ଟ୍ରେନ୍‌ ଟିକେଟ ମୂଲ୍ୟରେ ଲାଗୁ ହୋଇପାରେ ପରିବର୍ତ୍ତନଶୀଳ ମୂଲ୍ୟ ବ୍ୟବସ୍ଥା

ନୂଆଦିଲ୍ଲୀ: ଯାତ୍ରୀମାନଙ୍କୁ ଟ୍ରେନ୍‌ରେ ଯାତ୍ରା ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ବିମାନ ପରି ଟ୍ରେନ୍‌ ଟିକେଟ ମୂଲ୍ୟରେ ପରିବର୍ତ୍ତନଶୀଳ ମୂଲ୍ୟ ବ୍ୟବସ୍ଥା  ଲାଗୁ କରିବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଚିନ୍ତା କରାଯାଉଛି ବୋଲି ରେଳ ମନ୍ତ୍ରୀ ପିୟୂଷ ଗୋଏଲ କହିଛନ୍ତି । ଏହି ବ୍ୟବସ୍ଥାରେ ଯାତ୍ରାକାଳ, ଯାତ୍ରା ସମୟ, ଯାତ୍ରୀ ସଂଖ୍ୟା, ଟିକେଟର ଚାହିଦା ଓ ଟିକେଟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟ୍ରେନ୍‌ ଟିକେଟର ମୂଲ୍ୟ ନିର୍ଦ୍ଧାରଣ କରାଯିବ। ଏହି ଉଦ୍ଦେଶ୍ୟରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଛି ଏବଂ କମିଟି ରିପୋର୍ଟ ପ୍ରଦାନ କରିବା ପରେ ରିପୋର୍ଟକୁ ଅନୁଧ୍ୟାନ କରାଯାଇ ଏହି ବ୍ୟବସ୍ଥାର ପ୍ରବର୍ତ୍ତନ କରାଯିବ। ଏହି ବ୍ୟବସ୍ଥାର ପ୍ରଚଳନ ହେଲେ ଟ୍ରେନ୍‌ରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବା ସହ ରେଳ ବିଭାଗର ରାଜସ୍ୱରେ ମଧ୍ୟ ବୃଦ୍ଧି ଘଟିବ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ ଆଶା ପ୍ରକଟ କରିଛନ୍ତି ।

ଆଜି ସଂସଦର ରାଜ୍ୟସଭାରେ ପ୍ରଶ୍ନତ୍ତୋର କାଳରେ ସାଂସଦମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ରେଳ ମନ୍ତ୍ରୀ ଶ୍ରୀ ଗୋଏଲ ଏହି ସୂଚନା ପ୍ରଦାନ କରିଛନ୍ତି। ତେବେ, ଏହି ନୂତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏହାର ବିଭିନ୍ନ ଦିଗ, ଯେପରିକି ଯାତ୍ରୀମାନଙ୍କର ସୁବିଧା ଅସୁବିଧା, ରେଳ ବିଭାଗର ଲାଭକ୍ଷତି ଆଦି ବିଭିନ୍ନ ଦିଗ ପ୍ରତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବାକୁ ଗଠିତ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମସ୍ତ ଦିଗପ୍ରତି ସବୁ ସ୍ତରରୁ ବ୍ୟାପକ ଅନୁଧ୍ୟାନ କରି କମିଟି ରିପୋର୍ଟ ପ୍ରଦାନ କରିବା ପରେ ରିପୋର୍ଟକୁ ଅନୁଧ୍ୟାନ କରି ମନ୍ତ୍ରାଳୟ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ। ତେବେ, ଏହି ବ୍ୟବସ୍ଥା ଯଦି କାର୍ଯ୍ୟକାରୀ ହୁଏ ତେବେ ଉଭୟ ଯାତ୍ରୀ ଓ ରେଳବିଭାଗ ଏହା ଦ୍ୱାରା ଲାଭବାନ୍‌ ହେବେ ବୋଲି ମନ୍ତ୍ରୀ ଶ୍ରୀ ଗୋୟଲ ସଂସଦରେ ସାଂସଦମାନଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର