ରାଫେଲ ଚୁକ୍ତି ବିବାଦ: ମୋଦି, ରିଲାଏନ୍‌ସକୁ ଟାର୍ଗେଟ୍‌ କଲେ ରାହୁଲ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରିଲାଏନ୍‌୍‌ସ ଡିଫେନ୍‌୍‌ସ କମ୍ପାନିକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ। କେବଳ ଜଣେ ବ୍ୟବସାୟୀଙ୍କୁ ଫାଇଦା ଦେବାପାଇଁ ଫ୍ରାନ୍ସରୁ କିଣାଯିବାକୁ ଥିବା ୩୬ଟି ରାଫେଲ ଲଢୁଆ ବିମାନ ଚୁକ୍ତିରେ ବ୍ୟାପକ ପରିବର୍ତ୍ତନ କରାଯାଇଛି ବୋଲି ରାହୁଲ କହିଛନ୍ତି। ଏ ବାବଦରେ ସାମ୍ବାଦିକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ପ୍ରଶ୍ନ କରୁନାହାନ୍ତି ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ କେବଳ ଜଣେ ବ୍ୟବସାୟୀଙ୍କୁ ଉପକୃତ କରାଇବା ପାଇଁ ଦେଶ ସ୍ୱାର୍ଥକୁ ବଳି ଦେଇଥିଲେ ମଧ୍ୟ ତାଙ୍କୁ ଏ ବାବଦରେ କିଛି ପଚରା ଯାଉନାହିଁ। ରାଫେଲ କ୍ରୟ ଚୁକ୍ତିକୁ ଏକ ଲୁଣ୍ଠନ ବୋଲି ରାହୁଲ ଦର୍ଶାଇଛନ୍ତି।

ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କମ୍ପାନି ସହ ସଲାସୁତୁରାରେ ବିଜେପି ଫ୍ରାନ୍ସ ସହ ଅଧିକ ମୂଲ୍ୟରେ ରାଫେଲ ଚୁକ୍ତି କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସର ଏଭଳି ବୟାନ୍‌କୁ ସମ୍ପୂର୍ଣ୍ଣ ମନଗଢା ଓ ଭିତ୍ତିହୀନ ବୋଲି ଫ୍ରାନ୍ସ କହିଥିବା ବେଳେ କଂଗ୍ରେସ ତା’ର ଆପତ୍ତିଜନକ ମନ୍ତବ୍ୟରୁ ନ ଓହରିଲେ ଅଦାଲତଙ୍କ ଦ୍ୱାରସ୍ଥ ହେବାଲାଗି ରିଲାଏନ୍ସ କମ୍ପାନି ମଧ୍ୟ ପ୍ରସ୍ତୁତ ହେଉଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ କଂଗ୍ରେସର ଲୁଣ୍ଠନ ଚରିତ୍ର ଯୋଗୁଁ ଦେଶ ତଳିତଳାନ୍ତ ହୋଇଛି ଏବଂ ବିଜେପିର ସ୍ୱଚ୍ଛ ଶାସନରେ କେଉଁଠି ବି ଦୁର୍ନୀତି ଚିହ୍ନ ନାହିଁ। ଅତ୍ୟାଧୁନିକ ନୂଆ ପିଢ଼ିର ରାଫେଲ ଭାରତକୁ ଆଣିବା ପାଇଁ ସରକାର ଏହି ଚୁକ୍ତି କରିଛନ୍ତି ଏବଂ ଏଥିରେ କଂଗ୍ରେସ ଅଯଥା ବିଭ୍ରାନ୍ତି କରିବାକୁ ଚାହୁଛି ବୋଲି ସେ କହିଛନ୍ତି। ୨୦୧୬ ମସିହାରେ ଭାରତୀୟ ବାୟୁସେନା ପାଇଁ ୩୬ଟି ରାଫେଲ ଲଢୁଆ ବିମାନ ଆଣିବା ପାଇଁ ଏନ୍‌୍‌ଡିଏ ସରକାର ଫ୍ରାନ୍ସର ବିମାନ ତିଆରି କମ୍ପାନି ଡେସଲ୍‌ଟ ସହ ଚୁକ୍ତି କରିଥିଲା । ରିଲାଏନ୍ସ ଡିଫେନ୍ସ କମ୍ପାନିର ମଧ୍ୟସ୍ଥତାରେ ମୋଟ ୫୮ହଜାର କୋଟି ଟଙ୍କାରେ ଏହି ଚୁକ୍ତି ହୋଇଛି । ଏହା ପୂର୍ବରୁ ୨୦୧୨ ମସିହାରେ କଂଗ୍ରେସ ସରକାର ସମୟରେ ହୋଇଥିବା ଟେଣ୍ଡରରେ ଏହି କମ୍ପାନି ସର୍ବନିମ୍ନ ୫୪ହଜାର କୋଟି ଟଙ୍କାରେ ୧୨୬ଟି ରାଫେଲ ଦେବ ବୋଲି ଚୁକ୍ତି ହୋଇଥିଲା । କିନ୍ତୁ ୟୁପିଏ ସରକାର ସମୟରେ ଏହା ଆଗକୁ ବଢ଼ିପାରି ନଥିଲା। ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫ୍ରାନ୍ସ ଗସ୍ତ ବେଳେ ଏହି ଚୁକ୍ତି ନେଇ ପୁନଃ ଆଲୋଚନା ହୋଇଥିଲା । ରିଲାଏନ୍ସ କହିଛି ଯେ ସରକାରଙ୍କ ନୂଆ ଆଇନ୍‌ ମୁତାବକ ୪୯ ପ୍ରତିଶତ ଯାଏଁ ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ କରାଯାଇ ପାରିବ । ଆଇନ୍‌ ମୁତାବକ ରିଲାଏନ୍‌୍‌ସ କମ୍ପାନି ରାଫେଲ ନିର୍ମାଣ କରୁଥିବା କମ୍ପାନି ସହ ଚୁକ୍ତି କରିଛି ବୋଲି କମ୍ପାନି ମୁଖ୍ୟ ଅନୀଲ ଅମ୍ବାନି କହିଛନ୍ତି।

ସମ୍ବନ୍ଧିତ ଖବର