ମୁମ୍ବାଇ: ଜରିମାନା ବାବଦ ଅର୍ଥ ଭରଣା କରିବାକୁ ଜରିମାନା ଦେଇ ପାରି ନ ଥିବା ଜଣେ ବିନା ଟିକିଟ୍ ଯାତ୍ରୀକୁ ଗୁରୁବାର ଦିନ ରେଳବାଇ ଅଧିକାରୀମାନେ ନିଲାମ କରିଛନ୍ତି। ଏ କଥା ଆଚମ୍ବିତ ଲାଗୁ ଥାଇ ପାରେ, କିନ୍ତୁ କଥାଟି ସତ। ଟିକିଟ୍ କାଟି ନ ଥିବା ସେ ଯାତ୍ରୀଟି ହେଉଛି ଗୋଟାଏ ଛେଳି।
ବୁଧବାର ଦିନ ସନ୍ଧ୍ୟା ବେଳେ ରେଳବାଇ କର୍ତ୍ତୃପକ୍ଷମାନେ ବିନା ଟିକିଟ୍ରେ ଯାତ୍ରା କରୁଥିବା ସେ ମାଈଛେଳିଟିକୁ ଧରିଥିଲେ। ରେଳବାଇ କର୍ତ୍ତୃପକ୍ଷମାନେ ଖବର ପାଇଲେ କି ଜଣେ ବ୍ୟକ୍ତି ଟ୍ରେନ୍ରେ ଛେଳିଟିଏ ନେଇ ଯାଉଛି। ରେଳବାଇ ନିୟମ ଅନୁସାରେ ଏହା ନିୟମ ବିରୁଦ୍ଧ କାର୍ଯ୍ୟ। ସ୍ଥାନୀୟ ରେଳବାଇର ମସ୍ଜିଦ୍ ଷ୍ଟେସନ୍ ଠାରେ ସେ ବ୍ୟକ୍ତିଙ୍କ ସହ ଟିକିଟ୍ କଲେକ୍ଟର୍ଙ୍କ ସାମ୍ନାସାମ୍ନି ହୋଇଥିଲା।
ଜଣା ପଡ଼ିଲା ଯାତ୍ରୀଜଣକ ମଧ୍ୟ ଟିକିଟ୍ କାଟି ନାହାନ୍ତି। ଅଗତ୍ୟା ସେ କୌଣସି ମତେ ସେଠାରୁ ଧାଇଁ ପଳାଇଲେ ଟିକିଟ୍ ଖରିଦ କରିବା ପାଇଁ। ଛେଳି ସହ ସେଠାରେ ଛିଡ଼ା ହୋଇ ରହିଲେ ଟିକିଟ୍ କଲେକ୍ଟର୍। ଏଇଟା ରେଳବାଇ କର୍ତ୍ତୃପକ୍ଷଙ୍କୁ ବଡ଼ ଅଡୁଆରେ ପକାଇଲା। ଟିକିଟ୍ କାଟି ନ ଥିବା ସେ ଯାତ୍ରୀଜଣକ ଆଉ ଫେରିଲେ ନାହିଁ। ଏବେ ଛେଳିକୁ ନେଇ ରେଳବାଇ ଅଧିକାରୀମାନେ କରନ୍ତେ କ’ଣ?
ବହୁ ପରାମର୍ଶ ପରେ, ଛେଳିଟିକୁ ନିଲାମ କରିଦେବା ପାଇଁ ଅଧିକାରୀମାନେ ନିଷ୍ପତ୍ତି ନେଲେ। ଛେଳିଟିକୁ ରେଳ ଷ୍ଟେସନ୍ରେ ଖଟେଇ ଦିଆଗଲା। ତା’ର ଦେଖାଶୁଣା ପାଇଁ ଜଣେ କର୍ମଚାରୀଙ୍କୁ ସେଠାରେ ମୁତୟନ କରାଗଲା। ଛେଳିର ନିଲାମ ମୂଲ୍ୟ ୩୦୦୦ ଟଙ୍କା ବୋଲି ଅଧିକାରୀମାନେ ନିର୍ଦ୍ଧାରଣ କଲେ। କିନ୍ତୁ, ଛେଳିଟିକୁ କିଣିବାକୁ ଗ୍ରାହକ ମିଳିଲେ ନାହିଁ।
ଅଗତ୍ୟା ରେଳ କର୍ମଚାରୀମାନେ ବସି ରାତି ତମାମ ଛେଳିର ତତ୍ତ୍ୱ ନେଲେ। ଛେଳିର ତତ୍ତ୍ୱାବଧାନରେ ଥିବା କର୍ମଚାରୀଜଣକ ‘ସୋଲେ’ ସିନେମାପ୍ରେମୀ ହୋଇଥିବାରୁ ଛେଳିର ନାଁ ଦେଲେ ‘ବାସନ୍ତୀ’।
ଗୁରୁବାର ସକାଳେ ନିଲାମ ପାଇଁ ଆଉ ଥରେ ଉଦ୍ୟମ କଲେ। ଏଥର ସେମାନେ ‘ବାସନ୍ତୀ’ ୨୫୦୦ ଟଙ୍କାରେ ବିକ୍ରୟ କଲେ।
ବିଡ଼ମ୍ବନାର କଥା ହେଲା, ମୁମ୍ବାଇ ଲୋକାଲ୍ ଟ୍ରେନ୍ରେ ଫାଇନ ବାବଦକୁ ପଡ଼େ ମାତ୍ର ୨୫୬ ଟଙ୍କା ଅର୍ଥାତ୍ ‘ବାସନ୍ତୀ’ ନିଲାମ ମୂଲ୍ୟର ମାତ୍ର ୧୦%।