ସେପ୍ଟେମ୍ବର ୧୨ରୁ ଚାଲିବ ୮୦ଟି ନୂଆ ସ୍ବତନ୍ତ୍ର ଟ୍ରେନ୍, ସେପ୍ଟେମ୍ବର ୧୦ରୁ ବୁକିଙ୍ଗ୍ ଆରମ୍ଭ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ ତାରିଖରୁ ୮୦ଟି ସ୍ବତନ୍ତ୍ର ଟ୍ରେନ୍  ଚଳାଚଳ କରିବ ଏବଂ ଏଥିପାଇଁ ସେପ୍ଟେମ୍ବର ୧୦ ତାରିଖରୁ ରିଜର୍ଭେସନ୍ ଆରମ୍ଭ ହେବ ବୋଲି ଶନିବାର ଦିନ ରେଳ ବୋର୍ଡ ଅଧ୍ୟକ୍ଷ ଭିକେ ଯାଦବ କହିଛନ୍ତି।

ସେ କହିଛନ୍ତି ଆଜି କିଛି ସମୟ ପରେ ଟ୍ରେନ୍ ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ ପାଇବ।

ସେପ୍ଟେମ୍ବର ୧୨ ତାରିଖରୁ ୮୦ଟି ନୂଆ ସ୍ବତନ୍ତ୍ର ଟ୍ରେନ୍  ଅର୍ଥାତ୍ ୪୦ ଯୋଡ଼ା ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ଏଥିରେ ଯାତ୍ରା ଲାଗି ସେପ୍ଟେମ୍ବର ୧୦ ତାରିଖରୁ ରିଜର୍ଭେସନ୍ ଆରମ୍ଭ ହେବ। ପୂର୍ବରୁ ଚଳାଚଳ କରୁଥିବା ୨୩୦ଟି ସ୍ବତନ୍ତ୍ର ଟ୍ରେନ ସହ ଏହି ନୂଆ ଟ୍ରେନ୍ ଚାଲିବ ବୋଲି ଯାଦବ ସୂଚନା ଦେଇଛନ୍ତି।

ସମ୍ପ୍ରତି ଚଳାଚଳ କରୁଥିବା କେଉଁ ସବୁ ଟ୍ରେନ୍‌ରେ ଅଧିକ ୱେଟିଙ୍ଗ୍ ଲିଷ୍ଟ୍‌ ରହୁଛି ତାହା ଧାର୍ଯ୍ୟ କରିବାକୁ ରେଳବାଇ ସମସ୍ତ ଟ୍ରେନ୍‌ଗୁଡ଼ିକୁ ଅନୁଧ୍ୟାନ କରିବ ବୋଲି ସେ ସୂଚନା ଦେଇଛନ୍ତି। ନିର୍ଦ୍ଦିଷ୍ଟ କୌଣସି ଟ୍ରେନ୍‌ ନିମନ୍ତେ ଯେଉଁଠାରେ ଚାହିଦା ଥିବା ଦେଖାଯିବ, ଯେଉଁଠି ଅଧିକ ୱେଟିଙ୍ଗ୍ ଲିଷ୍ଟ୍‌ ରହୁଥିବ ମୂଳ ଟ୍ରେନ୍ ସହ ଆମେ କ୍ଲୋନ୍‌ ଟ୍ରେନ୍ ଚଳାଇବୁ। ଫଳରେ ଯାତ୍ରୀମାନେ ଭଲରେ ଗମନାଗମନ କରିପାରିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପରୀକ୍ଷା କିଂବା ସେଭଳି କୌଣସି ଉଦ୍ଦେଶ୍ୟରେ ରାଜ୍ୟମାନେ ଯେତେବେଳେ ଆବଶ୍ୟକ  କରିବେ ସେତେବେଳେ ରେଳବାଇ ଟ୍ରେନ୍‌ ଚଳାଇବ।

ସମ୍ବନ୍ଧିତ ଖବର