ନୂଆଦିଲ୍ଲୀ: ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତ ଟ୍ରେନ୍ ପାଇଁ ଲାଗୁ ହୋଇଥିବା ଫ୍ଲେକ୍ସି ଭଡ଼ା ଟିକେଟ ବ୍ୟବସ୍ଥାର ସମୀକ୍ଷା କରୁଛି ରେଳବାଇ । ଯଦି ଆବଶ୍ୟକ ପଡ଼େ ତେବେ ଭଡ଼ା ହ୍ରାସ ହୋଇପାରେ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ଦ୍ୱାରା ଅନ୍ୟ ଟ୍ରେନ୍ର ଭଡ଼ା ବୃଦ୍ଧି ହେବ ନାହିଁ ବୋଲି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି।
ସୂଚନାଯୋଗ୍ୟ ଯେ , ଫ୍ଲେକ୍ସି ଭଡ଼ା ଟିକେଟ ବ୍ୟବସ୍ଥା ଯୋଗୁଁ ଗତ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ରେଳବାଇ ଅଧିକ ୫୪୦ କୋଟି ଟଙ୍କାର ରାଜସ୍ୱ ଆଦାୟ କରି ପାରିଛି। କିନ୍ତୁ ଏହି ଫ୍ଲେକ୍ସି ଭଡ଼ା ଟିକେଟ ବ୍ୟବସ୍ଥାକୁ ନେଇ ଲୋକମାନଙ୍କର ଅସନ୍ତୋଷ ବଢ଼ିଛିି। ଏହା ଦ୍ୱାରା ଭଡ଼ା ଯଥେଷ୍ଟ ଅଧିକ ହେଉଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଫ୍ଲେକ୍ସି ଭଡ଼ା ଟିକେଟ ବ୍ୟବସ୍ଥା ଯୋଗୁଁ ଭଡ଼ା ଅଧିକ ପଡ଼ୁଥିବାରୁ ଦୁରନ୍ତ, ଶତାବ୍ଦୀ ଓ ରାଜଧାନୀ ଏକ୍ସପ୍ରେସ ଟ୍ରେନ୍ରେ ବହୁ ସିଟ୍ ଖାଲି ପଡ଼ୁଛି। ତେଣୁ ଏହାକୁ ଆଖିଆଗରେ ରଖି ରେଳବାଇ ଫ୍ଲେକ୍ସି ଭଡ଼ା ଟିକେଟ ବ୍ୟବସ୍ଥାର ସମୀକ୍ଷା କରିବାକୁ ଯାଉଛି ବୋଲି ଜଣାପଡ଼ିଛି।
ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ, ଫ୍ଲେକ୍ସି ଭଡ଼ା ଟିକେଟ ବ୍ୟବସ୍ଥା ସମ୍ପର୍କିତ ଜନଅସନ୍ତୋଷ ନେଇ ଶହଶହ ଅଭିଯୋଗ ଆସୁଥିବା ସମ୍ପର୍କରେ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଅବଗତ କରିଛନ୍ତି। ତେଣୁ ଏହି ଫ୍ଲେକ୍ସି ଭଡ଼ା ଟିକେଟ ବ୍ୟବସ୍ଥାର ସମୀକ୍ଷା କରିବା ସହିତ ଏପରି ବ୍ୟବସ୍ଥା କରିବା ପାଇଁ ରେଳବାଇ ଯୋଜନା କରୁଛି ଯଦ୍ୱାରା ରେଳବାଇ ତାର ରାଜସ୍ୱ ଆଦାୟ ଲକ୍ଷ୍ୟ ହାସଲ କରି ପାରିବ ମାତ୍ର ଏହା ଫଳରେ ଲୋକଙ୍କୁ ତାଙ୍କ ପକେଟରୁ ଅଧିକ ପଇସା ଦେବାକୁ ପଡ଼ିବ ନାହିଁ। ତେବେ ଫ୍ଲେକ୍ସି ଭଡ଼ା ଟିକେଟ ବ୍ୟବସ୍ଥାର କିଛି ସଂଶୋଧନ କରାଯିବ କି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ କିଛିଟା ପରିବର୍ତ୍ତନ ନିଶ୍ଚିତ ହେବାକୁ ଯାଉଛି।
ସୂଚନାଯୋଗ୍ୟ ଯେ ୨୦୧୬ ମସିହା ସେପ୍ଟେମ୍ବର ମାସ ୯ ତାରିଖରେ ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଏକ୍ସପ୍ରେସ ଟ୍ରେନ୍ ପାଇଁ ଫ୍ଲେକ୍ସି ଭଡ଼ା ଟିକେଟ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଟ୍ରେନ୍ରେ ଥିବା ମୋଟ୍ ସିଟ୍ର ମାତ୍ର ୧୦ ପ୍ରତିଶତ ସାଧାରଣ ଭାବେ ସ୍ଥିରୀକୃତ ଭଡ଼ାରେ ବିକ୍ରି କରାଯାଉଛି। ପ୍ରତି ୧୦ ପ୍ରତିଶତ ସିଟ୍ ବିକ୍ରି ସହିତ ଭଡ଼ା ବୃଦ୍ଧିି ଯାଇଥାଏ। ସର୍ବାଧିକ ୫୦ ପ୍ରତିଶତ ଭଡ଼ା ବୃଦ୍ଧିପାଇଁ ଫ୍ଲେକ୍ସି ଭଡ଼ା ଟିକେଟ ବ୍ୟବସ୍ଥାରେ ଯୋଜନା କରାଯାଇଛି। ଏହା ଫଳରେ ୨୦୧୬ ମସିହାର ସେପ୍ଟେମ୍ବର ମାସରୁ ୨୦୧୭ ଜୁନ୍ ମସିହା ମଧ୍ୟରେ ରେଳବାଇ ୫୪୦ କୋଟି ଅଧିକ ରାଜସ୍ୱ ଆଦାୟ କରିଛି। ତେବେ ଗତ ଡିସେମ୍ବର ମାସରୁ ଚାର୍ଟ ପ୍ରସ୍ତୁତି ପରେ ବଳକା ସିଟ୍ ଉପରେ ରେଳବାଇ ୧୦ ପ୍ରତିଶତ ରିବେଟ୍ ମଧ୍ୟ ଦେଉଛି।
ରେଳମନ୍ତ୍ରୀ ଗୋୟଲ କହିଛନ୍ତି ଯେ ରେଳବାଇ ନିରାପଦ ଓ ଦୃତ ରେଳଯାତ୍ରା ପାଇଁ ଯୋଜନା କରୁଛି। ଅନ୍ତତଃ ଆସନ୍ତା ନଭେମ୍ବର ମାସ ସୁଦ୍ଧା ରେଳବାଇ ୭ଶହ ଟ୍ରେନ୍ର ବେଗ ବଢ଼ାଇବାକୁ ଯୋଜନା କରିଛି। ଏଥିରେ ୪୮ଟି ମେଲ/ପାସେଞ୍ଜର ଟ୍ରେନ୍କୁ ସୁପରଫାଷ୍ଟ /ଏକ୍ସପ୍ରେସରେ ପରିଣତ କରାଯିବ ବୋଲି ଶ୍ରୀ ଗୋୟଲ କହିଛନ୍ତି।
ଫ୍ଲେକ୍ସି ଭଡ଼ା ଟିକେଟ ବ୍ୟବସ୍ଥାର ସମୀକ୍ଷା କରିବ ରେଳବାଇ
/sambad/media/post_attachments/wp-content/uploads/2017/09/piyush-goyal-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)