ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବର୍ଷା ବିତ୍ପାତ ଲାଗି ରହିଛି। ଅଚାନକ ବନ୍ୟା ଓ ଭୂସ୍ଖଳନରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଲାଣି। ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉତ୍ତରାଖଣ୍ଡ, ଗୁଜରାଟ ଓ ହିମାଚଳପ୍ରଦେଶରେ ଆଗକୁ ଆହୁରି ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି। ନିକଟରେ ୭ ଜଣ ଲୋକଙ୍କର ବର୍ଷାଜନିତ ଘଟଣାରେ ମୃତ୍ୟୁ ଘଟିଛି। ଦିଲ୍ଲୀରେ ଯମୁନା ଜଳସ୍ତର ପୁଣି ବିପଦ ସଂକେତ ଟପିଛି। ଆଜି ସନ୍ଧ୍ୟାରେ ୨୦୫.୮୧ ମିଟର ଉପରେ ଯମୁନା ପ୍ରବହିତ ହେଉଥିଲା। ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶ ପ୍ରଭୃତି ପାହାଡ଼ିଆ ରାଜ୍ୟରେ ବର୍ଷା ହେବା ଯୋଗୁ ଯମୁନା ଜଳସ୍ତରରେ ହ୍ରାସବୃଦ୍ଧି ଘଟୁଛି। ବିପଦ ସଂକେତ ହେଉଛି ୨୦୫.୩୩ ମିଟର। ହରିୟାଣାର ହାଥନିକୁଣ୍ଡ ବ୍ୟାରେଜରୁ ୨ ଲକ୍ଷ କ୍ୟୁସେକ ଜଳ ଛଡ଼ାଯାଇଥିବାରୁ ଦିଲ୍ଲୀ ସରକାର ହାଇ ଆଲର୍ଟରେ ଅଛନ୍ତି ବୋଲି ଶନିବାର ରାଜସ୍ବ ମନ୍ତ୍ରୀ ଆତିସୀ କହିଛନ୍ତି। ଜୁଲାଇ ୮ ଓ ୯ରୁ ଦିଲ୍ଲୀରେ ବନ୍ୟା ପରିସ୍ଥିତି ଲାଗି ରହିଛି।

Advertisment

ମୌସୁମୀ ବର୍ଷା ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ଭିତରେ ଅନ୍ୟତମ ହେଉଛି ହିମାଚଳପ୍ରଦେଶ। ବିଭିନ୍ନ ବର୍ଷାଜନିତ ଘଟଣାରେ ରାଜ୍ୟର ୫ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏକ ନେପାଳୀ ଦମ୍ପତି ଭୂସ୍ଖଳନରେ ପୋତି ହୋଇପଡ଼ିଥିବା ବେଳେ ସେମାନଙ୍କର ଜଣେ ସଂପର୍କୀୟ ମଧ୍ୟ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଶିମଲାର କୋଟଖାଇସ୍ଥିତ କଲାଲା ଗାଁ ବର୍ଷାଜଳରେ ଧୋଇ ହୋଇଯିବା ସହ ଭୂସ୍ଖଳନରେ ଖର ଭାଙ୍ଗିଯିବାର ଭେମ ବାହାଦୁର ଓ ତାଙ୍କ ସ୍ତ୍ରୀ ଶୀଲାଙ୍କର ମୃତ୍ୟୁ ହୋଇଯାଇଛି। ଆଉ ଏକ ଘଟଣାରେ ବାଦିୟାରା ଗାଁରେ ଅଚାନକ ବନ୍ୟାରେ ଏକ ଢାବା ଭାସିଯିବା ଯୋଗୁ ଏକ ବୟସ୍କ ଦମ୍ପତି ଓ ତାଙ୍କ ନାତି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଏହି ଅଚାନକ ବନ୍ୟାରେ ରୋହରୁ ଅଞ୍ଚଳରେ ଅନେକ ଘର ଓ ଗାଡ଼ି ଭାସିଯାଇଛି। ଇତିମଧ୍ୟରେ ଶନିବାର ବ୍ୟାସ ନଦୀ ଓ ମନାଲି ମଧ୍ୟରେ ପଞ୍ଜାବ ରୋଡ୍‌ୱେଜ୍‌ର ଏକ ବସ୍‌ର ଭଗ୍ନାବଶେଷ ଠାବ କରାଯାଇଛି। ବସ୍‌ଟି ଜୁଲାଇ ୯ରେ ଚଣ୍ଡୀଗଡ଼ର ସେକ୍ଟର ୯ରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଜୁଲାଇ ୧୦ରେ ମନାଲି ନିକଟରେ ବନ୍ୟାଜଳରେ ଭାସିଯାଇଥିଲା। ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଶବ ପୂର୍ବରୁ ଉଦ୍ଧାର କରାଯାଇଥିବା ବେଳେ ବସ୍‌ରେ କେତେ ଯାତ୍ରୀ ଥିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଜୁଲାଇ ୨୩ରୁ ୨୬ ଭିତରେ ରାଜ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ଭିତରେ ଚାମ୍ବା, କାଙ୍ଗ୍ରା, ସିରମୌର, କୁଲୁ, ମଣ୍ଡି ଓ କିନ୍ନାଉର ଜିଲ୍ଲାରେ ଅଚାନକ ବନ୍ୟାର ବି ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ମୌସୁମୀ ବର୍ଷା ଆରମ୍ଭ ହେବା ପରଠାରୁ ଜୁନ୍ ୨୪ରୁ ଅଦ୍ୟାବଧି ହିମାଚଳପ୍ରଦେଶରେ ୧୫୪ ଜଣ ଲୋକଙ୍କର ବର୍ଷା ଓ ବନ୍ୟାଜନିତ ଘଟଣାରେ ମୃତ୍ୟୁ ଘଟି ସାରିଲାଣି ଏବଂ ରାଜ୍ୟ ସରକାର ୫,୦୭୭ କୋଟି ଟଙ୍କାର କ୍ଷତି ସହିଲେଣି।

publive-image

ଉତ୍ତରାଖଣ୍ଡର ୧୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଡେରାଡୁନ, ପିଥୋରଗଡ଼ ଓ ଉତ୍ତରକାଶୀ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ପ୍ରବଳ ବର୍ଷା ଭୂସ୍ଖଳନ ଯୋଗୁ ଚାମୋଲିଠାରେ ବଦ୍ରିନାଥ ହାଇୱେ ଅବରୋଧ ହୋଇ ରହିଛି। ଯମୁନୋତ୍ରୀ ଯାତ୍ରାକୁ ବନ୍ଦ କରିଦିଆଯାଇଛି। ଶନିବାର ଉତ୍ତରକାଶୀ ଜିଲ୍ଲାର ପୁରୋଲା ଓ ବଡ଼କୋଟ ତହସିଲ ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଥିଲା। ତେବେ କୌଣସି ଧନଜୀବନ ହାନିର ରିପୋର୍ଟ ମିଳିନାହିଁ। ବାରକୋଟ ତହସିଲ ଅନ୍ତର୍ଗତ ଗାଙ୍ଗନାନିଠାରେ ଭୂସ୍ଖଳନ ଘଟି କେତେକ ଟୁରିଷ୍ଟ କଟେଜ ନଷ୍ଟ ହୋଇଯାଇଛି। କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ଭୂସ୍ଖଳନ ଦ୍ବାରା ପ୍ରଭାବିତ ହୋଇଥିଲେ ମଧ୍ୟ ଛାତ୍ରୀମାନେ ନିରାପଦ ଥିବା ଜଣାପଡ଼ିଛି।

ଗୁଜରାଟର ଦକ୍ଷିଣ ଓ ସୌରାଷ୍ଟ୍ର ଅଞ୍ଚଳରେ ଶନିବାର ଓ ରବିବାର ପ୍ରବଳ ବର୍ଷା ହୋଇଛି। ସହର ଓ ଗ୍ରାମାଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବନ୍ଧ ଓ ନଦୀଗୁଡ଼ିକର ଜଳସ୍ତର ବିପଦ ସଂକେତ ସ୍ତରକୁ ଆସିଯାଇଛି। ପ୍ରବଳ ବର୍ଷା ଯୋଗୁଁ ଜୁନାଗଡ଼ ସହରରେ ଜଟିଳ ସ୍ଥିତି ଉପୁଜିଛି। ଅନେକ ଡଜନ କାର୍ ଓ ଗାଈଗୋରୁ ଭାସିଯାଇଛନ୍ତି। ଅଣ୍ଟାଏ ପାଣିରେ ଲୋକମାନେ ନିରାପଦ ସ୍ଥାନକୁ ଯାଉଥିବାର ଦେଖିବାକୁ ମିଳିଛି। ଏହି ସମୟରେ ପ୍ରବଳ ସୁଅରେ କିଛି ଲୋକ ଭାସିଯାଉଥିବା ବେଳେ ସ୍ବେଚ୍ଛାସେବୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ପ୍ରବଳ ବର୍ଷା ଯୋଗୁ ଜୁନାଗଡ଼ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଦାଦ୍ରା ଓ ନଗରହାବେଳୀର ସିଲଭାସା ସହରରେ ଶୁକ୍ରବାର ଏକ କାର୍ ଭାସିଯିବା ଯୋଗୁ ସେଥିରେ ଥିବା ବାପପୁଅ ସଲିଳସମାଧି ଲଭିଛନ୍ତି।

ଗୁଜରାଟ ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀ ଉପରାଜ୍ୟପାଳଙ୍କ ସହ କଥାହେଲେ ଶାହ
ନୂଆଦିଲ୍ଲୀ: ଗୁଜରାଟରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଦେଖା ଦେଇଥିବାରୁ ଏହା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଯମୁନା ଜଳସ୍ତର ବୃଦ୍ଧି ନେଇ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ସହ ମଧ୍ୟ ସେ କଥା ହୋଇଛନ୍ତି। ଗୁଜରାଟର ଦକ୍ଷିଣ ଓ ସୌରାଷ୍ଟ୍ର ଅଞ୍ଚଳରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶାହଙ୍କୁ ଅବଗତ କରିଛନ୍ତି। ସେହିପରି ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ପୁଣି ବନ୍ୟା ଆଶଙ୍କା ସୃଷ୍ଟି ହୋଇଥିବାରୁ ଏ ଦିଗରେ ଜରୁରୀ ପ୍ରତିକାର ପଦକ୍ଷେପ ନେଇ କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି।