ରେଳବାଇର ସବୁ ଭେଣ୍ଡର ଫୁଡ୍ ସେଫଟି କମିଶନରଙ୍କ ନିକଟରେ ପଞ୍ଜିକୃତ ହେବାକୁ ବାଧ୍ୟ

ନୂଆଦିଲ୍ଲୀ : ଟ୍ରେନରେ ଦିଆଯାଉଥିବା ଖାଦ୍ୟକୁ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ସତର୍କ ହୋଇଛନ୍ତି ସରକାର । ରେଳ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ସମୀକ୍ଷା ବୈଠକ କରାଯାଇଛି । ଟ୍ରେନ ଏବଂ ଷ୍ଟେସନଗୁଡ଼ିକରେ କ୍ୟାଟରିଂ ସୁବିଧା ଏବଂ ଖାଦ୍ୟର ମାନଙ୍କ ସମ୍ପର୍କରେ ରେଲୱେ ବୋର୍ଡ ଚେୟାରମ୍ୟାନ ଅଶ୍ୱନି ଲୋହାନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମୀକ୍ଷା କରାଯାଇଛି । ରେଳଭବନରେ ଅନୁଷ୍ଠିତ ଏହି ବୈଠକରେ ଆଇଆରସିଟିସି ସିଏମଡି, ଫୁଡ୍ ସେଫଟି କମିସନର ଏବଂ ସିଇଓ, ରେଲୱେ ବୋର୍ଡ ଆଡିସିନାଲ ମେମ୍ବର (ବାଣିଜ୍ୟିକ), ରେଲୱେ ବୋର୍ଡ ମହାନିର୍ଦ୍ଦେଶକ (ସ୍ୱାସ୍ଥ୍ୟ) ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କ୍ୟାଟରିଂ ବ୍ୟବସ୍ଥାରେ ଉନ୍ନତି ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ନିଷ୍ପତ୍ତି ଅନୁସାରେ ଷ୍ଟେସନ ଏବଂ ଟ୍ରେନରେ ଯେକୌଣସି ଜିନିଷ କିମ୍ବା ଖାଦ୍ୟ ଜିନିଷର କାରବାର କରୁଥିବା ସ୍ଥାୟୀ କିମ୍ବା ଅସ୍ଥାୟୀ ଭେଣ୍ଡର ଓ ବ୍ୟବସାୟୀ, ଯାହାର ବାର୍ଷିକ କାରବାର ୧୨ ଲକ୍ଷ ଟଙ୍କାରୁ ଅଧିକ ହୋଇ ନଥିବ ଏବଂ କ୍ଷମତା ଦିନକୁ ୧୦୦ କିଲୋ/ଲିଟରରୁ ଅଧିକ ହୋଇ ନଥିବ, ଫୁଡ୍ ସେଫଟି କମିଶନରଙ୍କ ନିକଟରେ ପଞ୍ଜିକୃତ ହେବାକୁ ବାଧ୍ୟ । କ୍ୟାଟରିଂ ସେବା ଉପଲବ୍ଧ କରାଉଥିବା ସଂସ୍ଥା, ଯାହାର କି ବାର୍ଷିକ କାରବାର ୧୨ ଲକ୍ଷ ଟଙ୍କାରୁ ଅଧିକ, ସେମାନଙ୍କ ପାଇଁ ମଧ୍ୟ ପଞ୍ଜିକରଣ ବାଧ୍ୟତାମୂଳକ । ଅନଲାଇନର ଭେଣ୍ଡରଙ୍କ ପଞ୍ଜିକରଣ ପ୍ରକ୍ରିୟା ଆଗାମୀ ୧୫ ଦିନ ମଧ୍ୟରେ ଆରମ୍ଭ ହେବ ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ଡିଭିଜନ ଫୁଡ ସେଫଟି କମିଶନରଙ୍କ ତଦାରଖରେ ରହିବ ଏବଂ ସେମାନଙ୍କୁ ସହାୟତା କରିବାକୁ ଦେଶବ୍ୟାପୀ ୩୦୦ ହେଲଥ ଇନ୍ସପେକ୍ଟରଙ୍କୁ ନିଯୁକ୍ତି ଦିଆଯିବ ।  ଜୁଲାଇ ୧୫ ତାରିଖ ସୁଦ୍ଧା ଭାରତୀୟ ରେଳବାଇରେ କ୍ୟାଟରର ଏବଂ ଖାଦ୍ୟ ଯୋଗାଣକାରୀ ସଂସ୍ଥାଙ୍କ ଡାଟାବ୍ୟାଙ୍କ ପ୍ରସ୍ତୁତ କରାଯିବ । ଏହି ଡାଟାବ୍ୟାଙ୍କରେ ଭେଣ୍ଡର, ଅନଲାଇନ ପଞ୍ଜିକରଣ ଏବଂ ନମୂନା ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ହୋଇପାରିବ । ଡିଭିଜନ ସ୍ତରରେ ଡାଟାବ୍ୟାଙ୍କ ଦାୟିତ୍ୱରେ ଡିଆରଏମ୍ ଏବଂ ସିନିଅର ଡିସିଏମ୍ ରହିବେ । ଜୋନାଲ ସ୍ତରରେ ସିସିଏମ୍ ଏହି ଦାୟିତ୍ୱରେ ରହିବେ । ବିଭିନ୍ନ ସମସୟରେ ଅଚାନକ ଖାଦ୍ୟର ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପରେ ଏହାର ତଥ୍ୟ ଡାଟାବ୍ୟାଙ୍କରେ ଉପଲବ୍ଧ କରାଯିବ । ଜିଓ ଟ୍ୟାଗିଂ ଟେକ୍ନୋଲଜି ଜରିଆରେ ନମୂନା ସଂଗ୍ରହ ପାଇଁ ମୋବାଇଲ ଆପ୍ ପ୍ରସ୍ତୁତ କରାଯିବ । ଭେଣ୍ଡରମାନଙ୍କ ଅଡିଟ ତୃତୀୟ ପକ୍ଷ ମାଧ୍ୟମରେ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

 

 

ସମ୍ବନ୍ଧିତ ଖବର