ଶିମ୍‌ଲା:  ହିମାଚଳ ପ୍ରଦେଶରେ ମୌସୁମୀ ବର୍ଷାଜନିତ ବିପର୍ଯ୍ୟୟ  ଜାରି ରହିଛି।  ଲଗାତାର ଭୂସ୍ଖଳନ ଓ  ଆକସ୍ମିକ ବନ୍ୟା ରାଜ୍ୟର ଭିତ୍ତିଭୂମିରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଗତ ତିନି ଦିନ ଧରି ତୁହାକୁ ତୁହା ବିପର୍ଯ୍ୟୟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଗତ ୩ ଦିନରେ ବର୍ଷା ବିପର୍ଯ୍ୟୟରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ଚଳିତ ମୌସୁମୀରେ ମୃତ୍ୟୁ ସଂଖ୍ୟା ୪୨୭ ଛୁଇଁଛି। ଶିମ୍‌ଲାରେ ଗତକାଲି ଏକ ସ୍କୁଲ୍‌ ନିକଟରେ ବଡ଼ ଭୂସ୍ଖଳନ ଘଟିଛି ଏବଂ  ପ୍ରମୁଖ ଯାତାୟାତ ପଥ  ଅବରୋଧ ହୋଇ ରହିଛି। କାଙ୍ଗଡ଼ା ଜିଲ୍ଲାରେ ଏକ ଚର୍ଚ୍ଚ ନିକଟରେ ଘଟିଥିବା  ଭୂସ୍ଖଳନ ପର୍ଯ୍ୟଟନ ସ୍ଥଳୀ ମ୍ୟାକ୍‌ଲୋଡଗଞ୍ଜକୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିଦେଇଛି। ଏହି ଘଟଣା ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଥିବା ବେଳେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି। ଗୁରୁବାର ସନ୍ଧ୍ୟାରେ କୁମାରସୈନରେ ବିଶାଳ ଭୂସ୍ଖଳନ ଯୋଗୁଁ ଏକ ତିନିମହଲା ଅଟ୍ଟାଳିକା ଧ୍ୱଂସ ହୋଇଯିବାରୁ ଅନେକ ଲୋକ ନିଖୋଜ ଅଛନ୍ତି।

Advertisment

ଜୁନ୍ ମାସରୁ ଆରମ୍ଭ ହୋଇଥିବା  ମୌସୁମୀ ଋତୁରେ ରାଜ୍ୟରେ ୪୭ଟି ବାଦଲଫଟା ବର୍ଷା ହୋଇଥିବା ବେଳେ ୯୮ଟି ଆକସ୍ମିକ ବନ୍ୟା ଓ ୧୪୮ଟି ବଡ଼ ଭୂସ୍ଖଳନ ଘଟିଛି। ଏଥିଯୋଗୁଁ ରାଜ୍ୟରେ ୪,୭୫୪ କୋଟି ଟଙ୍କାର ଅର୍ଥନୈତିକ କ୍ଷତି ଘଟିଛି। ୧୦୭ଟି ବିଦ୍ୟୁତ ଟ୍ରାନ୍ସଫର୍ମର  ଓ ୧୮୫ଟି ଜଳ ଯୋଗାଣ ଯୋଜନା ଅଚଳ ହୋଇଯିବାରୁ ଜଟିଳ ସ୍ଥିତି ଉପୁଜିଛି। ଅନେକ ସ୍କୁଲ ନିରାପତ୍ତା କାରଣରୁ ବନ୍ଦ ରହିଛି। ନାହାନ, ଭଟ୍ଟିୟାତ, ଧରମଶାଳା, କୁଲୁ, ମାଣ୍ଡି ଓ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା  ଓ ବଜ୍ରପାତ ଜାରି ରହିଛି।

ଉତ୍ତରାଖଣ୍ଡର ବାଦଲଫଟା ବର୍ଷା‌

ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ନିକଟରେ ହୋଇଥିବା ବାଦଲଫଟା ବର୍ଷାଜନିତ ମୃତ୍ୟୁସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ୧୦ ଜଣ ଏବେ ବି ନିଖୋଜ ଅଛନ୍ତି।  ସୂଚନାନୁଯାୟୀ, ଝାଡ଼ଖଣ୍ଡ ବାସିନ୍ଦା ବୀରେନ୍ଦ୍ର ସିଂହ ଯିଏ କି ଭୂସ୍ଖଳନ ପରଠାରୁ ନିଖୋଜ ଥିଲେ ମଜଦା ଗ୍ରାମରୁ ତାଙ୍କ ମରଶରୀର ମିଳିଛି।  ହରିୟାଣାର ଶାହାରନପୁର ଏବଂ ଯମୁନାନଗରରୁ ମଧ୍ୟ ଅନ୍ୟ ୨ଟି ମୃତଦେହ ମିଳିଛି। ଏଯାବତ ବିଭିନ୍ନ ସ୍ଥାନରୁ ୩୦ ଜଣଙ୍କ ମୃତଦେହ ମିଳିଛି। ତେବେ ସବୁଠାରୁ ଖରାପ୍‌ ଭାବେ ପ୍ରଭାବିତ ହୋଇଛି ପରୱଲ। ଏଠାରେ ଗତ ମଙ୍ଗଳବାର ବାଦଲଫଟା ବର୍ଷା ହେବା ପରେ ୧୪ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ୧୦ ଜଣଙ୍କ ମୃତଦେହ ମିଳିଛି।  ପ୍ରଭାବିତ ଗାଁ ଗୁଡ଼ିକରେ ରିଲିଫ୍‌  ଓ ଉଦ୍ଧାର ଅପରେସନ୍‌ ଜାରି ରହିଛି।  ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି ଏବଂ ରିଲିଫ୍‌  ଓ ଉଦ୍ଧାର ଅପରେସନ୍‌ର ସମୀକ୍ଷା କରିଛନ୍ତି। ଉଲ୍ଲେଖଯୋଗ୍ୟ, ପାର୍ବତ୍ୟ ରାଜ୍ୟ ଉତ୍ତରାଖଣ୍ଡରେ ଗତ କିଛି ସପ୍ତାହ ଧରି ପ୍ରବଳ ବର୍ଷା ଲାଗି ରହିଛି। ଏଥିଯୋଗୁଁ ବିଭିନ୍ନ ଅଂଶରେ ଭୂସ୍ଖଳନ ଯୋଗୁ ଭୀଷଣ କ୍ଷୟକ୍ଷତି ହୋଇଛି।  ଗୁରୁବାର ଚା‌‌ମୋଲିରେ ବାଦଲଫଟା ବର୍ଷା ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।  ଅଚାନକ ବନ୍ୟାରେ ବାସହରା ହୋଇଥିବା ଲୋକଙ୍କୁ ଥଇଥାନ କେନ୍ଦ୍ରରେ ରଖାଯାଇଛି।