ବିତର୍କରେ ରେଳ ସୁରକ୍ଷା: ସତର୍କ କରାଇଥିଲେ ସିଏଜି, ଧ୍ୟାନ ଦେଇନଥିଲେ ସରକାର

ଏମିତି ଘଟିଥିଲା ଦୁର୍ଘଟଣା

ନୂଆଦିଲ୍ଲୀ: ରେଳ ସୁରକ୍ଷାରେ ଅନେକ ତ୍ରୁଟି ବିଚ୍ୟୁତି ରହିଛି। ଦୁର୍ଘଟଣା ଓ ଲାଇନ୍‌ଚ୍ୟୁତ ଭଳି ଘଟଣାକୁ ରୋକିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ଯଥେଷ୍ଟ ନୁହେଁ। ସେଥିରେ ଆହୁରି ଉନ୍ନତି ଆସିବା ଦରକାର। ‌ଗତବର୍ଷ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଏଭଳି ସତର୍କ ସୂଚନା ଦେଇଥିଲେ। ସରକାର ଯଦି ସେହି ରିପୋର୍ଟକୁ ଗୁରୁତ୍ବ ଦେଇ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦେଇଥାନ୍ତେ ତେବେ ବାଲେଶ୍ବର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାକୁ ରୋକଯାଇପାରିଥାନ୍ତା ଓ ୨୭୫ ମୂଲ୍ୟବାନ ଜୀବନ ବଞ୍ଚିଯାଇଥାନ୍ତା।

ଗତବର୍ଷ ସେପ୍ଟେମ୍ବରେ ରେଳ ସୁରକ୍ଷା ସମ୍ପର୍କିତ ସିଏଜି ରିପୋର୍ଟକୁ ସଂସଦରେ ଉପସ୍ଥାପନ କରାଯାଇଥିଲା। ଟ୍ରେନ୍ ଲାଇନଚ୍ୟୁତ କିମ୍ବା ଦୁର୍ଘଟଣା ଭଳି ଘଟଣାକୁ ରୋକିବା ଲାଗି କ’ଣ ସୁରକ୍ଷା ବ୍ୟବସ୍ଥା ରହିଛି ତାହା ଜାଣିବା ଲାଗି ସିଏଜି ପ୍ରୟାସ କରିଥିଲେ। ରେଳ ମନ୍ତ୍ରାଳୟ ଯେଉଁ ତଥ୍ୟ ଦେଇଥିଲା ତାହା ଚକିତ କରିବା ଭଳି ଥିଲା। ଢ଼ିଲା ସୁରକ୍ଷା ବ୍ୟବସ୍ଥ, ଠିକ୍ ଭାବେ ଯାଞ୍ଚ ନହେବା, ଦୁର୍ଘଟଣା ପରେ ତଦନ୍ତ ରିପୋର୍ଟ ଦାଖଲ କିମ୍ବା ଗ୍ରହଣ ହେଉନଥିବା, ଅଗ୍ରାଧିକାର ଭିତ୍ତି‌ରେ ଉତ୍ସର୍ଗୀକୃତ ପାଣ୍ଠି ବ୍ୟବହାର କରାଯାଉନଥିଲା, ଟ୍ରାକ୍ ନବୀକରଣ ଲାଗି ବରାଦ ହେଉଥିବା ପାଣ୍ଠି ନିୟମିତ ଭାବେ ହ୍ରାସ ପାଉଥିଲା ଏବଂ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଥିବା କର୍ମଚାରୀ ସଂଖ୍ୟା ଯଥେଷ୍ଟ ନଥିବା ଭଳି ବହୁ ତ୍ରୁଟିକୁ ସିଏଜି ସାମ୍ନାକୁ ଆଣିଥିଲେ। ଟ୍ରାକ୍ ସ୍ବାସ୍ଥ୍ୟ ଯାଞ୍ଚ କରିବା ଲାଗି ଟ୍ରାକ୍ ରେକର୍ଡିଂ କାର୍‌ର ଅଭାବ ରହିଛି। ବାହାନଗା ଦୁର୍ଘଟଣା ପାଇଁ ଦାୟୀ କରାଯାଉଥିବା ଟ୍ରାକ୍ ପରିଚାଳନା ବ୍ୟବସ୍ଥାରେ ଥିବା ବିଫଳତାକୁ ମଧ୍ୟ ସିଏଜି ସାମ୍ନାକୁ ଆଣିଥିଲେ। ଅନଲାଇନ୍ ମାଧ୍ୟମରେ ଟ୍ରାକ୍ ରକ୍ଷଣାବେକ୍ଷଣ କାମର ନିରୀକ୍ଷଣ ଲାଗି ଏହି ବ୍ୟବସ୍ଥା ବିକାଶ କରାଯାଇଛି। କିନ୍ତୁ ସିଏଜିଙ୍କ ସମୀକ୍ଷା ବେଳେ ତାହା କାର୍ଯ୍ୟକ୍ଷମ ନଥିବା ଜଣାପଡ଼ିଥିଲା।

୨୦୧୭ ଏପ୍ରିଲ୍‌ରୁ ୨୦୨୧ ମାର୍ଚ୍ଚରେ ଇଞ୍ଜିନିୟରିଂ ବିଭାଗ ପାଇଁ ୪୨୨ ଟ୍ରେନ୍ ଲାଇନ୍‌ଚ୍ୟୁତ ଘଟଣା ଘଟିଥିଲା। ସେଥିରୁ ୧୭୧ ମାମଲାରେ ଟ୍ରାକ୍ ରକ୍ଷଣାବେକ୍ଷଣ ଦାୟୀ ଥିବା ବେଳେ ୧୫୬ଟି ମାମଲାରେ ଟ୍ରାକ୍‌ ଧାର୍ଯ୍ୟ ସୀମା ବାହାରେ ଥିଲା। ପରିଚାଳନା ବିଭାଗ ଲାଗି ୨୭୫ଟି ଦୁର୍ଘଟଣା ଘଟିଥିଲା। ସିଏଜି ଜଣାଇଥିଲେ ଯେ ୬୩ ପ୍ରତିଶତ ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇନଥିଲା ଓ ୪୯ ପ୍ରତିଶତ ମାମଲାରେ ରିପୋର୍ଟକୁ ଗ୍ରହଣ କରାଯାଇନଥିଲା। ଟ୍ରାକ୍ ନବୀକରଣ ଲାଗି ପାଣ୍ଠି ବରାଦ ହ୍ରାସ ପାଉଥିଲା। ଯେତିକି ପାଣ୍ଠି ଦିଆଯାଉଥିଲା ତାହା ବିନିଯୋଗ ହେଉନଥିଲା ବୋଲି ସିଏଜି ଜଣାଇଥିଲେ। ୨୦୧୭-୨୧ ମଧ୍ୟରେ ଘଟିଥିବା ୧୧୨୭ ଲାଇନ୍‌ଚ୍ୟୁତ ମାମଲାରୁ ୨୬ ପ୍ରତିଶତ (୨୮୯ ଘଟଣା) ଟ୍ରାକ୍ ନବୀକରଣ ସହ ସମ୍ପର୍କିତ ଥିଲା।

୧. ବାହାନଗା ଷ୍ଟେସନରେ ଦୁଇଟି ମୁଖ୍ୟ ଲାଇନ୍ ଥିଲା। ଦୁଇ
ମୁଖ୍ୟ ଲାଇନ୍ ଉଭୟ ପଟେ ଲୁପ୍‌ ଲାଇନ୍ ରହିଥିଲା।
୨. ଦୁର୍ଘଟଣା ସମୟରେ ସେଠାରେ ଦୁଇ ‌ଏକ୍ସପ୍ରେସ ଟ୍ରେନକୁ ଅତିକ୍ରମ କରିବା ଲାଗି ଲୁପ୍‌ ଲାଇନରେ ଦୁଇଟି ମାଲବାହୀ ‌ଟ୍ରେନକୁ ଅଟକାଯାଇଥିଲା।
୩. ଦୁଇ ମୁଖ୍ୟ ଲାଇନ ମଧ୍ୟରୁ ଗୋଟିଏ କରମଣ୍ଡଳ ଏକ୍ସପ୍ରେସ ଏବଂ ଅନ୍ୟଟି ବେଙ୍ଗାଲୁରୁ-ହାଓଡ଼ା ଏକ୍ସପ୍ରେସ ଟ୍ରେନ ଆଗକୁ ବଢ଼ିବା ପାଇଁ ସିଗନାଲ ଥିଲା। ସବୁକିଛି ଠିକ୍ ଥିଲା। ସିଗନାଲ ମଧ୍ୟ ଗ୍ରିନ୍ ରହିଥିଲା। ଗ୍ରିନ୍ ସିଗନାଲ ଅର୍ଥ ଆଗରେ ଟ୍ରାକ୍‌ରେ କିଛି ଅସୁବିଧା ନାହିଁ ଏବଂ ଟ୍ରେନଟି ତାହାର ସର୍ବାଧିକ ବେଗରେ ଯାତ୍ରା କରିପାରିବ ବୋଲି ସେ କହିଛନ୍ତି।
୪. ସେହି ସ୍ଥାନରେ କରମଣ୍ଡଳ ଏକ୍ସପ୍ରେସ ପାଇଁ ସର୍ବାଧିକ ବେଗ ଘଣ୍ଟାପ୍ରତି ୧୩୦ କିମି ରହିଥିଲା। ତେବେ କରମଣ୍ଡଳ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୮ କିମି ବେଗରେ ଯାତ୍ରା କରୁଥିଲା।
୫. ବେଙ୍ଗାଲୁରୁ-ହାଓଡ଼ା ଏକ୍ସପ୍ରେସ ଟ୍ରେନ୍ ତାହାର ଅନୁମତି ଥିବା ସୀମା ମଧ୍ୟମରେ ଘଣ୍ଟା ପ୍ରତି ୧୨୬ କିମି ବେଗରେ ଗତି କରୁଥିଲା।
୬. ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଟ୍ରେନ ଦ୍ବୟ ଯାତ୍ରା କରୁ ନଥିଲେ। ସିଗନାଲ ମଧ୍ୟ ଗ୍ରିନ୍ ଥିଲା। କିନ୍ତୁ କିଛି କାରଣ ପାଇଁ ଯାହାକି ବର୍ତ୍ତମାନ ତଦନ୍ତ ପରିସରଭୁକ୍ତ ରହିଛି କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରାରମ୍ଭିକ ରିପୋର୍ଟରୁ ସିଗନାଲ ତ୍ରୁଟି ବୋଲି ସୂଚନା ମିଳିଛି। କିନ୍ତୁ ରିପୋର୍ଟ ଦାଖଲ ନହେବା ପର୍ଯ୍ୟନ୍ତ ଏହା ଉପରେ ମୁଁ କୌଣସି ମନ୍ତବ୍ୟ ଦେବିନାହିଁ। କିନ୍ତୁ କୌଣସି ଭ୍ରମଧାରଣା ରହିବା ଉଚିତ ନୁହେଁ ଯେ ୩ଟି ଟ୍ରେନ ଧକ୍କା ହୋଇଥିଲା। କେବଳ ଗୋଟିଏ ଟ୍ରେନ ତାହା ହେଉଛି ‌କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଟ୍ରେନର ଇଞ୍ଜିନ ଲୁପ୍‌ ଲାଇନ୍‌ରେ ଥିବା ମାଲବାହୀ ଟ୍ରେନ ଉପରେ ଚଢ଼ି ଯାଇଥିଲା।
୭. ଟ୍ରେନ ଏହାର ସର୍ବାଧିକ ବେଗରେ ଯାତ୍ରା କରୁଥିବା ଦୁର୍ଘଟଣାର ପ୍ରଭାବ ଏତେ ବିଶାଳ ହୋଇଛି। ମାଲବାହୀ ଟ୍ରେନରେ ‌ଲୁହାପଥର ଥିବାରୁ ଧକ୍କାର ପ୍ରଭାବ ତାହା ଉପରେ ପଡ଼ି ନଥିଲା। ଧକ୍କାର ସଂପୂର୍ଣ୍ଣ ପ୍ରଭାବ କରମଣ୍ଡଳ ଏକ୍ସପ୍ରେସ ଉପରେ ପଡ଼ିଥିଲା।
୮. କରମଣ୍ଡଳ ଏକ୍ସପ୍ରେସର ଟ୍ରେନରେ ସୁରକ୍ଷିତ ଏଲଏଚବି ‌ବଗି ଲାଗିଛି। ଏହି ବଗିଗୁଡ଼ିକ ହାଲୁକା ଏବଂ ଅଧିକ ସୁରକ୍ଷିତ। ଅନ୍ୟ ବଗି ଭଳି ଏହା ଓଲଟି ପଡ଼ି ନଥାଏ। କିନ୍ତୁ ଦୁର୍ଘଟଣାର ସଂପୂର୍ଣ୍ଣ ପ୍ରଭାବ କରମଣ୍ଡଳ ଏକ୍ସପ୍ରେସ ଉପରେ ପଡ଼ିବାରୁ ତାହା ଓଲଟି ପଡ଼ିଥିଲା। ବିଶ୍ବରେ କୌଣସି ପ୍ରଯୁକ୍ତି ଏଭଳି ଦୁର୍ଘଟଣାକୁ ରୋକି ପାରି ନଥାନ୍ତା।
୯. ଲାଇନଚ୍ୟୁତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସର ବଗି ଅନ୍ୟ ମୁଖ୍ୟ ଲାଇନ ଉପରେ ପଡ଼ିଥିଲା। ଏହାଫଳରେ ଯଶବନ୍ତପୁର-ହାଓଡ଼ା ଟ୍ରେନର କିଛି ବଗିକୁ ଏହା କ୍ଷତି ପହଞ୍ଚାଇଥିଲା ବୋଲି ରେଳବୋର୍ଡ ସଦସ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର