ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ପଶ୍ଚିମ ୟୁପିର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ବ୍ୟାପକ ଅଂଚଳ ଜଳବନ୍ଦି ହୋଇ ରହିଛି। ଗୋରଖପୁରରେ ରାପ୍ତି ଏକ ସପ୍ତାହ ହେବ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ୫୫ଟି ଗାଁ ଜଳମଗ୍ନ ହୋଇଥିବା ବେଳେ ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଲକ୍ଷ୍ମୀପୁର ଖେରିରେ ନଦୀଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି ଏବଂ ପ୍ରଭାବିତ ଅଂଚଳରେ ଏନ୍ଡିଆର୍ଏଫ୍ ମୁତୟନ ହୋଇଛନ୍ତି। ଆସନ୍ତା ୪ ଦିନ ମଧ୍ୟରେ କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଗୁଜରାଟର ସୌରାଷ୍ଟ୍ରରେ ଶନିବାର ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ପାଲାର ଧୁନା ଜଳପ୍ରପାତରେ ପାଣି ବଢିବା ପରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ବର୍ଷା ପାଇଁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରି କହିଛି ଯେ ସୋମବାର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଗାଣ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଗୋଦାବରୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିଭିନ୍ନ ସ୍ଥାନରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମଧ୍ୟପ୍ରଦେଶରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ରବିବାର ଭୋପାଳ ଓ ନର୍ମଦାପୁରମରେ ସକାଳୁ ପ୍ରବଳ ବର୍ଷା ହେଉଛି। ୨୪ ଘଣ୍ଟା ମଧ୍ୟରେ ବିଦିଶା, ରାଇସେନ, ସିହୋର, ନର୍ମଦାପୁରମ୍, ବେତୁଲ, ବୁରହାନପୁର, ଖଣ୍ଡୱା, ଦେବାସ, ନରସିଂହପୁର, ଛିନ୍ଦୱାଡା, ସିଓନି ଓ ବାଲାଘାଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/hffhdgf23132.jpg)