ନୂଆଦିଲ୍ଲୀ: ମିଜୋରାମରେ ଆଜି ଏକ ନିର୍ମାଣାଧୀନ ରେଳ ପୋଲ ଭୁଶୁଡ଼ି ପଡ଼ିବା ଫଳରେ ଅତି କମ୍ରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଅଇଜଲଠାରୁ ୨୧ କିମି ଦୂର ସାଇରଙ୍ଗ ଅଞ୍ଚଳରେ ଆଜି ଏହି ଦୁର୍ଘଟଣା ହୋଇଛି। ରେଳବାଇ ଏବଂ ପୁଲିସ ଅଧିକାରୀଙ୍କ ଅନୁଯାୟୀ ଘଟଣାସ୍ଥଳରୁ ଏଯାବତ ୨୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଭୁଶୁଡ଼ି ପଡ଼ିଥିବା ଷ୍ଟିଲ୍ ନିର୍ମାଣ ତଳେ ଆହୁରି ଅନେକ ଲୋକ ଫସି ରହିଛନ୍ତି। ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ପ୍ରାୟ ୪୦ ଜଣ ଶ୍ରମିକ ଥିଲେ। ଏହି ନିର୍ମାଣାଧୀନ ବ୍ରିଜ୍ ଭୁଶୁଡ଼ିବା ଘଟଣାର ତଦନ୍ତ ପାଇଁ ରେଳବାଇ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୋଦୀ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର କ୍ଷତିପୂରଣ ଘୋଷଣା କରିଛନ୍ତି। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ମଧ୍ୟ ଦୁର୍ଘଟଣାରେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହୋଇଥିବାରୁ ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହାରିଥିବା ସମସ୍ତ ବ୍ୟକ୍ତି ହେଉଛନ୍ତି ଶ୍ରମିକ। ସେମାନେ ସମସ୍ତେ ଏହି ପୋଲ ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଥିଲେ। କେନ୍ଦ୍ର ଗୃ ମନ୍ତ୍ରୀ ଅମିତ ଶାହ ଆଜି ମିଜୋରାମ ରାଜ୍ୟପାଳ ହରି ବାବୁ କମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ଆହତମାନଙ୍କୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।