ନୂଆଦିଲ୍ଲୀ: ମାଟିରୁ ପାହାଡ, ସହରରୁ ଗାଁ, ଉତ୍ତରରୁ ପୂର୍ବ ଭାରତ- ସବୁଠି ପାଣି ପାଣି ଆଉ ପାଣି । ସାରା ଦେଶରେ ଦେଖିବାକୁ ମିଳିଛି ମୌସୁମୀର ଉଗ୍ର ରୂପ । ମୌସୁମୀ ପାଇଁ ପୂରା ଭାରତରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । କେଉଁଠି ବାଦଲ ଫଟା ବର୍ଷା ପାଇଁ ସହରର ମୁଖ୍ଯ ରାସ୍ତା ବୁଡି ଯାଇଛି ତ କେଉଁଠି ତଳିଆ ଅଞ୍ଚଳରେ ଜଳବନ୍ଦୀ ହୋଇଛନ୍ତି ଲୋକେ । ହିମାଚଳ ପ୍ରଦେଶରେ ବର୍ଷା ପାଇଁ ହାହାକାର ପରିସ୍ଥିତି ଦେଖା ଦେଇଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ୟଲୋ ଆଲର୍ଟ ଜାରି କରାଯାଇଛି ।
ସେପଟେ ଓଡିଶା, ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶରେ ବର୍ଷା ଜାରି ରହିଛି । ଉତ୍ତରପ୍ରଦେଶର ହରପୁର ସହରରେ ବର୍ଷା ପରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ଧର୍ମଶାଳା, ମଣ୍ଡି, ରଜୌରୀ, ଚମୋଲୀ, ନର୍ମଦା, ଶ୍ରୀଗଙ୍ଗାନଗର ଆଦି ଅଞ୍ଚଳରେ ବର୍ଷା ବେହାଲ କରିଛି । କିଛି ସ୍ଥାନରେ ବାଇକ୍ ସହ କାର୍ ବୁଡି ଯାଇଥିବା ଦେଖିବାକୁ ମିଳିଛି ।
ମୁଷଳଧାରାରେ ବର୍ଷା ପରେ ଭୂସ୍ଖଳନ ଜନଜୀବନକୁ ପ୍ରଭାବିତ କରିଛି । ହିମାଚଳପ୍ରଦେଶର ସୋଲନରେ ପ୍ରବଳ ବର୍ଷା ପରେ କାଲକା-ସିମଲା ରେଳ ଧାରଣା ଉପରେ ଏକ ବିରାଟ ପଥର ପାହାଡରୁ ଖସି ଆସି ପଡିଛି । ଯାହା ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଖବର ଆସୁଛି ।
ଅନ୍ୟପଟେ ଉତ୍ତରାଖଣ୍ଡରେ ରବିବାର ବାଦଲ ଫଟା ବର୍ଷା ରାଜ୍ୟରେ ହାହାକାର ସ୍ଥିତି ଉପୁଜାଇଛି । ଉତ୍ତରକାଶୀରେ ଭୂସ୍ଖଳନ ପରେ ୯ ଶ୍ରମିକ ନିଖୋଜ ଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ ଜଣ ଶ୍ରମିକଙ୍କୁ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ଖୋଜାଖୋଜି କରୁଛନ୍ତି ।
ସେପଟେ ଆଗାମୀ ୭ ଦିନ ଯାଏଁ ଭାରତର ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ ୭ ଦିନ ଯାଏଁ ଉତ୍ତର-ପଶ୍ଚିମ, ମଧ୍ଯ, ପୂର୍ବ ଏବଂ ପୂର୍ବୋତ୍ତର ରାଜ୍ୟ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଆଜି ପ୍ରବଳ ବର୍ଷା ନେଇ ଝାଡଖଣ୍ଡକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ୩୦ ତାରିଖ ଅର୍ଥାତ ଆଜି ପାଇଁ ଖାଲି ଝାଡଖଣ୍ଡ ନୁହେଁ ଓଡିଶା, ବିହାର, ମଧ୍ଯପ୍ରଦେଶ, ଛତିଶଗଡକୁ ସତର୍କ ସୂଚନା ଜାରି କରାଯାଇଛି । ୩୦ରୁ ଜୁଲାଇ ୫ ତାରିଖ ଯାଏଁ ପଶ୍ଚିମବଙ୍ଗ ଏବଂ ସିକ୍କିମ ପାଇଁ ଆଲର୍ଟ ଜାରି କରାଯାଇଛି ।
୭ ଦିନ ଯାଏଁ ଏସବୁ ସ୍ଥାନ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଡଘଡି ସହ ପ୍ରବଳ ପବନ ବହିବ । ଘଣ୍ଟା ପ୍ରତି ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଜୁଲାଇ ୫ ତାରିଖ ଯାଏଁ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ପଢ୍ଜବ, ହରିଆଣା, ଚଣ୍ଡିଗଡ, ରାଜସ୍ଥାନ ଆଦି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।