ହାୱଡା-କାଲକା ମେଲର ନାଁ ବଦଳି ହେଲା ନେତାଜୀ ଏକ୍ସପ୍ରେସ୍

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁରେ ନାମିତ ହେଲା ଟ୍ରେନ୍ । ରେଳ ମନ୍ତ୍ରାଳୟ ମଙ୍ଗଳବାର ହାୱଡା-କାଲକା ମେଲ୍ ଟ୍ରେନର ନାଁ ବଦଳାଇ ଏହାକୁ ନେତାଜୀ ଏକ୍ସପ୍ରେସ୍ କରିଛି । ରେଲୱେ ବୋର୍ଡର ଡେପୁଟି ଡିରେକ୍ଟର (କୋଚିଂ) ରାଜେଶ କୁମାର ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ।

ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ କେନ୍ଦ୍ର ସରକାର ଭୋଟରଙ୍କୁ ନିଜ ପକ୍ଷକୁ ନେବାକୁ ସମସ୍ତ ଉଦ୍ୟମ ଜାରି ରଖିଛି । ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ସୁଭାଷ ବୋଷଙ୍କ ଜନ୍ମଦିନକୁ ପ୍ରତିବର୍ଷ ‘ପରାକ୍ରମ ଦିବସ’ ଭାବେ ପାଳନ କରିବେ ବୋଲି ଘୋଷଣା କରିଛନ୍ତି । ରାଜେଶ କୁମାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ରାଷ୍ଟ୍ର ପ୍ରତି ତାଙ୍କ ଅତୁଲ୍ୟ ଅବଦାନକୁ ସ୍ମରଣ କରାଯାଉଛି । ଏହାକୁ ଆଖି ରଖି ରେଳ ବିଭାଗ ମଧ୍ୟ କାଲକା ମେଲର ନାଁ ବଦଳାଇ ଏହାକୁ ନେତାଜୀ ଏକ୍ସପ୍ରେସ କରିଛି ।

ଏହାଦ୍ୱାରା ଯୁବକମାନେ ନେତାଜୀଙ୍କ ଜୀବନରୁ ପ୍ରେରଣା ପାଇବା ସହିତ ସମସ୍ତ ବିପତ୍ତିକୁ ସାମନା କରିପାରିବେ। ସେମାନଙ୍କ ମନରେ ଦେଶଭକ୍ତି ଭାବ ଜାଗ୍ରତ ହେବ ବୋଲି ମଧ୍ୟ କୁହାଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ତତ୍‌କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ୨୦୦୯ ଜାନୁଆରୀ ୨୩ ତାରିଖରେ ଗୋମା ଜଙ୍କସନର ନାଁ ବଦଳାଇ ଏହାକୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜଙ୍କସନ କରିଥିଲେ ।
ସମ୍ବନ୍ଧିତ ଖବର