ଚଳନ୍ତା ଟ୍ରେନ୍‌ରେ ବିଦେଶିନୀ ଯାତ୍ରୀଙ୍କୁ ଅସଦାଚରଣ କରି ରେଳବାଇ କର୍ମଚାରୀ ଗିରଫ

ବର୍ଦ୍ଧମାନ (ପଶ୍ଚିମବଙ୍ଗଳା): ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଯାତ୍ରା କରୁଥିବା ଜନୈକା ବିଦେଶିନୀ ମହିଳାଙ୍କୁ ବସିବା ପାଇଁ ନିଜ ସିଟ୍‌ରେ ଜାଗା ଦେଇ ପରେ ତାଙ୍କ ସହ ଅଶାଳୀନ ଆଚରଣ ପ୍ରଦର୍ଶନ କରିବା ଘଟଣା ଜନୈକ ରେଳବାଇ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ରେଳବାଇ ପୁଲିସ୍‌ ସଂପୃକ୍ତ କର୍ମଚାରୀଙ୍କୁ ଗିରଫ କରିବା ପରେ ତାଙ୍କୁ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ସୋମବାର ରାତିରେ ଫ୍ରାନ୍ସର ଜନୈକା ମହିଳା ଏକ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ତେବେ, ଟ୍ରେନ୍‌ଟିରେ ଅତ୍ୟଧିକ ଯାତ୍ରୀ ଭିଡ଼ ଥିବା କାରଣରୁ ମହିଳା ଜଣକ କମ୍ପାଟମେଣ୍ଟର କବାଟ ନିକଟରେ ଠିଆ ହୋଇଥିଲେ। ତେବେ, ସେହି କମ୍ପାଟମେଣ୍ଟରେ ଯାତ୍ରା କରୁଥିବା ରେଳବାଇ କର୍ମଚାରୀ ଅର୍ସାଦ ହୁସେନ୍‌ ସଂପୃକ୍ତା ବିଦେଶିନୀ ମହିଳା ଜଣଙ୍କୁ ଡାକିଆଣି ତାଙ୍କ ନିଜ ସିଟ୍‌ରେ ବସାଇଥିଲେ। ତେବେ, ବିଦେଶିନୀ ଜଣକ ତାଙ୍କ ସିଟ୍‌ରେ ବସିବା ପରେ ସେ ତାଙ୍କ ସହ ଅଶାଳୀନ ଆଚରଣ ପ୍ରଦର୍ଶନ କରିବାରେ ଲାଗି ଯାଇଥିଲେ। ହେଲେ, ବିଦେଶିନୀ ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ସେହି କମ୍ପାଟମେଣ୍ଟରେ ଯାତ୍ରା କରୁଥିବା ଅନ୍ୟ ସହଯାତ୍ରୀମାନେ ରେଳବାଇ କର୍ମଚାରୀ ଅର୍ସାଦ ହୁସେନ୍‌ଙ୍କୁ ଧରି ପକାଇ ଟ୍ରେନ୍‌ରେ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା ଆରପିଏଫ୍‌ ଜବାନଙ୍କୁ ହସ୍ତାନ୍ତର କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ରେଳବାଇ କର୍ମଚାରୀ ଅର୍ସାଦ ହୁସେନ୍‌ଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର