ରେଳଯାତ୍ରୀଙ୍କ ପାଇଁ‌ ଗୋଟିଏ ସହାୟତା ନମ୍ବର ୧୩୯

ସୁରକ୍ଷା ପାଇଁ କେବଳ ୧୮୨ ନମ୍ବର ଚାଲୁ ରହିବ, ୧୨ଟି ଭାରତୀୟ ଭାଷାରେ ଉପଲବ୍ଧ ହେବ

ନୂଆଦିଲ୍ଲୀ : ରେଳଯାତ୍ରୀଙ୍କ ସୁବିଧା ପାଇଁ ଟେଲିଫୋନ୍ ସହାୟତା ନମ୍ବରକୁ ଏକତ୍ରିତ କରାଯାଇଛି। ଯାତ୍ରୀମାନେ ୧୩୯ ନମ୍ବରକୁ ଡାଏଲ କରି ରେଳବାଇର ଯେକୌଣସି ପ୍ରକାର ସହାୟତା, ଅନୁସନ୍ଧାନ ଏବଂ ଅଭିଯୋଗ ଶୁଣାଣି ପାଇଁ ବ୍ୟବହାର କରିପାରିବେ। ୧୨ଟି ଭାରତୀୟ ଭାଷାରେ ଏହି ସେବା ଉପଲବ୍ଧ ହେବ। ଏଥିରେ ଆଇଭିଆରଏସ୍‌ ( ଇଣ୍ଟରଆକ୍ଟିଭ ଭଏସ ରେସପନ୍ସ ସିଷ୍ଟମ୍‌) ବ୍ୟବସ୍ଥା ରହିଛି। ତେବେ କେବଳ ରେଳ ସୁରକ୍ଷା ପାଇଁ ୧୮୨ ନମ୍ବର ପୂର୍ବପରି ବଳବତ୍ତର ରହିବ।

ନୂତନ ଭାବେ ୧୩୯ ନମ୍ବରକୁ କାର୍ଯ୍ୟକ୍ଷମ କରାଯିବା ଫଳରେ ପୂର୍ବରୁ ସାଧାରଣ ଅଭିଯୋଗ ପାଇଁ ପ୍ରଚଳିତ ଥିବା ୧୩୮ ନମ୍ବର, ଦୁର୍ଘଟଣା ଏବଂ ନିରାପତ୍ତା ପାଇଁ ୧୦୭୨ ନମ୍ବର, ଏସଏମଏସରେ ଅଭିଯୋଗ ପାଇଁ ୯୭୧୭୬୩୦୯୮୨ ନମ୍ବର, ବଗି ସଫା କରିବା ପାଇଁ ୫୮୮୮୮/୧୩୮ ନମ୍ବର, ଭିଜିଲାନ୍ସ ପାଇଁ ୧୫୨୨୧୦ ନମ୍ବର ଏବଂ କ୍ୟାଟରି ସେବା ପାଇଁ ୧୮୦୦୧୧୧୩୨୧ ନମ୍ବର ଆଦିକୁ ପ୍ରତ୍ୟାହାର କରି ନିଆଯାଇଛି।

କେବଳ ସ୍ମାର୍ଟଫୋନ ନୁହେଁ, ସାଧାରଣ ମୋବାଇଲ ଫୋନରୁ ୧୩୯ ନମ୍ବର ଡାଏଲ କରି ଜଣେ ବ୍ୟକ୍ତି ରେଳବାଇର ବିଭିନ୍ନ ସେବା, ଅନୁସନ୍ଧାନ ସୁବିଧା ପାଇପାରିବେ। ୧୩୯ ନମ୍ବର ଡାଏଲ କରିଲେ ଆଇଭିଆରଏସ ବ୍ୟବସ୍ଥାରେ ବିଭିନ୍ନ ସେବା ପାଇଁ ୧, ୨ ଏବଂ ୩ ଭଳି ବିଭିନ୍ନ ଟିପିବାକୁ ପଡ଼ିବ। ନିରାପତ୍ତା ଏବଂ ଚିକିତ୍ସା ସହାୟତା ପାଇଁ ଯାତ୍ରୀଙ୍କୁ ୧ ଦବାଇବାକୁ ହେବ। ୧ ଦବାଇବା ପରେ ସିଧାସଳଖ କଲ୍ ସେଣ୍ଟର କାର୍ଯ୍ୟନିର୍ବାହୀଙ୍କ ସହିତ କଥାହେବା ସୁଯୋଗ ମିଳିବ। ପିଏନ୍‌ଆର୍‌ ସ୍ଥିତି, ଟ୍ରେନ୍ ପହଞ୍ଚିବା/ଛାଡ଼ିବା, ଟ୍ରେନ୍ ଭଡ଼ା, ମିଲ୍ ବୁକିଂ ଭଳି ଅନୁସନ୍ଧାନ ପାଇଁ ୨ ଦବାଇବାକୁ ହେବ। କ୍ୟାଟରିଂ ସଂକ୍ରାନ୍ତ ଅଭିଯୋଗ ପାଇଁ ୩ ଏବଂ ସାଧାରଣ ଅଭିଯୋଗ ପାଇଁ ୪ ଦବାଇବାକୁ ହେବ। ୫ ଦବାଇଲେ ଭିଜିଲାନ୍ସ ସଂକ୍ରାନ୍ତ ଅଭିଯୋଗ ଦାଖଲ କରିହେବ। ସେହିଭଳି ଦୁର୍ଘଟଣାବେଳେ ଅନୁସନ୍ଧାନ ପାଇଁ ୬ ଏବଂ ଗ୍ରାହକଙ୍କ ଅଭିଯୋଗର ସ୍ଥିତି ଜାଣିବା ପାଇଁ ୯ ଦବାଇବାକୁ ହେବ। ତେବେ କଲ ସେଣ୍ଟର କାର୍ଯ୍ୟନିର୍ବାହୀଙ୍କ ସହ ସିଧାସଳଖ କଥା ହେବା ପାଇଁ ହେଲେ ଷ୍ଟାର୍ ଦବାଇବାକୁ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର