ରେଳ ଦୁର୍ଘଟଣା: ଖୋଳତାଡ଼ କରିବ ସିବିଆଇ

ରେଳବୋର୍ଡର ସୁପାରିସ ପରେ ଘୋଷଣା କଲେ ମନ୍ତ୍ରୀ

ଭୁବନେଶ୍ବର: କେଉଁ ପରିସ୍ଥିତିରେ ବାଲେଶ୍ବର ବାହାନାଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଲା, କେଉଁମାନେ ଦାୟୀ; ତାହାର ତନ୍ନତନ୍ନ କରି ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ)। ତଦନ୍ତ ପାଇଁ ସିବିଆଇକୁ ସୁପାରିସ କରିଛି ଭାରତୀୟ ରେଳବାଇ ବୋର୍ଡ। ଆଜି ଭୁବନେଶ୍ୱର ରେଳ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଏହାସହ ମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ବୁଧବାର ସକାଳ ସୁଦ୍ଧା ନଷ୍ଟ ହୋଇଥିବା ରେଲ ଲାଇନ୍‌ ମରାମତି କାମ ଶେଷ ହେବ। ଭୁବନେଶ୍ୱର ଏମ୍ସ, ସୋର, କଟକ ବଡ଼ ମେଡିକାଲ, ଭଦ୍ରକ ଡାକ୍ତରଖାନାରେ ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି। ରାଜ୍ୟ ସରକାରମାନଙ୍କ ସହ ମିଶି ଆହତ ଓ ମୃତକଙ୍କ ପରିବାର ସହ ଯୋଗଯୋଗ କରିବାକୁ ପ୍ରୟାସ କରାଯାଉଛି।
ଏହି ଅବସରରେ ସେ ଦୁର୍ଘଟଣାର ପ୍ରକୃତ କାରଣ ସଂପର୍କରେ ମୁହଁ ଖୋଲିଛନ୍ତି।

ରେଳବୋର୍ଡର ସୁପାରିସ ପରେ ଘୋଷଣା କଲେ ମନ୍ତ୍ରୀ
ବୁଧବାର ସକାଳ ସୁଦ୍ଧା
ସରିବ ମରାମତି କାମ
ମୃତ ବ୍ୟକ୍ତିଙ୍କ ପରିବାର ସହ ଯୋଗାଯୋଗ କରାଯାଉଛି
‘କବଚ’ ସହ ଦୁର୍ଘଟଣାର ସଂପର୍କ ନାହିଁ

ସେ କହିଛନ୍ତି ଯେ ଟ୍ରେନ୍‌ କେଉଁ ଟ୍ରାକ୍‌ରେ ଯିବ, ତାହା ନିର୍ଧାରଣ କରୁଥିବା ଇଂଟରଲକିଂ ସିଷ୍ଟମ୍‌ରେ ପରିବର୍ତ୍ତନ ଯୋଗୁଁ ଦୁର୍ଘଟଣା ଘଟିଛି। ଏଥିପାଇଁ କିଏ ଦାୟୀ ତାହା ଜଣାପଡ଼ିଛି ଏବଂ ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ରେଲୱେ ସେଫ୍ଟି କମିସନର ଖୁବ୍‌ଶୀଘ୍ର ତଦନ୍ତ ରିପୋର୍ଟ ଦେବେ। ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ ବର୍ତ୍ତମାନ ଆହତଙ୍କ ଉତ୍ତମ ଚିକିତ୍ସା ସହ ନଷ୍ଟ ହୋଇଯାଇଥିବା ରେଳ ଧାରଣକୁ ଠିକ୍‌ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଟ୍ରେନ୍‌ ଦୁର୍ଘଟଣା ପରେ ବାଲେଶ୍ବର, ଭଦ୍ରକ, ସୋରର ସାଧାରଣ ଜନତାଙ୍କ ସମେତ ରେଳବାଇ ଓ ଜିଲ୍ଲା ପ୍ରଶାସନ ମିଶି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଚାରୋଟି ଲାଇନ୍‌ ମଧ୍ୟରୁ ଏପର୍ଯ୍ୟନ୍ତ ଦୁଇଟି ମେନ୍‌-ଲାଇନ୍‌ କାମ ସରିଛି। ଏହି ଦୁଇ ଲାଇନ୍‌ରେ ଟ୍ରାକ୍‌ ଟେଷ୍ଟିଂ ସହ ଅନ୍ୟ ଦୁଇଟି ଲୁପ୍‌-ଲାଇନ୍‌ କାମ କରାଯାଉଛି। ଓଭରହେଡ୍ ବିଦ୍ୟୁତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ବୁଧବାର ସକାଳ ସୁଦ୍ଧା ମରାମତି କାମ ଶେଷ ହେବ। ଏହାସହ ‌ଶ୍ରୀ ବୈଷ୍ଣବ ସଫେଇ ଦେଇ କହିଛନ୍ତି ଯେ ଏହି ଦୁର୍ଘଟଣା ସହ ‘କବଚ’ର କୌଣସି ସଂପର୍କ ନାହିଁ।

ଉଲ୍ଲେଖଥାଉକି, କରମଣ୍ଡଳର ବଗି ଗୁଡିକ ଏକ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥାଏ। ଯାହା ଛୋଟମୋଟ ଦୁର୍ଘଟଣାରେ ଧନଜୀବନ କ୍ଷୟକ୍ଷତିକୁ କମାଇଥାଏ। କିନ୍ତୁ ଏହି ଘଟଣାରେ ଏହା ଯେଉଁ ମାଲଗାଡ଼ି ସହ ଧକ୍କା ହୋଇଥିଲା, ତାହା ଏତେ ଓଜନଦାର ଥିଲା ଯେ ଲାଇନଚ୍ୟୁତ ମଧ୍ୟ ହୋଇନଥିଲା ଏବଂ ଧକ୍କା ହେବାର ସମସ୍ତ ପ୍ରଭାବ କରମଣ୍ଡଳର ବଗିଗୁଡ଼ିକ ଉପରେ ପଡ଼ିଥିଲା। ତେଣୁ ଅଧିକ କ୍ଷୟକ୍ଷତି ହୋଇଥିବା ରେଲବାଇ ବୋର୍ଡ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର