ନୂଆଦିଲ୍ଲୀ : ଭାରତୀୟ ରେଳରେ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ଥିବା ସୁବିଧାକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି । କେବେ ମିଳୁଥିବା ଖାଇବାକୁ ନେଇ ତ କେବେ ଯାତ୍ରୀମାନଙ୍କୁ ମିଳୁଥିବା ଅନ୍ୟାନ୍ୟ ସୁବିଧାକୁ ନେଇ । ଏହି ସବୁ ଅସୁବିଧାକୁ ଆଖି ଆଗରେ ରଖି ଏଇ କିଛି ଦିନ ମଧ୍ୟରେ ଭାରତୀୟ ରେଳ ନିଜର ନିୟମରେ ଅନେକ ପରିବର୍ତ୍ତନ ଆଣିଛି । ଏବେ ପୁଣି ଭାରତୀୟ ରେଳ ଯାତ୍ରୀମାନଙ୍କୁ ଏକ ନୂଆ ସୁବିଧା ଯୋଗାଇ ଦେବାକୁ ଯାଉଥିବା ଜଣା ପଡ଼ିଛି । ବେଳେ ବେଳେ ଟ୍ରେନ୍ରେ ଯାତ୍ରା କରୁଥିବା ବେଳେ ଯାତ୍ରୀମାନେ ଶୋଇ ଯାଇଥିବାରୁ ସେମାନଙ୍କ ଗନ୍ତବ୍ୟ ସ୍ଥଳର ସମୟ ସେମାନେ ଜାଣ ପାରନ୍ତି ନାହିଁ । ଏହି ଅସୁବିଧାକୁ ଆଖି ଆଗରେ ରଖି ଭାରତୀୟ ରେଳ ଏବେ ଡ଼େଷ୍ଟିନେସନ ଆଲର୍ଟର ବ୍ୟବସ୍ଥା ଆରମ୍ଭ କରିଥିବା ଜଣା ପଡ଼ିଛି । ଏହି ବ୍ୟବସ୍ଥା ଆରମ୍ଭ ହେବା ପରେ ଯାତ୍ରୀମାନଙ୍କ ଫୋନକୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ୨୦ମିନିଟ୍ ପୂର୍ବରୁ ମେସେଜ ଆସିଯିବ ।
/sambad/media/post_attachments/wp-content/uploads/2018/07/indian-railwaysl-300x167.gif)
ସୂଚନା ମୁତାବକ,ସକାଳ ୧୧ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲୁଥିବା ଟ୍ରେନ୍ର ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବା ବୋଲି ଲୋକସଭାରେ ପଚରାଯାଇଥିବା ପ୍ରଶ୍ନର ଲଖିତ ଭାବେ ଉତ୍ତର ଦେଇଛନ୍ତି ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍ ଗୋହେନ୍ । ଏହି ସୁବିଧା ଦ୍ୱାରା ଯାତ୍ରୀମାନେ ନିଜର ଫୋନ ମାଧ୍ୟମରେ ୧୩୯ନମ୍ବର ବ୍ୟବହାର କରି ଡ଼େଷ୍ଟିନେସନ୍ ଆଲର୍ଟକୁ ସେଟ୍ କରି ପାରିବେ । କାହାକୁ କେଉଁ ଷ୍ଟେସନରେ ଓହ୍ଲାଇବାକୁ ଅଛି ସେ ଷ୍ଟେସନର ନାଁ ସେଟ୍ କରିବା ପରେ ସେମାନଙ୍କ ଫୋନକୁ ଏକ କନଫର୍ମମେସନ ମେସେଜ ଆସିଯିବ । ଏହା ପରେ ଯାତ୍ରୀମାନେ ନିଜର ଗନ୍ତବ୍ୟ ସ୍ଥଳର ପହଞ୍ଚିବାର ୨୦ମିନିଟ୍ ପୂର୍ବରୁ ସେମାନଙ୍କୁ ମେସେଜ ଆସିଯିବ ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍ ଗୋହେନ୍ କହିଛନ୍ତି ।