ନୂଆଦିଲ୍ଲୀ : କରୋନା ସଂକ୍ରମଣ ଦୃଷ୍ଟିରୁ ଭାରତୀୟ ରେଳ ଏକ ଅଭିନବ ପଦକ୍ଷେପ ନେଇଛି । ରେଳ ଷ୍ଟେସନରେ ଭିଡ଼ କମାଇବାକୁ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଦେଶର ୨୫୦ଟି ପ୍ରମୁଖ ପ୍ଲାଟଫର୍ମରେ ଏହି ବର୍ଦ୍ଧିତ ଦର ସୀମିତ ସମୟ ପାଇଁ ଲାଗୁ ହେବ । କରୋନା ସଂକଟ ଟଳିବା ପରେ ପ୍ଲାଟଫର୍ମ ଟିକେଟ ମୂଲ୍ୟ ପୂର୍ବ ଭଳି ୧୦ ଟଙ୍କାକୁ ଫେରିଯିବ ବୋଲି ଭାରତୀୟ ରେଳ ପକ୍ଷରୁ କୁହାଯାଇଛି । ଏବେ କେବଳ ପଶ୍ଚିମ ରେଳପଥ ପକ୍ଷରୁ ଏହି ବର୍ଦ୍ଧିତ ଦର ଲାଗୁ କରାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ରେଳପଥ ଜୋନଗୁଡ଼ିକ ମଧ୍ୟ ତାହାକୁ ଲାଗୁ କରିବାର ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ସାରାଦେଶରେ ଷ୍ଟେସନ ଓ ରେଳଗାଡ଼ିଗୁଡ଼ିକରେ ପରିଚ୍ଛନ୍ନତା ଲାଗି ପଦକ୍ଷେପ ନିଆଯାଇଛି । ସେହିପରି ସାରାଦେଶରେ ବିଭିନ୍ନ ଟ୍ରେନକୁ ବାତିଲ କରାଯାଇଛି ।
କରୋନା ଭାଇରସ ଏବେ ବିଶ୍ୱର ୧୬୨ ଟି ଦେଶରେ ପହଞ୍ଚିଥିବାବେଳେ ପ୍ରାୟ ୧ ଲକ୍ଷ ୮୩ ହଜାର ଲୋକ ସଂକ୍ରମିତ ହୋଇଛନ୍ତି ଓ ୭୦୦୦ ରୁ ଅଧିକ ମୃତ୍ୟୁବରଣ କରିଛନ୍ତି । ଭାରତରେ ଏପର୍ଯ୍ୟନ୍ତ ୧୩୭ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ଓ ୩ ଜଣ ମୃତ୍ୟୁବରଣ କରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।