ମହାରାଷ୍ଟ୍ରରେ ବର୍ଷା ବିପର୍ଯ୍ୟୟ; ଭୂସ୍ଖଳନରେ ୩୮ ମୃତ, ୮୫ରୁ ଅଧିକ ନିଖୋଜ

୬ ଜିଲ୍ଲାରେ ରେଡ୍‌ ଆଲର୍ଟ

ମୁମ୍ବାଇ : ମହାରାଷ୍ଟ୍ରରେ ଦୁଇ ଦିନ ଧରି ଚାଲିଥିବା ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ରାୟଗଡ଼ ଏବଂ ରତ୍ନଗିରିରେ ଭୂସ୍ଖଳନ ଯୋଗୁ ୩୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୮୫ରୁ ଅଧିକ ନିଖୋଜ ହୋଇଯାଇଛନ୍ତି। ତଲାଇରେ ୩୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ସଖରସୁତରୱାଡ଼ି ଗ୍ରାମରୁ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପଶ୍ଚିମ ମହାରାଷ୍ଟ୍ରର ସତରା ଜିଲ୍ଲାରେ ପଟନ ତହସିଲ ଅଧୀନସ୍ଥ ୨ଟି ସ୍ଥାନରେ ୨୦ରୁ ଅଧିକ ଲୋକ ମାଟିତଳେ ଫସି ଯାଇଛନ୍ତି। ଅମ୍ବେଗଡ଼ ଏବଂ ମିରଗାଓଁ‌ରେ ଭୂସ୍ଖଳନ ଯୋଗୁଁ ୮ଟି ଘର ମାଟିରେ ମିଶିଯାଇଛି ଏବଂ ପ୍ରାୟ ୨୦ ଜଣ ଲୋକ ମାଟି ତଳେ ପୋତି ହୋଇଯାଇଥିବା ଜଣାପଡ଼ିଛି। ଅମ୍ବେଗଡ଼ରେ ୪ଟି ଘରେ ମାଟିରେ ମିଶିଯାଇଛି ଏବଂ ଏଠାରେ ପ୍ରାୟ ୧୪ ଜଣ ମାଟିତଳେ ଫସିଯାଇଛନ୍ତି। ଅନ୍ୟପକ୍ଷେ ମିରଗାଓଁରେ ୩ଟି ଘର ଭୁଶୁଡ଼ି ପଡ଼ିଥିବା ବେଳେ ୮ରୁ ୧୦ ଜଣ ପୋତି ହୋଇଯାଇଛନ୍ତି ବୋଲି ସତ୍‌ରା ଗ୍ରାମୀଣ ଏସ୍‌ପି ଅଜୟ କୁମାର ବଂସଲ୍‌ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ସରକାର ମୃତକଙ୍କ ପରିବାର ସଦସ୍ୟଙ୍କୁ ୫ ଲକ୍ଷ ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ବନ୍ୟା ସ୍ଥିତି ଓ ଉଦ୍ଧାର କାର୍ଯ୍ୟ ନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଛନ୍ତି।
ଲଗାଣ ବର୍ଷା ‌ଯୋଗୁଁ କୋଙ୍କଣ ଅଞ୍ଚଳରେ ସ୍ଥିତି ଅଣାୟତ୍ତ ହୋଇଯାଇଛି। ହଜାର ହଜାର ଲୋକ ଜଳବନ୍ଦୀ ହୋଇଯାଇଛନ୍ତି। ହେଲିକପ୍ଟର ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମହାରାଷ୍ଟ୍ରର ୬ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଉପକୂଳ କୋଙ୍କଣର ରାୟଗଡ଼, ରତ୍ନଗିରି, ସିନ୍ଧୁଦୁର୍ଗ ଏବଂ ପଶ୍ଚିମ ମହାରାଷ୍ଟ୍ରର ପୁ‌ନେ, ସତରା ଏବଂ କୋହ୍ଲାପୁରରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଉଦ୍ଧାର କାର୍ଯ୍ୟରେ ୧୮ଟି ଏନ୍‌ଡିଆର୍‌ଏଫ୍‌ ଟିମ୍ ମୁତୟନ ‌ହୋଇଥିବା ବେଳେ ଅତିରିକ୍ତ ୮ଟି ଟିମ୍‌ ମୁତୟନ ହେବେ ବୋଲି ଏନ୍‌ଡିଆରଏଫ୍‌ ଡିଆଇଜି ମୋହସେନ ସାହିଦ କହିଛନ୍ତି।

ମୁମ୍ବାଇଠାରୁ ୨୫୦ କିମି ଦୂର ରତ୍ନଗିରି ଜିଲ୍ଲା ସ୍ଥିତ ଉପକୂଳବର୍ତ୍ତୀ ସହର ଚିପଲୁନ୍‌ରେ ଦୁଇ ଦିନ ଧରି ଧରି ଲଗାଣ ବର୍ଷା ଚାଲିଥିବାରୁ ବଶିଷ୍ଠୀ ନଦୀରେ ଜଳସ୍ତର ବିପଦସଙ୍କେତ ଟପି ପ୍ରବାହିତ ହେଉଛି। ବନ୍ୟାଜଳ ମାଡ଼ିଯାଇ ବ୍ୟାପକ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି। ସହରରେ ବିଦ୍ୟୁତ୍‌ ଯୋଗାଣ ଏବଂ ଫୋନ୍‌ ‌ଯୋଗାଯୋଗ ବିଚ୍ଛିନ୍ନ ‌ହୋଇଯାଇଛି। ଉଦ୍ଧାର କାର୍ଯ୍ୟରେ ନୌସେନା, ବାୟୁସେନା ଏବଂ ତଟରକ୍ଷୀ ବାହିନୀ ମୁତୟନ ହୋଇଛନ୍ତି। କୋହ୍ଲାପୁର ଜିଲ୍ଲାର ପ୍ରାୟ ୪୭ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। କୋହ୍ଲାପୁରରେ ୧୧ ଜଣ ବସ୍‌ ଯାତ୍ରୀ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବସ୍‌ଟି କୋହ୍ଲାପୁର୍‌ରେ ଏକ ନଦୀରେ ଭାସିଯିବାର ମାତ୍ର କିଛି ସମୟ ପୂର୍ବରୁ ୧୧ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। କରୋନା ମହାମାରୀ ମଧ୍ୟରେ ବର୍ଷା ବିପର୍ଯ୍ୟାୟ ମହାରାଷ୍ଟ୍ରର ସଙ୍କଟ ବଢ଼ାଇଛି।

ସମ୍ବନ୍ଧିତ ଖବର