ଟ୍ରେନ୍‌ରେ ଯାତ୍ରୀମାନଙ୍କୁ ଦିଆ ଯାଉଥିବା ଖାଦ୍ୟର ମାନ ଓ ଗୁଣବତ୍ତା ଉପରେ ଏଣିକି ତୀକ୍ଷ୍ଣ ଦୃଷ୍ଟି ରଖିବ ଗୁଇନ୍ଦା କ୍ୟାମେରା

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନ୍‌ ମଧ୍ୟରେ ଯାତ୍ରୀମାନଙ୍କୁ ପରଷା ଯାଉଥିବା ଖାଦ୍ୟ ମନୁଷ୍ୟମାନଙ୍କ ପାଇଁ ଗ୍ରହଣଯୋଗ୍ୟ ବା ଖାଦ୍ୟ ଉପଯୋଗୀ ନୁହେଁ ଦେଶର କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ (କାଗ୍‌) କଟୁ ମନ୍ତବ୍ୟ ଦେବା ସହ ଏହି ମାମଲାରେ ରେଳବାଇର କଡ଼ା ସମାଲୋଚନା କରିବା ପରେ ଏବେ ରେଳବାଇର ଚେତା ପଶିଛି। ଟ୍ରେନ୍‌ ମଧ୍ୟରେ ଯାତ୍ରୀମାନଙ୍କୁ ପରଷା ଯାଉଥିବା ଖାଦ୍ୟର ମାନ ଓ ଗୁଣବତ୍ତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବା ପାଇଁ ଏକ ନୂତନ ବ୍ୟବସ୍ଥାର ପ୍ରଚଳନ କରିଛି ରେଳବାଇ। ଏହି ନୂତନ ବ୍ୟବସ୍ଥାକୁ କୃତ୍ରିମ ଗୁଇନ୍ଦା ବ୍ୟବସ୍ଥା (ଆଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ) ବୋଲି କୁହାଯାଉଛି।

ଏହି କୃତ୍ରିମ ଗୁଇନ୍ଦା ବ୍ୟବସ୍ଥାରେ ରେଳ ମଧ୍ୟରେ ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଉଥିବା ଆଇଆରସିଟିସିର ରନ୍ଧନଶାଳା ଓ ଟ୍ରେନ୍‌ ଭିତରେ ଥିବା ପ୍ୟାଣ୍ଟ୍ରିକାର୍‌ ମାନଙ୍କରେ ଏଣିକି ଉଚ୍ଚଶକ୍ତି ସମ୍ପନ୍ନ ସ୍ୱତନ୍ତ୍ର ଧରଣର ସିସିଟିଭି କ୍ୟାମେରା ଲାଗିବ। ଏହି କ୍ୟାମେରାଗୁଡ଼ିକ ରନ୍ଧନଶାଳାର ରୋଷେୟା ଓ ହେଉଥିବା ରେଷେଇ ଏବଂ ଯାତ୍ରୀମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟ ପ୍ୟାକେଟ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବ। ଯଦି କୌଣସି ଠାରେ କୌଣସି ପ୍ରକାରର ତ୍ରୁଟିବିଚ୍ୟୁତି ବା ଅସଙ୍ଗତି ପରିଲକ୍ଷିତ ହୁଏ ତେବେ ଏହି ସ୍ୱତନ୍ତ୍ର ସିସିଟିଭି କ୍ୟାମେରା ସଙ୍ଗେସଙ୍ଗେ ସେଗୁଡ଼ିକୁ ଠାବ କରି ତାହାର ଚିତ୍ର ସର୍ଭରକୁ ପଠାଇବ।

ପରେ ସର୍ଭରରୁ ସେଇ ତ୍ରୁଟିବିଚ୍ୟୁତି ବା ଅସଙ୍ଗତି ସଂପର୍କରେ ସଙ୍ଗେସଙ୍ଗେ ସଂପୃକ୍ତ ରନ୍ଧନଶାଳା ବା ପ୍ୟାଣ୍ଟ୍ରିକାର ଦାୟିତ୍ୱରେ ଥିବା କଣ୍ଟ୍ରାକ୍ଟର ଓ ସୁପରଭାଇଜରଙ୍କୁ ସେମାନଙ୍କ ମୋବାଇଲରେ ସୂଚୀତ କରିବ। ଯଦି ସୂଚୀତ କରିବାର ୧୫ ମିନିଟ ମଧ୍ୟରେ ସଂପୃକ୍ତ ତ୍ରୁଟିବିଚ୍ୟୁତି ବା ଅସଙ୍ଗତିକୁ ସଜାଡ଼ା ନଯାଏ, ତେବେ ପରବର୍ତ୍ତୀ ସମୟରେ ସେଇ ତ୍ରୁଟିବିଚ୍ୟୁତି ବା ଅସଙ୍ଗତି ସଂପର୍କରେ ସିଧାସଳଖ ଆଇଆରସିଟିସିର ପରିଚାଳନା ନିର୍ଦ୍ଦେଶକଙ୍କୁ ଅବଗତ କରାଇବ। ଏଥିସହ କ୍ୟାମେରା ଦ୍ୱାରା ଠାବ ହେଉଥିବା ପ୍ରତି ତ୍ରୁଟିବିଚ୍ୟୁତି ବା ଅସଙ୍ଗତିର ରେକର୍ଡ ରହିବ। ଯାହାର ସମୀକ୍ଷା ପରବର୍ତ୍ତୀ ସମୟରେ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନୂତନ ବ୍ୟବସ୍ଥାର ପ୍ରଚଳନ ହେଲେ ଚଳନ୍ତା ଟ୍ରେନ୍‌ ମଧ୍ୟରେ ଯାତ୍ରୀମାନଙ୍କୁ ପରଷା ଯାଉଥିବା ଖାଦ୍ୟର ମାନ ଓ ଗୁଣବତ୍ତାରେ ଉନ୍ନତି ଆସିବ ବୋଲି ରେଳବାଇର ଉଚ୍ଚ କର୍ତୃପକ୍ଷ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର