ନୂଆଦିଲ୍ଲୀ : ଓଡ଼ିଶାରେ ବିଭିନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ଉତ୍ତମ ରହିଛି। ଶୁକ୍ରବାର ଦିନ ରାଜ୍ୟସଭାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହା କହିଛନ୍ତି। ସେ କହିଲେ, ଓଡ଼ିଶାକୁ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ରେଳ ବଜେଟ୍ରେ ହାରାହାରି ୮୩୮ କୋଟି ଟଙ୍କାର ଆବଣ୍ଟନ କରାଯାଉଥିଲା। ହେଲେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଏହା ୩୯୨ ପ୍ରତିଶତ ବୃଦ୍ଧି ପାଇ ପ୍ରତ୍ୟେକ ବର୍ଷ ୪୧୨୬ କୋଟି ଟଙ୍କା ହୋଇଛି। ବିଜେଡି ସାଂସଦ ମମତା ମହାନ୍ତଙ୍କ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି।
ରେଳ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ବୁଢ଼ାମରା-ଚକୁଳିଆ ୫୫ କିମି ନୂଆ ରେଳ ଲାଇନ୍ ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏହି ଲାଇନ୍ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡରେ ରହିଛି। ଦୁଇ ରାଜ୍ୟକୁ ଜମି ଅଧିଗ୍ରହଣ ଓ ଜଙ୍ଗଲ ମଞ୍ଜୁରି ହାସଲ କରିବା ପାଇଁ କୁହାଯାଇଛି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କାର୍ଯ୍ୟର ଅଗ୍ରଗତିକୁ ନେଇ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବଙ୍କ ସୂଚନା ହେଲା, ଏହି ପ୍ରକଳ୍ପ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ। ଯେଉଁଠି ଜମି ଅଧିଗ୍ରହଣ ଓ ଜଙ୍ଗଲ ମଂଜୁରି ମିଳିସାରିଛି, ସେଠାରେ ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି। ପ୍ରତ୍ୟେକ ଦିନ କାର୍ଯ୍ୟ ଅଗ୍ରଗତିର ତଦାରଖ କରାଯାଉଛି।
ଏହା ପୂର୍ବରୁ ଶ୍ରୀ ନନ୍ଦଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ରେଳ ମନ୍ତ୍ରୀ ସୂଚନା ଦେଇ କହିଥିଲେ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ୧୦୭ କିଲୋମିଟର କାର୍ଯ୍ୟ ଶେଷ ହୋଇଛି। ଖୋର୍ଦ୍ଧାରୋଡ୍ରୁ ମହିପୁର ପର୍ଯ୍ୟନ୍ତ ୭୭ କିଲୋମିଟର ଏବଂ ବଲାଙ୍ଗୀରରୁ ବିଛୁପାଲି ପର୍ଯ୍ୟନ୍ତ ୧୫ କିଲୋମିଟର କାର୍ଯ୍ୟ ଶେଷ ହୋଇଛି। ୪୫ କିମି ଦୈର୍ଘ୍ୟ ବିଶିଷ୍ଟ ମହିପୁର-ନୂଆଗାଁ-ବୁଗୁଡ଼ା, ୬୫ କିମି ବିଶିଷ୍ଟ ପୁରୁଣାକଟକ-ବୌଦ୍ଧ-ସୋନପୁରର ଏବଂ ୩୭ କିମି ବିଶିଷ୍ଟ ସୋନପୁର-ଯାହାରତରବା-ବିଛୁପାଲିର କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ବର୍ଷ ବଜେଟ୍ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ୧୦୦୦.୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରକଳ୍ପ ପାଇଁ ୫୨୦୮ ଏକର ଜମି ଅଧିଗ୍ରହଣ କରାଯାଇଛି ଏବଂ ୧୭୦ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟା ଶେଷ ହୋଇଛି। ଜମି ଅଧିଗ୍ରହଣ, ଜଙ୍ଗଲ ଜମିର କିସମ ପରିବର୍ତ୍ତନ, ଜଙ୍ଗଲ ଅଧିକାରୀମାନଙ୍କ ଠାରୁ ଜଙ୍ଗଲ ମଂଜୁରି ହାସଲ, ପ୍ରକଳ୍ପ ଅଞ୍ଚଳର ଆଇନଶୃଙ୍ଖଳା ଭଳି ଅନେକ କାରଣ ଯୋଗୁ ପ୍ରକଳ୍ପର କାର୍ଯ୍ୟ ସମାପ୍ତିର ନିର୍ଦ୍ଦିଷ୍ଟ ସମୟ ବର୍ତ୍ତମାନ ସୁନିଶ୍ଚିତ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/RGD_Railway-Minister-Aswin-Baishanba-1.jpg)