ସାମାଜିକ ଦୂରତ୍ବ ନିମନ୍ତେ ତିନି ଥାକିଆ ବଗିର ମଝି ବର୍ଥ ଫାଙ୍କା ରଖିପାରେ ରେଳବାଇ

ମୁମ୍ବାଇ: ଟ୍ରେନ୍ ସେବା ଆରମ୍ଭ ହେବା ପରେ କରୋନାଭାଇରସ୍ ହଟଷ୍ପଟ୍ ଜୋନ୍ ହୋଇ ନ ଥିବା ଅଞ୍ଚଳରେ ହିଁ ସ୍ବତନ୍ତ୍ର ରେଳ ଚଳାଇବା କଥା ବିଚାର କରୁଛି ରେଳବାଇ। ଏହାଛଡ଼ା କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାକୁ ଏହି ଟ୍ରେନମାନଙ୍କରେ ଥିବା ତିନି ଥାକିଆ ବଗିଗୁଡ଼ିକର ମଝି ବର୍ଥଗୁଡ଼ିକୁ ଫାଙ୍କା ରଖିବାକୁ ଏବଂ ବିନା ରିଜର୍ଭେସନରେ ଯାତ୍ରା ନି‌ଷିଦ୍ଧ କରିବାକୁ ରେଳବାଇ ଚିନ୍ତା କରିଛି।

ଶୀର୍ଷସ୍ତରୀୟ ରେଳ ଅଧିକାରୀମାନଙ୍କ ସହ ଏକ ଭିଡିଓ ବୈଠକରେ ରେଳବାଇ ବୋର୍ଡର ମୁଖ୍ୟ ଭି କେ ଯାଦବ ସୂଚନା ଦେଇଛନ୍ତି ଯେ ଆକ୍ରାନ୍ତଙ୍କ ସଂଖ୍ୟାକୁ ଭିତ୍ତି କରି ସରକାର ଦେଶକୁ ଲାଲ୍, ହଳିଦଆ, ଏବଂ ସବୁଜ ଆଦି ତିନୋଟି ଜୋନରେ ବିଭକ୍ତ କରିବାକୁ ଯାଉଛନ୍ତି।

ଲାଲ୍ ଜୋନରେ ରେଳ ପରିବହନ ସେବା ବ୍ୟାହତ ‌ହେବ। ହଳଦିଆ ଜୋନରେ ସୀମିତ ରେଳସେବା ଚାଲିବ। ସବୁଜ ଜୋନରେ ରେଳ ସେବା ଉପରେ କୌଣସି କଟକଣା ରହିବ ନାହିଁ। କିନ୍ତୁ, ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ସେ କହିଛନ୍ତି।

ରେଳ ସେବା ଆରମ୍ଭ ହେଲେ ସାମାଜିକ ଦୂରତ୍ବ ନିୟମ ବିଷୟରେ ନିଶ୍ଚିତ ହେବାକୁ ସରକାର ଗ୍ରହଣ କରିବାକୁ ଥିବା ବିଭିନ୍ନ ପ‌ଦକ୍ଷେପ ସଂକ୍ରାନ୍ତରେ ଆଲୋଚନା ହେଉଥିବା ରେଳ ଅଧିକାରୀମାନଙ୍କ ଠାରୁ ଶୁଣାଯାଉଛି।  ସଂକ୍ରମଣ ସଂଖ୍ୟା ହ୍ରାସ ନ ପାଇବା ଯାଏଁ ଟ୍ରେନର ମଝି ବର୍ଥରେ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ। ଟେନରେ ଖାଦ୍ୟ ପର୍ଦର୍ଥ କିଂବା କମ୍ବଳ ଆଦି ମିଳିବ ନାହିଁ। ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟ୍ରେନରେ ଯାତ୍ରା ନିମନ୍ତେ ଅନୁମତି ମିଳି ନ ପାରେ। ‌କରୋନାଭାଇରସ୍ ଆକ୍ରାନ୍ତଙ୍କୁ ଟ୍ରେନ୍ ଚଢ଼ାଇ ନ ଦେବାକୁ ଯାତ୍ରୀମାନଙ୍କର ଥର୍ମାଲ୍ ସ୍କାନିଙ୍ଗ୍ ମଧ୍ୟ୍ୟ କରାଯାଇ ପାରେ। ସମସ୍ତ ଯାତ୍ରୀ ମୁହଁରେ ମାସ୍କ ବାନ୍ଧିବା ବାଧ୍ୟତାମୂଳକ ଏବଂ ତାହା ନ ଥିଲେ ଦଣ୍ଡାଦେଶ ହୋଇପାରେ। କିନ୍ତୁ, ଏପ୍ରିଲ୍ ୩୦ ତାରିଖ ଯାଏଁ ମୁମ୍ବାଇ, ଦିଲ୍ଲୀ, ସିକନ୍ଦରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁରେ ଟ୍ରେନ୍ ଚଳାଚଳ ସମ୍ଭବପର ନୁହେଁ ବୋଲି ରେଳ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର