ରେଳ: ଘୋଡ଼ା ଛ’କୁ ଦାନା ନ’ ଟଙ୍କା

ଦେବାଳିଆମୁହାଁ ଆର୍ଥିକ ସ୍ଥିତି, ଆୟ ୧୦୦କୁ ବ୍ୟୟ ୧୧୧ ଟଙ୍କା

ନୂଆଦିଲ୍ଲୀ : ଭାରତୀୟ ରେଳବାଇର ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା ଅବସ୍ଥା! ଦେଶର ଜୀବନରେଖା ଭାବେ ପରିଚିତ ଭାରତୀୟ ରେଳବାଇ ଯେତିକି ଆୟ କରୁଛି ତାହା ତୁଳନାରେ ବ୍ୟୟ ଢେର୍‌ ବଢ଼ିଯାଇଛି। ଏ କ୍ଷେତ୍ରରେ ରେଳବାଇ ରେକର୍ଡ କରିଛି।

ସୂଚନା ଅନୁଯାୟୀ, ଚଳିତବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ରେଳବାଇ ପ୍ରତି ୧୦୦ ଟଙ୍କା ଆୟ ପାଇଁ ୧୧୧ ଟଙ୍କା ୫୧ ପଇସା ଖର୍ଚ କରିଛି। ଗୋଟିଏ ପଟେ ଯାତ୍ରୀ ଓ ମାଲ ପରିବହନ ନେଇ ରେଳବାଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ତାହା ହାସଲ କରିପାରି ନାହିଁ। ଅନ୍ୟପଟେ ରେଳବାଇର ପରିଚାଳନା ବ୍ୟୟ ଏବଂ ପେନ୍‌ସନ୍‌ଜନିତ ବୋଝ ବଢ଼ି ବଢ଼ି ଚାଲିଛି। ଫଳରେ ରେଳବାଇର ପରିଚାଳନା ଅନୁପାତ ବା ଅପରେଟିଂ ରେସିଓ ବଢ଼ିବାରେ ଲାଗିଛି। ପରିଚାଳନା ଅନୁପାତ ବୃଦ୍ଧି ପାଉଥିବାରୁ ରେଳବାଇ ହାତରେ ନୂଆ ରେଳଧାରଣା ବିଛାଇବା ଏବଂ ଅଧିକ ବଗି ସଂଯୋଗ କରିବା ଭଳି କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି।

ଯାତ୍ରୀ ପରିବହନ କ୍ଷେତ୍ରରେ ଭାରତୀୟ ରେଳ ଏବେ ବିମାନ ସମେତ ଅନ୍ୟାନ୍ୟ ସଡ଼କ ପରିବହନ କ୍ଷେତ୍ରରୁ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ସମ୍ନା କରୁଛି। ତେଣୁ ଚଳିତ ଆର୍ଥିକବର୍ଷର ପ୍ରଥମ ଚାରି ମାସ ଅର୍ଥାତ୍‌ ଏପ୍ରିଲରୁ ଜୁଲାଇ ମଧ୍ୟରେ ଭାରତୀୟ ରେଳ ଯାତ୍ରୀ ପରିବହନରୁ ୧୭୭୩୬.୦୯ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଏ ବାବଦରେ ୧୭,୨୭୩.୩୭ କୋଟି ଟଙ୍କା ଆଦାୟ କରିପାରିଛି। ରେଳର ଆର୍ଥିକ ଶାଖା ପକ୍ଷରୁ ପ୍ରସ୍ତୁତ ତଥ୍ୟରୁ ଏହା ଜଣାପଡ଼ିଛି। ରେଳବାଇ ପକ୍ଷରୁ ମାଲ୍‌ ପରିବହନ ବାବଦରେ ଯେଉଁ ଅର୍ଥ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିଲା ତାହା ମଧ୍ୟ ହାସଲ ହୋଇପାରି ନାହିଁ। ଚଳିତ ଆର୍ଥିକବର୍ଷର ଏପ୍ରିଲରୁ ଜୁଲାଇ ମଧ୍ୟରେ ମାଲ ପରିବହନ ବାବଦରେ ଭାରତୀୟ ରେଳ ୩୯୨୫୩.୪୧ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖିଥିବାବେଳେ ଏ ବାବଦରେ ଆଦାୟ ହୋଇଛି ୩୬,୪୮୦.୪୧ କୋଟି ଟଙ୍କା। ଚଳିତ ଆର୍ଥିକବର୍ଷର ଜୁଲାଇ ସୁଦ୍ଧା ରେଳବାଇ ୬୧୯୦୨.୫୧ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖିଥିବା ବେଳେ ଆଦାୟ ହୋଇଛି ୫୬୭୧୭.୮୪ କୋଟି ଟଙ୍କା।

କର୍ମଚାରୀଙ୍କ ପେନ୍‌ସନ୍‌, ରେଳବୋର୍ଡର ବ୍ୟୟ ଏବଂ ରେଳ ପ୍ରତିଷ୍ଠାନଗୁଡ଼ିକର ପରିଚାଳନା ପାଇଁ ହେଉଥିବା ଖର୍ଚ ବୃଦ୍ଧି ପାଇଛି। ଏସବୁ କାରଣରୁ ରେଳବାଇର ପରିଚାଳନା ଅନୁପାତ ୧୧୧.୫୧କୁ ବୃଦ୍ଧି ପାଇଛି ବୋଲି ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସପ୍ତମ ବେତନ କମିସନ କାର୍ଯ୍ୟକାରୀ ହେବା ପରେ ରେଳବାଇର ମୋଟ ପେନ୍‌ସନ୍‌ ବାବଦ ବ୍ୟୟ ବର୍ଷକୁ ୪୭ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଥିଯୋଗୁ ଏପ୍ରିଲରୁ ଜୁଲାଇ ମଧ୍ୟରେ ଭାରତୀୟ ରେଳକୁ ପେନ୍‌ସନ୍‌ ବାବଦରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିଛି। ତେବେ ଯାତ୍ରୀ ପରିବହନ ଓ ମାଲ ମାହାସୁଲ ବାବଦରେ ଆଦାୟ ହୋଇଥିବା କମ୍‌ ଅର୍ଥ ସମ୍ପର୍କରେ ଅଧିକାରୀ ଜଣକ କୁହନ୍ତି, ବର୍ତମାନ ମାନ୍ଦା ଋତୁ ରହିଛି। ସାଧାରଣତଃ ପରିଚାଳନା ଅନୁପାତ ଆର୍ଥିକ ବର୍ଷର ଡିସେମ୍ବର-ମାର୍ଚ ଅବଧିରେ ବୃଦ୍ଧି ପାଇଥାଏ। ଗତ ୫/୬ ବର୍ଷ ହେଲା ଭାରତୀୟ ରେଳର ପରିଚାଳନା ଅନୁପାତ ୯୦ ପ୍ରତିଶତ ଉପରେ ରହି ଆସୁଛି। ୨୦୧୮-୧୯ ଆର୍ଥିକବର୍ଷ ପାଇଁ ପରିଚାଳନା ଅନୁପାତକୁ ୯୨.୮ ପ୍ରତିଶତରେ ରଖିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୧୭-୧୮ରେ ଏହି ଅନୁପାତ ୯୬ ପ୍ରତିଶତରେ ରହିଥିଲା। ରେଳବାଇ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ରେକର୍ଡ ୧.୪୮ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଲକ୍ଷ୍ୟ ରଖାଯାଇଛି। ଏଥିସହିତ କ୍ଷମତା ସମ୍ପ୍ରସାରଣ, ବିଦ୍ୟୁତୀକରଣ, ଷ୍ଟେସନ୍‌ର ଆଧୁନିକୀକରଣ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ଉପରେ ରେଳବାଇ ପ୍ରାଧାନ୍ୟ ଦେଉଛି।

ସମ୍ବନ୍ଧିତ ଖବର