ଟ୍ରେନ ଚଳାଚଳ ଉପରେ ରେଳରୋକର ପ୍ରଭାବ ସର୍ବନିମ୍ନ,କୌଣସି ଅଘଟଣ ଘଟିନାହିଁ : ଭାରତୀୟ ରେଳ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରେଳ ରୋକ୍ କରିଥିଲେ ଚାଷୀ। କୃଷକମାନଙ୍କ ଦ୍ୱାରା ଡକାଯାଇଥିବା ରେଳ ରୋକ୍ ଶେଷ ହେବା ପରେ ଗୁରୁବାର ଦିନ ଭାରତୀୟ ରେଳ କହିଛି ଯେ, ଆଜି ଚାଷୀମାନଙ୍କ ଦ୍ବାରା କରାଯାଇଥିବା ରେଳ ରୋକର ପ୍ରଭାବ ସର୍ବନିମ୍ନ ରହିଥିଲା।

ଭାରତୀୟ ରେଳ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ରେଳ ରୋକ ଆନ୍ଦୋଳନ ସମୟରେ ‌କୌଣସି ଅଘଟଣ ଘଟି ନାହିଁ। ସମଗ୍ର ଦେଶରେ ଟ୍ରେନ୍ ଚଳାଚଳ ଉପରେ ରେଳ ରୋକ୍ ର ସର୍ବନିମ୍ନ ପ୍ରଭାବ ପଡ଼ିଛି। ସମସ୍ତ ଜୋନରେ ଟ୍ରେନ୍ ଚଳାଚଳ ବର୍ତ୍ତମାନ ସ୍ୱାଭାବିକ ରହିଛି। କେତେକ ଅଞ୍ଚଳରେ ଅଳ୍ପ ଟ୍ରେନ୍ ଅଟକି ରହିଥିଲା କିନ୍ତୁ ବର୍ତ୍ତମାନ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି।

Image result for ‘Rail Roko’ Had Minimal Impact, Passed Without Any Untoward Incident
Ommcom News

ଆଜି ହୋଇଥିବା‌ ରେଳ ରୋକ୍ ପାଇଁ ଭାରତୀୟ ରେଳ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଭାରତୀୟ ରେଳ ପକ୍ଷରୁ ସାରା ଦେଶରେ ୨୦ଅତିରିକ୍ତ କମ୍ପାନିର ରେଳ ସୁରକ୍ଷା ସ୍ୱତନ୍ତ୍ର ବଳ(ଆରପିଏସଏଫ)କୁ ନିଯୋଜିତ କରାଯାଇଥିଲା। ବିଶେଷ କରି ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା। ଗତକାଲି ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକ ଅରୁଣ କୁମାର କହିଥିଲେ ଯେ, “ମୁଁ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରୁଛି। ଆମେ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିବୁ ଏବଂ ସେଠାରେ ଏକ ନିୟନ୍ତ୍ରଣ କକ୍ଷ ରହିବ। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସହ ଅନ୍ୟାନ୍ୟ ଅଞ୍ଚଳଗୁଡିକୁ ବିଶେଷ ଧ୍ୟାନ ଦିଆଯିବ। ଏହି ଅଞ୍ଚଳରେ ରେଳ ସୁରକ୍ଷା ସ୍ୱତନ୍ତ୍ର ବଳ (ଆରପିଏସଏଫ)ର ୨୦ଟି କମ୍ପାନି (ପ୍ରାୟ ୨୦,୦୦୦ କର୍ମଚାରୀ) ମୁତୟନ କରିଛୁ। ଯାତ୍ରୀମାନଙ୍କର ଯେମିତି କୌଣସି ସମସ୍ୟା ନହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ।

ଗତ ସପ୍ତାହରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଇଥିବା ମିଳିତ କୃଷକ ସଂଗଠନ ଫେବ୍ରୁଆରି ୧୮ରେ ରେଳ ରୋକ କରାଯିବା ନେଇ ଘୋଷଣା କରିଥିଲା। ନୂତନ କୃଷି ଆଇନ ପ୍ରତ୍ୟାହାର ନେଇ ମିଳିତ କୃଷକ ସଂଗଠନ ଏହି ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର