ଟୁ-ଏସି କୋଚ୍‌ରୁ ପରଦା କାଢ଼ି ଦେଇ ପାରେ ରେଳବାଇ

ନୂଆଦିଲ୍ଲୀ: ଟ୍ରେନ୍‌ର ଶୀତତାପ ନିୟନ୍ତ୍ରିତ ଟୁ-ଟାୟର୍‌ କୋଚ୍‌ରେ ପାସେଞ୍ଜର୍‌ କ୍ୟୁବିକ୍ଲ୍‌ସ୍‌ଗୁଡ଼ିକୁ ଆଚ୍ଛାଦନ କରୁଥିବା ପରଦାଗୁଡ଼ିକୁ ସଫା କରିବାରେ ଅଡୁଆ ହେଉଥିବାରୁ ସେଗୁଡ଼ିକୁ କାଢ଼ି ନେବାକୁ ଭାରତୀୟ ରେଳବାଇ ବିଚାର କରୁଛି।

କେତେକ ଯାତ୍ରୀ ସେହି ପରଦାଗୁଡ଼ିକୁ ହାତ ପୋଛିବା ଠାରୁ ଆରମ୍ଭ କରି ଜୋତା ପୋଛାପୋଛି କାମରେ ଲଗାଉଛନ୍ତି। ଯାତ୍ରୀଙ୍କ ଗୋପନୀୟତା ପାଇଁ ଲଗାଯାଇଥିବା ସେ ପରଦା ସବୁକୁ ସଫା କରିବା କାଠିକର ପାଠ ହେଉଛି ବୋଲି ରେଳବାଇ ବୋର୍ଡ ଅଧିକାରୀମାନେ କହିଛନ୍ତି।

ପରଦାଗୁଡ଼ିକୁ ମାସରେ ଥରେ ସଫା କରାଯାଏ, କିନ୍ତୁ ବରାବର ବ୍ୟବହାର କରାଯାଉଥିବାରୁ ତାହା ଅପରିଚ୍ଛନ୍ନ ହୋଇ ଯାଉଛି। ଏ ବିଷୟରେ ଆଲୋଚନା କରିବାକୁ ଅଳ୍ପ କେତୋଟି ବୈଠକ ବସି ସାରିଲାଣି। ବଡ଼ ପରଦା ବଦଳରେ ସେଗୁଡ଼ିକୁ ସାନ ପରଦା ଦ୍ୱାରା ଆବୃତ କରାଯିବ ବୋଲି କୁହାଯାଉଛି।

ଜଣେ ରେଳବାଇ ଅଧିକାରୀ କହନ୍ତି: ଦୁଇଟି ପ୍ରସ୍ତାବ ଅଛି। ମାସ ଶେଷ ସୁଦ୍ଧା ଆମେ ଗୋଟିକୁ ଚୂଡ଼ାନ୍ତ କରିବୁ। ଛୋଟ ପରଦା ଲଗାଇଲେ ଅର୍ଥ ବ୍ୟୟ ହେବ। ଅର୍ଥାଭାବ ନ ଥିଲେ ବି ତାହା ଅନ୍ୟ କାମରେ ଖର୍ଚ୍ଚ କରିହେବ। ବୈଠକରେ ଆମେ ବିକଳ୍ପ ବ୍ୟବସ୍ଥା ଆଲୋଚନା କରିଛୁ, ଖୁବ୍‌ ଶୀଘ୍ର ଫଏସଲା କରିବୁ।

ନିରାପତ୍ତା କାରଣରୁ ୨୦୧୪ରେ ଭାରତୀୟ ରେଳବାଇ ଥ୍ରି-ଟାୟର୍‌ କୋଚ୍‌ର ଶୀତତ୍ତାପ ନିୟନ୍ତ୍ରିତ କ୍ୟୁବିକ୍ଲ୍‌ରୁ ପରଦା କାଢ଼ି ଦେଇଛି।

ସମ୍ବନ୍ଧିତ ଖବର