୫୭୩ କୋଚ୍‌କୁ ଆଇସୋଲେସନ୍‌ ୱାର୍ଡରେ ପରିଣତ କଲା ରେଳବାଇ

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ସଂକ୍ରମଣକୁ ଲକ୍ଷ୍ୟରେ ରଖି ଦକ୍ଷିଣ ରେଳପଥ ୫୭୩ କୋଚ୍‌କୁ ଆଇସୋଲୋସନ ୱାର୍ଡରେ ପରିଣତ କରିଛି। କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିବା ଏସବୁ ଆଇସୋଲେସନ ୱାର୍ଡରେ ସ୍ବତନ୍ତ୍ର ‌ଶୌଚାଳୟ, ସ୍ନାନାଗାର, ସାନିଟାଇଜରଯୁକ୍ତ ୱାସ ବେସିନ୍‌ର ବ୍ୟବସ୍ଥା କରାଯାଇଛି। ଗୋଟିଏ କେବିନ୍‌ରେ ଜଣେ ରୋଗୀଙ୍କର ରହିବା ବ୍ୟବସ୍ଥା ହୋଇଥିବାବେଳେ ରୋଗୀଙ୍କୁ ପରସ୍ପରଠାରୁ ଅଲଗା ରଖିବା ପାଇଁ ପ୍ଲାଷ୍ଟିକ୍‌ ପରଦାରେ କ୍ୟାବିନ୍‌କୁ ପୃଥକ କରାଯାଇଛି। ପ୍ରତି କ୍ୟାବିନରେ ପାଦ ଚାଳିତ ଡଷ୍ଟବିନ୍‌ ଏବଂ ଆବର୍ଜନା ବ୍ୟାଗ୍‌ ରଖାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତି କୋଚ୍‌ରେ ଅକ୍ସିଜେନ୍‌ ସିଲିଣ୍ଡର ରଖାଯିବାର ବ୍ୟବସ୍ଥା କରାଯାଇଥିବାବେଳେ ପ୍ରତି କ୍ୟାବିନରେ ମଶାରି, ହ୍ୟାଣ୍ଡୱାସ, ସାନିଟାଇଜର ରଖାଯାଇଛି। ସେହିଭଳି କୋଚ୍‌ରେ କରୋନା ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଭାରତୀୟ ରେଳସେବା ସେନାବାହିନୀର ସ୍ବାସ୍ଥ୍ୟସେବା ସହ କଥାବାର୍ତ୍ତା କରିଛି। ସେହିଭଳି ବିଭିନ୍ନ ଜୋନ୍‌ର ରେଳ ସ୍ବାସ୍ଥ୍ୟସେବା ସହିତ ଆୟୁଷ୍ମାନ ଭାରତ ପକ୍ଷରୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। ଭାରତୀୟ ରେଳସେବା ପାଖାପାଖି ୫ ହଜାର ପୁରୁଣା (ନନ୍‌ ଏ/ସି) କୋଚ୍‌କୁ ସ୍ବତନ୍ତ୍ର ଭାବେ କ୍ବାରାଣ୍ଟିନ୍‌ ଓ ଆଇେସୋଲେସନ କୋଚ୍‌ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଦକ୍ଷିଣ ରେଳପଥ ୫୭୩ କୋଚ୍‌କୁ ସ୍ବତନ୍ତ୍ର ଭାବେ କ୍ବାରାଣ୍ଟିନ୍‌ ଓ ଆଇସୋଲେସନ ୱାର୍ଡରେ ପରିଣତ କରିଛି। ଦେଶର ପ୍ରମୁଖ ୬ଟି ରେଳ ଡିଭିଜନ ଯଥା-ଚେନ୍ନାଇ, ମୁମ୍ବାଇ ,ପାଲଘାଟ, ତ୍ରିଚି, ସାଲେମ୍‌, ତ୍ରିଭେନ୍ଦ୍ରମରେ ଏହି ସ୍ବତନ୍ତ୍ର କ୍ବାରାଣ୍ଟିନ୍‌ କୋଚ୍‌ର ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏସବୁ କୋଚ୍‌କୁ ସ୍ବତନ୍ତ୍ର ଭାବେ ଆଇସୋଲୋସନ ୱାର୍ଡରେ ପରିଣତ କରାଯାଇଛି। ଏହି କାର୍ଯ୍ୟ ଗତ ୧୦ ତାରିଖ ମଧ୍ୟ‌ରେ ଶେଷ ହୋଇଯାଇଛି। ତେବେ କରୋନା ରୋଗୀଙ୍କୁ ସଂକ୍ରମଣମୁକ୍ତ କରିବାରେ ଏହି ସ୍ବତନ୍ତ୍ର ଆଇସୋଲୋସନ ୱାର୍ଡ ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ଭାରତୀୟ ରେଳ ବିଭାଗ ଆଶା ରଖିଛି।

ସମ୍ବନ୍ଧିତ ଖବର