ଏଣିକି ଟ୍ରେନ ଖାଦ୍ୟ ପାଇଁ ବ୍ୟବହାର ହେବ ପରିବେଶ ଅନୁକୂଳ ପ୍ଲେଟ୍‌

ନୂଆଦିଲ୍ଲୀ : ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ଏବର୍ଷର ଭାବନା ହେଉଛି ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏକ ଛୋଟ ମାତ୍ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଏହି ପଦକ୍ଷେପଟି ହେଉଛି ଟ୍ରେନରେ ଦିଆଯାଉଥିବା ଖାଦ୍ୟକୁ ପରିବେଶ ଅନୁକୂଳ ପ୍ଲେଟରେ ପ୍ରଦାନ କରିବା । ପ୍ରଥମେ ଏହି ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ଦିଲ୍ଲୀରୁ ଆସୁଥିବା ୮ଟି ରାଜଧାନୀ ଓ ଶତାବ୍ଦୀ ଟ୍ରେନରେ ଆରମ୍ଭ କରାଯିବ । ତାପରେ ଧୀରେ ଧୀରେ ଅନ୍ୟ ଟ୍ରେନରେ ଆରମ୍ଭ କରାଯିବ ।

 

ଏବେ ଟ୍ରେନରେ ପ୍ଲାଷ୍ଟିକ ପ୍ଲେଟରେ ଖାଦ୍ୟ ଦିଆଯାଉଛି । କିନ୍ତୁ ନୂଆ ବ୍ୟବସ୍ଥା ଅନୁସାରେ ଆଖୁଛେଦାରୁ ପ୍ରସ୍ତୁତ ଜୈବ ବିପଚନକ୍ଷମ ପ୍ଲେଟ୍‌ରେ ଖାଦ୍ୟ ଦିଆଯିବ । ଆଖୁରୁ ରସ ବାହାର କରିନେବା ପରେ ଯେଉଁ ଅବଶେଷ ରହେ ତାହାକୁ ବ୍ୟବହାର କରି ଏହି ପଦାର୍ଥଟି ସୃଷ୍ଟି କରାଯାଇଛି । ବ୍ୟବହାର ପରେ ଏସବୁ ପ୍ଲେଟଗୁଡିକୁ ସଂଗ୍ରହ କରାଯିବ ଓ ତାହାକୁ ରିସାଇକ୍ଲ କରାଯାଇ ପୁଣି ନୂଆ ପ୍ଲେଟ ପ୍ରସ୍ତୁତ କରାଯିବ । ଏବେ ବ୍ୟବହୃତ ପ୍ଲାଷ୍ଟିକ ପ୍ଲେଟ ଲୋକମାନେ ଖାଇସାରିବା ପରେ ଟ୍ରେନ ଝରକା ବାଟେ ବାହାରକୁ ଫିଙ୍ଗିଦିଅନ୍ତି, ଯାହାକି ରେଳ ଧାରଣାକୁ ଅପରିଷ୍କାର କରିବା ସହ ପରିବେଶକୁ ଦୂଷିତ କରିଥାଏ । ନୂଆ ଧରଣର ପ୍ଲେଟ ବ୍ୟବହାର କରାଯିବା ପରେ ଏହି ସ୍ଥିତିରେ ଉନ୍ନତି ଆସିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର