ଭୁବନେଶ୍ବର: ରେଳ ବଜେଟ୍ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାକୁ ରେକର୍ଡ ପରିମାଣର ୧୦ ହଜାର ୫୮୬ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ୨୦୨୨, ୨୦୨୩ ଓ ୨୦୨୪ର ଅନୁଦାନକୁ ଦେଖିଲେ ଓଡ଼ିଶାକୁ ଚାରି ବର୍ଷରେ ହାରାହାରି ୧୦ ହଜାର କୋଟି ଟଙ୍କା ମିଳିଛି। ୟୁପିଏ ସରକାର ସମୟରେ ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ମିଳୁଥିଲା। ସେହି ତୁଳନାରେ ଚଳିତ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ରେ ପ୍ରାୟ ସାଢ଼େ ୧୨ ଗୁଣ ଅଧିକ ଅର୍ଥ ବରାଦ କରାଯାଇଥିବା ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ରେଳ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଆଗ୍ରହ ଦେଖାଉଛନ୍ତି। ରାଜ୍ୟରେ ଜାରି ରହିଥିବା ରେଳ ପ୍ରକଳ୍ପ କାମର ସମୀକ୍ଷା କରୁଛନ୍ତି। ସେଥିପାଇଁ ଚଳିତବର୍ଷ ରାଜ୍ୟକୁ ରେକର୍ଡ ପରିମାଣର ଅନୁଦାନ ପ୍ରଦାନ କରାଯାଇଛି। ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ମିଳୁଥିବା ଅର୍ଥରେ ଓଡ଼ିଶାରେ କେବଳ କିଛି ଟ୍ରେନ୍ ଚଳାଇବା, ରହଣି ସୁବିଧା ପରି ବ୍ୟବସ୍ଥା ହେଉଥିଲା। ସୁରକ୍ଷା, କ୍ଷମତା ବଢ଼ାଇବା, ନୂଆ ପ୍ରକାର ଟ୍ରେନ୍ ଓ ଟେକ୍ନୋଲୋଜି ଉପରେ ଆଦୌ ଫୋକସ୍ ଦିଆଯାଉ ନ ଥିଲା। ଆବଣ୍ଟନ ହେଉଥିବା ଅର୍ଥରେ ବର୍ଷକୁ ହାରାହାରି ୫୩ କିମି ନୂଆ ରେଳ ଟ୍ରାକ୍ ବିଛା ଯାଉଥିଲା।
ତେବେ ଗତ ୧୦ ବର୍ଷ ହେଲା ବାର୍ଷିକ ହାରାହାରି ୧୮୩ କିମି ନୂଆ ରେଳ ଟ୍ରାକ୍ ନିର୍ମାଣ ହେଉଛି। ୨୦୦୯ ଓ ୨୦୧୪ ମଧ୍ୟରେ ହାରାହାରି ୨୯ କିମି ବିଦ୍ୟୁତ୍କରଣ ହେଉଥିବା ବେଳେ ଏବେ ତାହା ୧୪୬ କିମିରେ ପହଞ୍ଚିଲାଣି। ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତ୍କରଣ ହୋଇସାରିଛି। ୧୦ ବର୍ଷ ମଧ୍ୟରେ ୪୨୭ଟି ଫ୍ଲାଏଓଭର ଓ ଅଣ୍ଡରବ୍ରିଜ୍ ନିର୍ମାଣ ହୋଇଛି। ଏବେ ଓଡ଼ିଶାରେ ୫୪ ହଜାର ୪୩୪ କୋଟି ଟଙ୍କା ବ୍ୟୟରେ ୪ହଜାର ୧୭ କିମି ଲମ୍ବର ୪୦ଟି ପ୍ରକଳ୍ପ କାମ ଚାଲିଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ଗତ ଫେବ୍ରୁଆରି ମାସରେ ଉପସ୍ଥାପିତ ହୋଇଥିବା ଅନ୍ତରୀଣ ବଜେଟ୍ ଅପେକ୍ଷା ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ରେ ଓଡ଼ିଶାକୁ ୫୦ କୋଟି ଟଙ୍କା ଅଧିକ ମିଳିଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ୧୩୫୦ କୋଟି, ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପକୁ ୫୦୦ କୋଟି, ଜୟପୁର ମାଲକାନଗିରି ରେଳ ପ୍ରକଳ୍ପକୁ ୨୨୩ କୋଟି, ଜୟପୁର ନବରଙ୍ଗପୁର ପ୍ରକଳ୍ପକୁ ୨୩୫ କୋଟି ଓ ଜନଜାତି ଗୌରବ କରିଡର ପାଇଁ ୩୦୦ କୋଟିର ବ୍ୟୟବରାଦ ହୋଇଛି। ଏଥିସହ ଦୋହରୀକରଣ, ୩ୟ ଓ ୪ର୍ଥ ରେଳ ଲାଇନ୍ ବିଛାଇବାକୁ ମଧ୍ୟ ଅର୍ଥ ବ୍ୟବସ୍ଥା ହୋଇଛି। ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ଉନ୍ନତୀକରଣ କରିବାକୁ ବଜେଟ୍ରେ ୩୯୯.୧୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତିନୋଟି ପର୍ଯ୍ୟାୟରେ ଏହି ଅର୍ଥ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୬୯.୪୯ କୋଟି, ଦ୍ବିତୀୟ ପର୍ଯ୍ୟାୟରେ ୨୦୪.୬୪ କୋଟି ଓ ତୃତୀୟ ପର୍ଯ୍ୟାୟରେ ୨୫.୦୩ କୋଟି ଟଙ୍କା ମିଳିବ। ଅମୃତ ଭାରତ ଷ୍ଟେସନ ଯୋଜନାରେ ୨୦୮.୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୨୪ ୨୫ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ୭୬ଟି ପ୍ରକଳ୍ପ ସର୍ଭେ ପାଇଁ ୧୧.୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଦିନେ ଦୁଇ ଦିନ ମଧ୍ୟରେ ବଜେଟ୍ର ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।
୫୯ ଷ୍ଟେସନର ଉନ୍ନତୀକରଣ ଚାଲିଛି
ଓଡ଼ିଶାର ୫୯ଟି ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକଶିତ କରାଯାଉଛି। ସେଗୁଡ଼ିକ ହେଲା ଅନୁଗୁଳ, ବାଦାମପାହାଡ଼, ବଲାଙ୍ଗୀର, ବାଲେଶ୍ୱର, ବାଲୁଗାଁ, ବଡବିଲ, ବରଗଡ଼ ରୋଡ୍, ବାରିପଦା, ବରପାଲି, ବେଲପାହାଡ଼, ବେତନଟି, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର, ଭୁବନେଶ୍ୱର ନ୍ୟୁ, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡି, ଢେଙ୍କାନାଳ, ଗୁଣପୁର, ହରିଶଙ୍କର ରୋଡ୍, ହେମଗିରି, ହୀରାକୁଦ, ଯାଜପୁର କେନ୍ଦୁଝର ରୋଡ୍, ଜଳେଶ୍ୱର, ଜରୋଳି, ଜୟପୁର, ଝାରସୁଗୁଡ଼ା ଜଙ୍କସନ୍, ଝାରସୁଗୁଡ଼ା ରୋଡ୍, କଣ୍ଟାବାଞ୍ଜି, କେନ୍ଦୁଝର ଗଡ଼, କେସିଙ୍ଗା, ଖରିଆର ରୋଡ। ଏହାବ୍ୟତୀତ ଖୋର୍ଦ୍ଧା ରୋଡ୍ ଜଙ୍କସନ୍, କୋରାପୁଟ ଜଙ୍କସନ୍, ଲିଙ୍ଗରାଜ ମନ୍ଦିର ରୋଡ୍, ମଞ୍ଚେଶ୍ୱର, ମେରାମଣ୍ଡଳୀ, ମୁନିଗୁଡ଼ା, ପାନପୋଷ, ପାରଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢ଼ାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା, ସାକ୍ଷୀଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟି, ସୋରୋ, ତାଳଚେର, ତାଳଚେର ରୋଡ୍ ଓ ଟିଟିଲାଗଡ଼ ଜଙ୍କସନ୍। ପୁରୀ, ଭୁବନେଶ୍ବର ଓ କଟକ ରେଳ ଷ୍ଟେସନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଅଧିକାଂଶ ଷ୍ଟେସନର ବିକାଶ କାମ ଆରମ୍ଭ ହୋଇଥିବା ବେଳେ କିଛି ଷ୍ଟେସନର ଟେଣ୍ଡର ପ୍ରକ୍ରିୟା ଜାରି ରହିଥିବା ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।
କବଚ କାମ ଜୋରଦାର ହୋଇଛି
ରେଳର ସୁରକ୍ଷା ବ୍ୟବସ୍ଥା ପାଇଁ କବଚ ବ୍ୟବସ୍ଥା ହେଉଛି। ୨୦୧୬ରେ ରେଳ କ୍ଷେତ୍ରରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା କବଚ ବ୍ୟବସ୍ଥା ୨୦୨୦ ଓ ୨୦୨୧ରେ କୋଭିଡ୍ ଯୋଗୁଁ ବହୁ ପରିମାଣରେ ପ୍ରଭାବିତ ହୋଇଥିଲା। ଏବେ ସୁଦ୍ଧା ରେଳ ନେଟୱାର୍କରେ ପ୍ରାୟ ୪ ହଜାର କିମିର ଅପ୍ଟିକାଲ ଫାଇବର କାର୍ଯ୍ୟ ହୋଇଛି। ବିଶ୍ବର ଅନ୍ୟ ଦେଶଗୁଡ଼ିକରେ ୮୦ ଓ ୯୦ ଦଶକରେ କବଚ ବ୍ୟବସ୍ଥା ଲାଗୁ କରାଯାଇଥିଲା। ମାତ୍ର ମୋଦୀ ସରକାର ଆସିବା ପରେ ଦେଶରେ ଏହାକୁ ଲାଗୁ କରିବା ଦିଗରେ ପଦକ୍ଷେପ ନିଆଯାଇଛି।