ମୁମ୍ବାଇ : କେନ୍ଦ୍ରୀୟ ମହାରାଷ୍ଟ୍ରର ମରୁଡ଼ି ପ୍ରବଣ ମରାଠାୱାଡ଼ାରେ ପ୍ରବଳ ବର୍ଷା ବଡ଼ଧରଣର ବିପର୍ଯ୍ୟୟ ସୃଷ୍ଟି କରିଛି। ଗତ ୪ ଦିନର ବର୍ଷା ଯୋଗୁ ମରାଠାୱାଡ଼ାରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଧରାଶିବ ଜିଲ୍ଲାରେ ୧୫୯ ଗାଁରେ ବନ୍ୟା ସ୍ଥିତି ଉପୁଜିଛି। ଅଧିକାରୀମାନେ କହିଛନ୍ତି ଯେ ୫୦ ବର୍ଷ ମଧ୍ୟରେ ଏହି ଅଞ୍ଚଳ ଏଭଳି ବର୍ଷା କେବେ ଦେଖିନଥିଲା। ବର୍ଷା ଯୋଗୁ ୭୫୦ରୁ ଅଧିକ ଘର ନଷ୍ଟ ହୋଇଯାଇଛି। ୩୩ ହଜାରରୁ ଅଧିକ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି। ପ୍ରବଳ ବର୍ଷା ଯୋଗୁ ଜଲ୍ନା ଏବଂ ବିଡ଼ ଜିଲ୍ଲାରେ ୩ଟି ପୋଲ ଭୁଶୁଡ଼ି ପଡ଼ିଥିବାବେଳେ ଛତ୍ରପତି ସମ୍ଭାଜୀନଗରରେ ୨ଟି ସ୍କୁଲ୍ ଏବଂ ମରାଠାୱାଡ଼ାରେ ୫ଟି ଡ୍ୟାମ୍ ଭୁଶୁଡ଼ିଛି।
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଗିରିଶ ମହାଜନ କହିଛନ୍ତି, ‘ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି। ଗତ ୫୦ରୁ ୭୦ ବର୍ଷ ମଧ୍ୟରେ ଏଭଳି ବର୍ଷା କେବେ ବି ଦେଖିବାକୁ ମିଳିନଥିଲା। ଗାଁ ଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଉର୍ବର ଜମି ଧୋଇ ନେଇଛି। କୃଷକଙ୍କ ଫସଲ ନଷ୍ଟ ହୋଇଛି। କୃଷି ମନ୍ତ୍ରୀ ଦତ୍ତାତ୍ରେୟ ଭାର୍ନେ କହିଛନ୍ତି, ମହାରାଷ୍ଟ୍ରରେ ୬୩.୫୧ ଲକ୍ଷ ହେକ୍ଟର ଚାଷଜମି ନଷ୍ଟ ହୋଇଛି। ଜୟକ୍ବାଡ଼ି ଏବଂ ମଜଲଗାଓଁ ଡ୍ୟାମ୍ର ବର୍ଷାଜଳ ଗ୍ରହଣ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବାରୁ୍ କର୍ତ୍ତୃପକ୍ଷ ପାଣି ଛାଡ଼ିଛନ୍ତି। ଏହାଫଳରେ ଛତ୍ରପତି ସମ୍ଭାଜୀନଗର, ଜଲନା ଏବଂ ବିଡ଼ରେ ନଦୀ ଗୁଡ଼ିକ ଫୁଲି ଉଠିଛି ଏବଂ ଏହା ବନ୍ୟା ସ୍ଥିତିକୁ ଅଧିକ ଜଟିଳ କରିଛି। ଧରାଶିବ ଏବଂ ବିଡ଼ରେ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି ଯେ ଏନ୍ଡିଆରଏଫ୍ ଧରାଶିବରେ ୨୭ ଜଣଙ୍କୁ ଉଦ୍ଧାର କରିଥିବାବେଳେ ୨୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ଜୁନ୍ ୧ ପରଠାରୁ ମରାଠାୱାଡ଼ାରେ ହାରାହାରିଠାରୁ ୨୮.୫ ପ୍ରତିଶତ ଅଧିକ ବର୍ଷା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/24/untitled-7-2025-09-24-06-21-19.jpg)