ଏବେ ଶ୍ରମିକ ଟ୍ରେନ୍‌ରେ ୧୭୦୦ରୁ ଅଧିକ ଶ୍ରମଜୀବୀ ଯାଇ ପାରିବେ: ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଏବେ ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌ରେ ୧୭୦୦ ଊର୍ଦ୍ଧ୍ବ ଶ୍ରମଜୀବୀ ଯାତ୍ରା କରିପାରିବେ ବୋଲି ସଂଶୋଧିତ ମାର୍ଗଦର୍ଶିକାରେ ରେଳ ମନ୍ତ୍ରାଳୟ କହିଛି।

ସମ୍ପ୍ରତି ଗୋଟିଏ ଶ୍ରମିକ ସ୍ପେସାଲ୍ ଟ୍ରେନ୍‌ରେ ୧୨୦୦ ଯାତ୍ରୀ ଯାତ୍ରା କରୁଛନ୍ତି। ସଂଶୋଧିତ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ଏହି ଟ୍ରେନ୍‌ଗୁଡ଼ିକରେ ଥିବା ବର୍ଥ ଓ ସ୍ଲିପର୍ ସଂଖ୍ୟା ସହ ଯାତ୍ରୀସଂଖ୍ୟା ମଧ୍ୟ ସମାନ ହେବ।

ଏହାଛଡ଼ା ଅନ୍ତିମ ରହଣିସ୍ଥଳ ବ୍ୟତୀତ, ଟ୍ରେନ୍ ଯାତ୍ରା କରୁଥିବା ରାଜ୍ୟ‌ର ଆଉ ତିନୋଟି ସ୍ଥାନରେ ସମ୍ପୃକ୍ତ ଟ୍ରେନ୍‌ଗୁଡ଼ିକର ରହଣି ବ୍ୟବସ୍ଥା କରିବାକୁ ରେଳବାଇ ଜୋନ୍‌ଗୁଡ଼ିକୁ କୁହାଯାଇଛି। ଅବଶ୍ୟ ଏଥିପାଇଁ ରାଜ୍ୟ ସରକାରମାନେ ଅନୁରୋଧ କରିଥିଲେ।

Image Source: Yahoo News

ଏହାଛଡ଼ା, ରେଳମନ୍ତ୍ରାଳୟ ସମସ୍ତ ରାଜ୍ୟକୁ, ବିଶେଷକରି ସୀମିତ ଶ୍ରମିକ ଟ୍ରେନ୍‌ଗୁଡ଼ିକୁ ଆସିବାକୁ ଅନୁମତି ଦେଉଥିବା ରାଜ୍ୟଙ୍କୁ ନିବେଦନ କରିଛି ଯେ ସେମାନେ ଉଦାରତାର ସହ ସବୁ ଟ୍ରେନ୍‌କୁ ଅନୁମତି ଦିଅନ୍ତୁ। ରବିବାର ଦିନ ଏ ବିଷୟରେ ରାଜ୍ୟମାନଙ୍କ ସହ ବୈଠକ କରିବା ପରେ ସେମାନଙ୍କୁ ପତ୍ର ଲେଖିଥିଲେ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ମେ ୯ ତାରିଖ ସୁଦ୍ଧା ୨୮୭ ‌ଶ୍ରମିକ ଟ୍ରେନ୍ ବାତିଲ କରାଯାଇଛି। ସେଥିରୁ ଉତ୍ତର ପ୍ରଦେଶ ୧୨୭ଟି, ବିହାରରେ ୮୭ଟି, ମଧ୍ୟପ୍ରଦେଶରେ ୨୪ଟି, ଓଡ଼ିଶାରେ ୨୦ଟି, ଝାଡ଼ଖଣ୍ଡରେ ୧୬ଟି, ରାଜସ୍ଥାନରେ ୪ଟି, ମହାରାଷ୍ଟ୍ରରେ ତିନିଟି, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଦୁଇଟି କରି ଓ ଆନ୍ଧ୍ରପ୍ରଦେଶ ଓ ହିମାଚଳ ପ୍ରଦେଶରେ ଗୋଟିଏ ଲେଖାଏଁ ଟ୍ରେନ୍ ଯିବା ପାଇଁ ସ୍ଥିର ହୋଇଥିଲା।

ସମ୍ବନ୍ଧିତ ଖବର