ନୂଆଦିଲ୍ଲୀ: ଗତରାତିରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ହାଲ୍କା ବର୍ଷା ହୋଇଛି। ଏହା ପ୍ରଭାବରେ ଦିଲ୍ଲୀର ବାୟୁମଣ୍ଡଳରେ ଘୂରି ବୁଲୁଥିବା ବିଷାକ୍ତ ଧୂଳିକଣାର ମାତ୍ରା ହ୍ରାସ ପାଇଛି ଏବଂ ବାୟୁର ମାନରେ ମଧ୍ୟ ସାମାନ୍ୟ ଉନ୍ନତି ଆସିଛି। ଫଳରେ ଦିଲ୍ଲୀବାସୀ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି। କୃତ୍ରିମ ବର୍ଷା ପାଇଁ ଦିଲ୍ଲୀ ସରକାର ଆଇଆଇଟି ସହିତ ଆଲୋଚନା ଚଳାଇଥିବାବେଳେ ବର୍ଷା ଦିଲ୍ଲୀ ସରକାରଙ୍କ ଚିନ୍ତାକୁ ମଧ୍ୟ କିଛି ମାତ୍ରାରେ କମାଇ ଦେଇଛି। ଦିଲ୍ଲୀରେ ଗତ କିଛିଦିନ ହେଲା ପ୍ରଦୂଷଣର ମାତ୍ରା ବହୁ ଅଧିକ ବଢ଼ିଯାଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୁପାରିସ ତୁଳନାରେ ୧୦୦ ଗୁଣା ଅଧିକ କ୍ଷତିକାରକ ଧୂଳିକଣା ରହିଥିଲା।
ବର୍ଷା ପରେ ଦିଲ୍ଲୀରେ ଆଜି ସକାଳ ୭ଟାରେ ମୋଟାମୋଟି ବାୟୁର ମାନ ୪୦୭ ଥିଲା ବୋଲି ସରକାରଙ୍କ ବାୟୁମାନ ଅନୁଧ୍ୟାନକାରୀ ଏଜେନ୍ସି ସଫର ସୂତ୍ରରୁ ଜଣାଯାଇଛି। କେତେକ ଅଧିକ ପ୍ରଦୂଷିତ ଅଞ୍ଚଳ ମଧ୍ୟରେ ଅଶୋକ ବିହାର (୪୪୩), ଆନନ୍ଦ ବିହାର (୪୩୬), ବୱାନା (୪୩୩), ରୋହିଣୀ (୪୨୯), ପଞ୍ଜାବୀ ବାଗ (୪୨୨) ରହିଛି। ନଏଡ଼ାରେ ହାରାହାରି ବାୟୁମାନ ଆଜି ସକାଳେ ୪୭୫ ଥିବାବେଳେ ଫରିଦାବାଦରେ ୪୫୯, ଗୁରୁଗ୍ରାମରେ ୩୮୬ ଏବଂ ଗାଜିଆବାଦରେ ୩୨୫ ରହିଛି। ତେବେ ବର୍ଷା ଯୋଗୁ ପିଏମ୍ ୨.୫ ଓ ପିଏମ୍ ୧୦ର ମାତ୍ରା ବାୟୁମଣ୍ଡଳରେ ହ୍ରାସ ପାଇଛି। ଗାଡ଼ି ଚଳାଚଳଜନିତ ପ୍ରଦୂଷଣ ହ୍ରାସ ପାଇଁ ଦିଲ୍ଲୀ ସରକାର ଆସନ୍ତା ୧୩ ତାରିଖରୁ ଯେଉଁ ଯୁଗ୍ମ ଅଯୁଗ୍ମ ନିୟମ କାର୍ଯ୍ୟକାରୀ କରିବାକୁ ଯୋଜନା ରଖିଥିଲେ ତାହାକୁ ସ୍ଥଗିତ ରଖିଛନ୍ତି। ଦୀପାବଳି ପରେ ବାୟୁମାନ ସମୀକ୍ଷା କରିବା ପରେ ସରକାର ଏହାକୁ କାର୍ଯ୍ୟକାରୀ କରିବା ସଂପର୍କରେ ନିଷ୍ପତ୍ତି ନେବେ ବୋଲି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ଦେଇଛନ୍ତି। ପୂର୍ବରୁ ଦିଲ୍ଲୀରେ ହାରାହାରି ବାୟୁମାନ ୪୫୦ରୁ ଅଧିକ ଥିଲା। କିନ୍ତୁ ଏବେ ଏହା ପ୍ରାୟ ୩୦୦ ପାଖାପାଖି ରହିଛି।
ଅନ୍ୟପକ୍ଷରେ ଆଜି ଦିଲ୍ଲୀ ବାୟୁ ମାନ ସଂକଟ ସ୍ଥିତିର ଶୁଣାଣି ସୁପ୍ରିମକୋର୍ଟରେ ହୋଇଛି। ଯୁଗ୍ମ-ଅଯୁଗ୍ମ ନିୟମ ଦିଲ୍ଲୀର ପ୍ରଦୂଷଣକୁ ୧୩ ପ୍ରତିଶତ ହ୍ରାସ କରିଥାଏ ବୋଲି ରିପୋର୍ଟ ସରକାରଙ୍କ ପକ୍ଷରୁ ରଖାଯାଇଥିଲା। ଫଳରେ ଦିଲ୍ଲୀରେ ଦିନକୁ ହାରାହାରି ୧୫ ପ୍ରତିଶତ କମ୍ ଇନ୍ଧନ ବ୍ୟବହାର ହୋଇଥାଏ। ତେବେ ଅଦାଲତ କହିଥିଲେ ମୋଟ ପ୍ରଦୂଷଣରେ ଯାନବାହନଜନିତ ପ୍ରଦୂଷଣର ମାତ୍ରା ମାତ୍ର ୧୭ ପ୍ରତିଶତ। ଏଥିସହିତ ଯୁଗ୍ମ-ଅଯୁଗ୍ମ ନିୟମ କାର୍ଯ୍ୟକାରୀ ହେଲେ ପ୍ରଦୂଷଣ ମାତ୍ର ୧୩ ପ୍ରତିଶତ କମିଥାଏ। ତେଣୁ ଯୁଗ୍ମ-ଅଯୁଗ୍ମ ନିୟମ କାର୍ଯ୍ୟକାରୀ କରିବା ନିଷ୍ପତ୍ତି ଆପଣଙ୍କର ବୋଲି ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/dhdggdjdjgdgj.jpg)