ଏଣିକି ଘରଠାରୁ ୩୦୦ କିଲୋମିଟର ଦୂରତା ଭିତରେ ପରୀକ୍ଷା ଦେବେ ରେଳ ବିଭାଗରେ ଚାକିରି ଆଶାୟୀ ପ୍ରାର୍ଥୀ

ଗୁଗୁଲ୍ ମ୍ୟାପ୍ ବ୍ୟବହାର କରି ପରୀକ୍ଷା କେନ୍ଦ୍ର ଚୟନ କରିବ ଭାରତୀୟ ରେଳ ବିଭାଗ

ନୂଆଦିଲ୍ଲୀ: ଭାରତୀୟ ରେଳର କୌଣସି ପଦବି ଲାଗି ପରୀକ୍ଷା ଦେବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର । ଏଣିକି ଘରଠାରୁ ୩୦୦ କିଲୋମିଟର ଦୂରତା ଭିତରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଯାହାଦ୍ବାରା ପ୍ରାର୍ଥୀଙ୍କ ସମୟ ଓ ଖର୍ଚ୍ଚ ବଞ୍ଚିଯିବ। ଭାରତୀୟ ରେଳ ବିଭାଗ ନେଇଛି ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି।

ରେଲୱେ ରିକ୍ରୁଟମେଣ୍ଟ୍ ବୋର୍ଡ (ଆରଆରବି) ପରିଚାଳିତ  ପରୀକ୍ଷାର ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଘରଠାରୁ ଅନେକ ଦୂରରେ ପରୀକ୍ଷା କେନ୍ଦ୍ର ଦିଆଯାଉଛି । ଯାହାଫଳରେ ସେମାନଙ୍କୁ ଦୂରଯାତ୍ରା କରିବାକୁ ପଡ଼ୁଛି, ଖାଦ୍ୟ-ପାନୀୟ ପାଇଁ ଅତିରିକ୍ତ ଅର୍ଥ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ୁଛି ।

ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ପ୍ରତ୍ୟେକ ପ୍ରାର୍ଥୀଙ୍କ ଦ୍ବାରା ଦିଆଯାଇଥିବା ପିନ୍ କୋଡ୍ ଠିକଣା ସହିତ ଗୁଗୁଲ୍ ମ୍ୟାପ୍ ମାଧ୍ୟମରେ ସେମାନଙ୍କ ଘରଠାରୁ ୩୦୦ କିଲୋମିଟର ଦୂରତା ମଧ୍ୟରେ ଥିବା ପରୀକ୍ଷା କେନ୍ଦ୍ର ରହିବ । ଏହା ସହିତ ବସ୍ ଏବଂ ଟ୍ରେନ୍ ଭଳି ବିଭିନ୍ନ ପ୍ରକାରର ପରିବହନ ମାଧ୍ୟମରେ ପରୀକ୍ଷା କେନ୍ଦ୍ରକୁ ଟ୍ରାଫିକ୍ ସୁବିଧା ରହିବା ଉପରେ ଗୁତୁତ୍ବ ଦିଆଯିବ । ରେଳବାଇର ଏହି ନୂଆ ପ୍ରକ୍ରିୟା ଜୁଲାଇ ୩୦ରେ ହେବାକୁ ଥିବା ଲେବୁଲ୍ -୬ ଏବଂ କମ୍ପ୍ୟୁଟର ଆଧାରିତ ଲେବୁଲ୍-୪ ପରୀକ୍ଷଣରେ କାର୍ଯ୍ୟକାରୀ ହେବ । ଏହି ପରୀକ୍ଷାରେ ୭,୦୨୬ ପଦବି ପାଇଁ ୯୦ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ ଯେଉଁଥିରେ ପ୍ରାୟ ୬୦ ହଜାର ପ୍ରାର୍ଥୀ ପରୀକ୍ଷା ଦେବେ ।

ରେଳବାଇ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଆମେ ୯୯ ପ୍ରତିଶତ ପ୍ରାର୍ଥୀଙ୍କୁ ୩୦୦ କିଲୋମିଟର ବ୍ୟାସାର୍ଦ୍ଧରେ ପରୀକ୍ଷା କେନ୍ଦ୍ର ଯୋଗାଇବାରେ ସକ୍ଷମ ହୋଇଥିବା ବେଳେ ଶତପ୍ରତିଶତ ମହିଳା ପ୍ରାର୍ଥୀ ୪୦୦ କିଲୋମିଟର ଦୂରତା ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ସ୍ଥାନ ପାଇଛନ୍ତି । ଆରଆରବି ଦ୍ବାରା ଅନ୍ତିମ ପର୍ଯ୍ୟାୟ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ତାଲିକା ପ୍ରକାଶ ପାଇବା ପରେ ଅଧିକାଂଶ ପ୍ରାର୍ଥୀ ଟ୍ୱିଟରକୁ ଯାଇ ସେମାନଙ୍କୁ ଦିଆଯାଇଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକ ବିଷୟରେ ଚିନ୍ତା ପ୍ରକଟ କରିଥିଲେ । କୋଲକାତାର ଜଣେ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି ଯେ ତାଙ୍କୁ କର୍ଣ୍ଣାଟକରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବାବେଳେ ବେଙ୍ଗାଲୁରୁର ଜଣେ ପ୍ରାର୍ଥୀ କହିଛନ୍ତି ଯେ ତାଙ୍କୁ ୧,୯୦୦ କିଲୋମିଟର ଦୂରରେ ଥିବା ରାଞ୍ଚିରେ ପରୀକ୍ଷା କେନ୍ଦ୍ର ଦିଆଯାଇଛି । ଏଥି ସହିତ, ଅଧିକାରୀମାନେ କହିଛନ୍ତି ଯେ ଉତ୍ତର ପୂର୍ବାଞ୍ଚଳର ପ୍ରାର୍ଥୀମାନେ ୩୦୦ କିଲୋମିଟର ବ୍ୟାସାର୍ଦ୍ଧରେ ରଖିବା କଷ୍ଟକର ହୋଇଥାଏ କାରଣ ସେଠାରେ ଅଳ୍ପ ପରୀକ୍ଷା କେନ୍ଦ୍ର ଅଛି।

ସମ୍ବନ୍ଧିତ ଖବର