କୋଚ୍ ପାଲଟିଲା ପ୍ରସୂତି ପ୍ରକୋଷ୍ଠ : ଚଳନ୍ତା ଟ୍ରେନରେ ରେଳ କର୍ମଚାରୀଙ୍କ ସହାୟତାରେ ଶିଶୁ ପୁତ୍ର ଜନ୍ମ ଦେଲେ ଯାତ୍ରୀ
ସୀତାପୁର୍(ଉତ୍ତରପ୍ରଦେଶ) : ଜନ ନାୟକ ଏକ୍ସପ୍ରେସ ପାଲଟିଲା ପ୍ରସୂତି ପ୍ରକୋଷ୍ଠ । ସୋମବାର ବିଳମ୍ବିତ ରାତିରେ ଜଣେ ଗର୍ଭବତୀ ମହିଳା ଜନ ନାୟକ ଏକ୍ସପ୍ରେସ୍ରେ ଯାତ୍ରା କରୁଥିବା ବେଳେ ହଠାତ୍ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । ଟ୍ରେନରେ ଚିକିତ୍ସା ଲାଗି କୌଣସି ସୁବିଧା ଉପଲବ୍ଧ ନ ଥିବା ସତ୍ତ୍ୱେ ରେଳ କର୍ମଚାରୀଙ୍କ ସହାୟତାରେ ଯାତ୍ରୀ ଜଣକ କୋଚ୍ ମଧ୍ୟରେ ହିଁ ଶିଶୁ ପୁତ୍ର ଜନ୍ମ କରିଛନ୍ତି । ପରେ ମା’ ଓ ନବଜାତକଙ୍କୁ ଆମ୍ଭୁଲାନ୍ସ ଯୋଗେ ଡ଼ାକ୍ତରଖାନା ନିଆ ଯାଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ସୁମନ ଦେବୀ ସନ୍ତାନ ପ୍ରସବ ପାଇଁ ତାଙ୍କ ସ୍ୱାମୀଙ୍କ ସହ ଜନ ନାୟକ ଏକ୍ସପ୍ରେସରେ ଉତ୍ତରପ୍ରଦେଶର ଗୋରଖ୍ପୁର୍କୁ ଯାତ୍ରା କରୁଥିଲେ । କିନ୍ତୁ ଟ୍ରେନଟି ସୀତାପୁର୍ରେ ହୋଇଥିବା ବେଳେ ସୁମନ ଦେବୀଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ସୁମନଙ୍କ ସ୍ୱାମୀ ଯାଇ ଷ୍ଟେସନ ଅଫିସର ସୁରେଶ ୟାଦବଙ୍କୁ ଏ ବିଷୟରେ ଜଣାଇଥିଲେ । ଏ ବିଷୟରେ ଜାଣିବା ପରେ ସୁରେଶ ତୁରନ୍ତ ଜଣେ ଡ଼ାକ୍ତର ଏବଂ ମହିଳା କନେଷ୍ଟବଳଙ୍କୁ ନିୟୋଜିତ କରି କୋଚ୍ ମଧ୍ୟରେ ହିଁ ପ୍ରସବ କରାଇବା ପାଇଁ କହିଥିଲେ । ଏହି କାମରେ କିଛି ମହିଳା ଯାତ୍ରୀ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିଥିଲେ । କିଛି ସମୟ ପରେ ସୁମନ ଜଣେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲା । ଏହା ପରେ ଦୁଇ ଜଣଙ୍କୁ ଆମ୍ଭୁଲାନ୍ସ ଯୋଗେ ସୀତାପୁର ଡ଼ାକ୍ତରଖାନାକୁ ନିଆ ଯାଇଥିଲା । ଏଥିପାଇଁ ଜନ ନାୟକ ଏକ୍ସପ୍ରେସଟି ଷ୍ଟେସନରେ ଅଧଘଣ୍ଟା ବିଳମ୍ବରେ ପହଞ୍ଚିଥିବା ଜଣା ପଡ଼ିଛି ।