ଭାରତୀୟ ରେଳର କେବେ ବି ଘରୋଇକରଣ ହେବନାହିଁ : ପୀୟୁଷ ଗୋଏଲ

ନୂଆଦିଲ୍ଲୀ : ଭାରତୀୟ ରେଳର କେବେ ବି ଘରୋଇକରଣ ହେବ ନାହିଁ । ଏହା ସବୁବେଳେ ଭାରତ ସରକାରଙ୍କ ଅଧିନରେ ରହିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ।

ସେ କହିଛନ୍ତି ଯେ ଆମେ ଭାରତୀୟ ରେଳର ଘରୋଇକରଣ କରୁଛୁ ବୋଲି ଅଭିଯୋଗ ହେଉଛି । କିନ୍ତୁ ସରକାରୀ ସଡ଼କରେ କେବଳ ସରକାରୀ ଗାଡ଼ି ଚାଲୁ ବୋଲି ଲୋକେ କେବେ ଦାବି କରିନାହାନ୍ତି । ଏହାର କାରଣ ହେଉଛି ସଡ଼କରେ ଉଭୟ ଘରୋଇ ଓ ସରକାରୀ ଗାଡ଼ି ଚାଲୁଛି ଓ ଉଭୟ ଆର୍ଥିକ ପ୍ରଗତିରେ ଯୋଗଦାନ ଦେଉଛନ୍ତି । ଠିକ ସେହିପରି ରେଳସେବା କ୍ଷେତ୍ରରେ ଘରୋଇ ନିବେଶର ଆବଶ୍ୟକତା ରହିଛି । ଏହା ଆର୍ଥିକ ପ୍ରଗତି ଆଣିବା ସହ ସେବା ମାନରେ ଉନ୍ନତି ଆଣିବ ।

ରେଳପଥକୁ ଆର୍ଥିକ ଅଭିବୃଦ୍ଧିର ଇଂଜିନ କରାଯିବ । ଚଳିତ ବର୍ଷ ବଜେଟରେ ରେଳପଥ କ୍ଷେତ୍ରର ବିକାଶ ପାଇଁ ପ୍ରାୟ ୨ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି । ରେଳ ଭିତ୍ତିଭୂମିର ବିକାଶ ଉପରେ ସରକାର ବିଶେଷ ଗୁରୁତ୍ବ ପ୍ରଦାନ କରୁଛନ୍ତି । ପୂର୍ବବର୍ତ୍ତୀ ସରକାରମାନେ ଏବାବଦରେ କେବଳ ପ୍ରତିଶ୍ରୁତି ଦେଉଥିଲେ, କିନ୍ତୁ  ରେଳ ଭିତ୍ତିଭୂମିର ବିକାଶ ହେଉନଥିଲା ।

ଦେଶକୁ ଉଚ୍ଚ ଆର୍ଥିକ ଅଭିବୃଦ୍ଧି ପଥକୁ ନେବାକୁ ହେଲେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରକୁ ମିଳିମିଶି କାମ କରିବାକୁ ହେବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର