ଟ୍ରେନ୍‌ରେ ୨.୯ ଲକ୍ଷ ଟଙ୍କାର ଜିନିଷ ଚୋରି ପରେ ଅନୁକମ୍ପାମୂଳକ ରାଶି ପ୍ରଦାନ ଲାଗି ଅଦାଲତଙ୍କ ନିର୍ଦ୍ଦେଶ

ମୁମ୍ବାଇ: ଆପଣମାନେ ଜାଣିଥିବେ ଟ୍ରେନରେ ଯାତ୍ରା କରିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଖାସ୍‌ କରି ଲୋକାଲ୍‌ ଟ୍ରେନ୍‌ରେ ଏହି ଆଶଙ୍କା ଅଧିକ । ଭିଡ଼ର ମଉକା ପାଇ ଚୋରମାନେ ଖୁବ୍‌ ଆରାମରେ ଲୋକମାନଙ୍କର ମୂଲ୍ୟବାନ୍‌ ଜିନିଷକୁ ଚୋରି କରି ଥାଆନ୍ତି । ଏଥି ପାଇଁ ଲୋକମାନେ ଟ୍ରେନରେ ଯାତ୍ରା କରିବା ବେଳେ ଖୁବ୍‌ ଯଥେଷ୍ଟ ସତର୍କତା ଅବଲମ୍ବନ କରି ଥାଆନ୍ତି । କିନ୍ତୁ ଏତେ ସତର୍କତା ସତ୍ତ୍ୱେ ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ଲୋକମାନେ ନିଜ ନିଜର ଜିନିଷ ହରାଇ ଥାଆନ୍ତି ।

୨୦୧୫ ମାର୍ଚ୍ଚ ୧୪ରେ ସେଭଳି ଏକ ଘଟଣାର ସାମ୍ନା କରିଥିଲେ ଉଲ୍ଲାସନଗର ଜିଲ୍ଳାର ବିନୋଦ ନାୟକ । ନିଜ ସ୍ତ୍ରୀ ଏବଂ ୪ବର୍ଷର ଝିଅ ସହ କୋଚୁଭେଲୀ-ମୁମ୍ବାଇ ଲୋକମାନ୍ୟ ତିଲକ୍‌ ଟର୍‌ମିନସ୍‌ ଏକ୍ସପ୍ରେସରେ ଯାତ୍ରା କରୁଥିବା ବେଳେ ତାଙ୍କ ସହ ଘଟିଥିଲା ଅଘଟଣ । ଅପରାହ୍ନ ୨.୧୦ ସମୟରେ କିଛି ଦୁର୍ବୃତ୍ତ ହଠାତ୍‌ ଟ୍ରେନ୍‌ର ଚେନ୍‌ ଟାଣି ଦେବାରୁ ଟ୍ରେନ୍‌ଟି କୋଲାଡ଼୍‍-ମନ୍‌ଗାଓଁ ଷ୍ଟେସନ ମଧ୍ୟରେ ଅଟକି ଯାଇଥିଲା । ଏହି ସମୟରେ କିଛି ଅଜଣା ଯୁବକ ଟ୍ରେନ୍‌ ମଧ୍ୟକୁ ପଶି ଆସିବା ସହ ହତ୍ୟା ଧମକ ଦେଇ ତାଙ୍କ ସ୍ତ୍ରୀଙ୍କ ବେକରୁ ସୁନା ଚେନ୍‌, ମୋବାଇଲ ଫୋନ୍‌ ଏବଂ ପାଖରେ ଥିବା ଟଙ୍କା ଚୋରି କରି ନେଇଥିଲେ ।

indiatimes.com

ଏହି ଘଟଣା ପରେ ବିନୋଦ ରେଳ ଅଧିକାରୀଙ୍କୁ ଘଟଣା ସଂପର୍କରେ ଜଣାଇବା ସହ ତାଙ୍କର ପାଖାପାଖି ୨.୯ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇଛି ବୋଲି ଅଭିଯୋଗ କରିଥିଲେ । ଏହି ମାମଲା ଉପରେ ଶୁଣାଣି କରି ଥାନେର ଖାଉଟି ଅଦାଲତ ବିନୋଦଙ୍କୁ ଅନୁକମ୍ପା ମୂଳକ ରାଶି ଦେବା ପାଇଁ କୋଙ୍କଣ ରେଳ ନିଗମକୁ ଆଦେଶ ଦେଇଥିବା ଜଣା ପଡ଼ିଛି । ଯାତ୍ରା ସମୟରେ ରେଳ ବିଭାଗ, ଯାତ୍ରୀ ଏବଂ ତାଙ୍କ ଜିନିଷକୁ ସୁରକ୍ଷିତ ରଖିବା ଦରକାର ବୋଲି କହିବା ସହ ବିନୋଦଙ୍କୁ ୧.୬୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବା ପାଇଁ ନିଷ୍ପତ୍ତିି ନେଇଛି ଥାନେ ଖାଉଟି ଅଦାଲତ ।

ସମ୍ବନ୍ଧିତ ଖବର