣାଇ ଏହି ରାଜିନାମା ସ୍ୱାକ୍ଷର ହୋଇଛି ବୋଲି ସେ କହିଛନ୍ତି।

DefenceTalk

ସୂଚନା ଥାଉ କି, ନରେନ୍ଦ୍ର ମୋଦି ସରକାର ଫ୍ରାନ୍ସ ଠାରୁ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କିଣିବାରେ ଅନ୍ୟ ଦେଶ ତୁଳନାରେ ୧୨ ହଜାର କୋଟିରୁ ଅଧିକ ଟଙ୍କା ବରବାଦ କରିଛନ୍ତି ବୋଲି ଦୁଇ ଦିନ ତଳେ ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ଉଠିଛି। ଏପରିକି ୨୦୧୬ ସେପ୍ଟେମ୍ବରରେ ହୋଇଥିବା ଏହି ରାଜିନାମାରେ ଦେଶ ରାଫେଲ ପିଛା ୩୫୧ କୋଟି ଟଙ୍କା ଅଧିକ ଶ୍ରାଦ୍ଧ କରିଛି ବୋଲି କଂଗ୍ରେସ ଦର୍ଶାଇଛି। ଡାସଲ୍ଟ କମ୍ପାନିର ବାର୍ଷିକ ରିପୋର୍ଟକୁ ଉଦ୍ଧାର କରି ଭାରତ ଏହି ବିମାନ କିଣାରେ ଅନ୍ୟତମ ରାଫେଲ ଗ୍ରାହକ ଦେଶ ଇଜିପ୍ଟ ଏବଂ କାତାର ତୁଳନାରେ ଏପରି ଅଧିକ ମୂଲ୍ୟ ବହନ କରିଛି ବୋଲି କଂଗ୍ରେସ ଉଲ୍ଲେଖ କରିବା ସହ ଏଥିରେ ମୋଦି ସରକାର ବିଶାଳ ଦୁର୍ନୀତି କରିଥିବା ଅଭିଯୋଗ ଆଣିଛି। ତେବେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଡାସଲ୍ଟ ସିଇଓ ସେଭଳି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ, ଚୁକ୍ତି ସ୍ୱାକ୍ଷର ପୂର୍ବରୁ ତିନି ରାଫେଲ୍‌ କ୍ରେତା ଦେଶ ଭାରତ, ଇଜିପ୍ଟ ଓ କାତାର ପାଇଁ ପ୍ରତି ବିମାନର କ୍ରୟ ମୂଲ୍ୟ ସମାନ ରହିଥିବା କଥା ଫ୍ରାନ୍ସ ସରକାର ଯାଞ୍ଜ କରବା ପରେ ହିଁ ସବୁଜ ସଂକେତ ଦେଇଥିଲେ। ତେବେ ଭିନ୍ନ ଦେଶର ଚାହିଦା ଅନୁଯାୟୀ, ରାଫେଲ୍‌ ବିମାନରେ ସଂଶ୍ଳିଷ୍ଟ ହୋଇଥିବା ସୁବିଧା ସୁଯୋଗ ପ୍ରଣାଳୀ ଉପରେ ନିର୍ଭର କରି ଏହାର ଚୂଡ଼ାନ୍ତ ଦରରେ ତାରତମ୍ୟ ଦେଖାଦେବା ସ୍ୱାଭାବିକ। ସେଥିରେ ଉପଲବ୍ଧ ହେବାକୁ ଥିବା ଯୁଦ୍ଧାସ୍ତ୍ର ପ୍ରଣାଳୀ, ସହାୟତା, ଜ୍ଞାନକୌଶଳ, ସଂପୃକ୍ତ ଦେଶର ନିର୍ଦ୍ଦିଷ୍ଟ ଆବଶ୍ୟକତା, ବିମାନ ସଂଖ୍ୟା ଏବଂ ସାମରିକ ଘାଟି ସଂଖ୍ୟା ସମେତ କ୍ରୟର ସର୍ତ୍ତାବଳି ଆଦି ବିଚାରକୁ ନେଇ ଏପରି ଚୂଡ଼ାନ୍ତ ଦର ନିର୍ଦ୍ଧାରିତ ହୋଇଥାଏ। ସୁତରାଂ ଗୋଟିଏ ଦେଶ ଅନ୍ୟ କାହାର କ୍ରୟମୂଲ୍ୟ ସହ ତୁଳନା କରିବା ଅଯୌକ୍ତିକ ବୋଲି ଟ୍ରପିଅର କହିଛନ୍ତି। ସେହିପରି ପୂର୍ବ ଯୁପିଏ ସରକାର ଏବଂ ବର୍ତ୍ତମାନର ଏନ୍‌ଡିଏ ସରକାର କରିଥିବା ଚୁକ୍ତି ବିଷୟରେ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ପୂର୍ବ ସରକାର ୧୨୬ଟି ବିମାନ ପାଇଁ ଚୁକ୍ତି କରିଥିବା ବେଳେ ସେଥିରୁ କମ୍ପାନି ନିଜ ଗଚ୍ଛିତ ଭଣ୍ଡାରରୁ କୌଣସି ସ୍ୱତନ୍ତ୍ର ଜ୍ଞାନକୌଶଳ ନ ଖଞ୍ଜି ୧୮ଟି ବିମାନ ଯୋଗାଇବା ସହ ବାକି ୧୦୮ଟି ଧୀରେ ଧୀରେ ପରେ ବୈଶିଷ୍ଟ୍ୟ ଯୋଡ଼ି ପଠାଇବାକୁ ଥିଲା। ଅପରପକ୍ଷେ, ଏବେର ଏନ୍‌ଡିଏ ସରକାରଙ୍କ ରାଜିନାମାରେ ୩୬ଟି ଯାକ ବିମାନ ସ୍ୱତନ୍ତ୍ର ପ୍ରଣାଳୀ ସହ ନିର୍ମିତ ହେବ। ତେବେ ସେଥିରେ କି କି ପ୍ରକାର ବୈଶିଷ୍ଟ୍ୟ ରହିବ ତାହା ସାମରିକ ଗୋପନୀୟତା ଦୃଷ୍ଟିରୁ ପ୍ରକାଶ କରିବା ସମ୍ଭବ ନୁହେଁ ବୋଲି ଚ୍ରପିଅର୍‌ କହିଛନ୍ତି। ସୁତରାଂ ଦୁଇ ସରକାର ବାଛିଥିବା ରାଫେଲ ଦର ମଧ୍ୟ ପରସ୍ପର ସହିତ ତୁଳନା କରିବା ଅଯୌକ୍ତିକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର