ନୂଆଦିଲ୍ଲୀ: ମେ ୨୧ରେ ଗୋରଖପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ଶନିବାର ଦିନ ନିଜର ଧାର୍ଯ୍ୟ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନଥିବା ଜଣା ପଡିଛି | ଯାତ୍ରୀମାନେ ଟ୍ୱିଟରରେ ଏହାର ଭିଡିଓ ସେୟାର କରିବା ପରେ ଟ୍ରେନରେ ବସିଥିବା ଲୋକଙ୍କ ଅସୁବିଧା ସାମ୍ନାକୁ ଆସିଛି। ଟ୍ରେନକୁ ଗୋରଖପୁରରେ ପହଞ୍ଚିବାକୁ ଥିବା ବେଳେ ଭୁଲବଶତଃ ଟ୍ରେନ ରାଉରକେଲାରେ ପହଂଚିବା ପରେ ଭାରତୀୟ ରେଳବାଇ ସମାଲୋଚନାର ଶିକାର ହୋଇଛି |
ଦିଲ୍ଲୀର ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଥିଲେ, “ଆମେ ଅଳ୍ପ କିଛି ଶ୍ରମିକ୍ ଟ୍ରେନକୁ ଡାଇଭର୍ଟ ରୁଟରେ ଚଲାଇବାକୁ ନିଷ୍ପତ୍ତି ନେଇଛୁ। କିଛି ଟ୍ରେନ୍ ଗତକାଲି ରାଉରକେଲା ଦେଇ ବିହାର ଅଭିମୁଖେ ଯାଇଛି। ପଶ୍ଚିମ ରେଳବାଇ ମୁଖପାତ୍ର ରବିନ୍ଦ୍ର ଭକର ଏକ ବିବୃତିରେ କହିଥିଲେ ଯେ, ଭାସାଇ ରୋଡ-ଗୋରଖପୁର ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ମେ ୨୧ରେ କଲ୍ୟାଣ-ଜାଲଗାଓଁ-ଭୁସବଲ୍-ଖଣ୍ଡୱା-ଇଟାରସି-ଜବଲପୁର-ମାଣିକପୁର ମାର୍ଗରେ ଚଳାଚଳ କରିବ। ପ୍ରଚଳିତ ରୁଟରେ ପ୍ରବଳ ଯାତାୟାତ ହେତୁ ଟ୍ରେନ ବିଲାସପୁର, ଝାରସୁଗୁଡା, ରାଉରକେଲା, ଆଦ୍ରା, ଆସାନସୋଲ ଡାଇଭର୍ଟ ରୁଟ ଦେଇ ଗୋରଖପୁରକୁ ଯିବ।
ତେବେ ଟ୍ରେନକୁ ଡାଇଭର୍ଟ ରୁଟରେ ଚଲାଇବାକୁ ନିଷ୍ପତି ନିଆଯାଇଥିବା ବେଳେ ଏ ବିଷୟରେ ଟ୍ରେନରେ ବସିଥିବା ଯାତ୍ରୀଙ୍କୁ ଜଣା ନ ଥିବା ସାମ୍ନାକୁ ଆସିଛି | ଭାରତରେ ରେଳ ଚଳାଚଳ ଇତିହାସରେ ପ୍ରଥମ ଥର ପାଇଁ ଯାତ୍ରୀମାନଙ୍କୁ ନ ଜଣାଇ ଚଳନ୍ତା ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଥିଲା ବୋଲି ଜଣା ପଡିଛି। ଯାତ୍ରୀମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ରେଳବାଇ ସେମାନଙ୍କୁ ମାର୍ଗର ପରିବର୍ତ୍ତନ ଏବଂ ଯାତ୍ରା ସମୟ ବିଷୟରେ ମଧ୍ୟ ଜଣାଇ ନାହିଁ।

ଶ୍ରମିକ ସ୍ପେସିଆଲ ଟ୍ରେନର ଜଣେ ଯାତ୍ରୀ ଶୁକ୍ରବାର ଦିନ ଟ୍ୱିଟରକୁ ଯାଇ ଲେଖିଥିଲେ , “ଗୋରଖପୁରକୁ ଫେରିବା ପାଇଁ ଆମେ ମେ ୨୧ରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଚଢିଥିଲୁ । ତଥାପି ୨୩ ଘଣ୍ଟାର ଯାତ୍ରା ସତ୍ୱେ ଆମେ ମହାରାଷ୍ଟ୍ରରେ ଅଛୁ। ଆମର ପାଖରେ ଖାଇବା ଓ ପିଇବା ପାଇଁ କିଛି ନାହିଁ। ଭିଡିଓ ସେୟାର କରି ଅନ୍ୟ ଜଣେ ଯାତ୍ରୀ କହିଥିଲେ ଯେ, ବର୍ତ୍ତମାନ ଓଡ଼ିଶାରେ ଟ୍ରେନ୍ ଅଟକି ରହିଛି ଏବଂ ଲୋକମାନେ କହୁଛନ୍ତି ଯେ ଡ୍ରାଇଭର ରାସ୍ତା ଜାଣି ପାରିନଥିବାରୁ ଏଭଳି ହୋଇଛି।
ଏଭଳି ଅଭିଯୋଗ ଆସିବା ପରେ ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରେଳବାଇ ଏପରି ଏକ ସମୟରେ କାର୍ଯ୍ୟ କରୁଛି ଯେତେବେଳେ ଅବସ୍ଥା ପ୍ରକୃତରେ ଚାଲେଞ୍ଜିଙ୍ଗ ଅଟେ। ଶହ ଶହ ଟ୍ରେନ୍ ଗୋଟିଏ ଦିଗରେ ଚଳପ୍ରଚଳ କରୁଛି। ଯାହା ପାଇଁ ରୁଟ ପରିବର୍ତନ ସହ ଟ୍ରେନକୁ ଘଣ୍ଟା ଘଣ୍ଟା ଅଟକିବାକୁ ପଡୁଛି | କିନ୍ତୁ ଏବେ ଟ୍ରାକ ଠିକ ହୋଇଥିବା ବେଳେ ଅଟକି ରହିଥିବା ଟ୍ରେନ ଚାଲିବା ଆରମ୍ଭ ହୋଇଛି |