ନୂଆଦିଲ୍ଲୀ: ଉତ୍ତର ଭାରତରେ ଦୁଇଟି ରାଜ୍ୟରେ ବର୍ଷା ବିତ୍ପାତ ହୋଇଛି। ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ବିପର୍ଯ୍ୟୟ ଆଣିଛି। ବର୍ଷା ଓ ଅଚାନକ ବନ୍ୟାରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ୨୦ରୁ ଅଧିକ ‌ଲୋକ ଏବେ ବି ନିଖୋଜ ଅଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି, ବର୍ଷା ଜନିତ କାରଣ ପାଇଁ ରାଜ୍ୟରେ ଗୋଟିଏ ଦିନରେ ଏହା

Advertisment

ସର୍ବାଧିକ ଜୀବନହାନୀ। ମୁଖ୍ୟମନ୍ତ୍ରୀ ଆଜି ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଶିମ୍‌ଲାରେ ଏକ ଜରୁରୀ ବୈଠକ କରିଥିବାବେଳେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଏଭଳି ବିପତ୍ତି ସମୟରେ ଆସନ୍ତାକାଲି ସ୍ବାଧୀନତା ଦିବସ ଅବସରରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ହିମାଚଳ ବର୍ଷା ଏବଂ ବନ୍ୟାରେ ଲୋକଙ୍କ ମୃତ୍ୟୁ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗଭୀର ଶୋକ ପ୍ରକାଶ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଶାହ କହିଛନ୍ତି, ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ହିମାଚଳ ମୁଖ୍ୟମନ୍ତ୍ରୀ ଶ୍ରୀ ସୁଖୁ ଏବଂ ରାଜ୍ୟ ବିଜେପି ସଭାପତି ରାଜୀବ ବିନ୍ଦଲଙ୍କ ସହ କଥା ହୋଇଛନ୍ତି ଏବଂ ଭୂସ୍ଖଳନ ଓ ବାଦଲଫଟା ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ସଂକ୍ରାନ୍ତରେ ପଚାରି ବୁଝିଛନ୍ତି।

ଗତକାଲି ରାତିରେ ବାଦଲଫଟା ବର୍ଷା ଯୋଗୁଁ ସୋଲନ ଜିଲ୍ଲାର ଜାଡୋନ ଗ୍ରାମରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି। ଶିମଲା ସହରର ସମର୍‌ ହିଲ୍‌ ଅଞ୍ଚଳରେ ଆଜି ଏକ ଶିବ ମନ୍ଦିର ଭୂସ୍ଖଳନରେ ଭୁଶୁଡ଼ି ପଡ଼ିବା ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ଅନୁଯାୟୀ ଦୁର୍ଘଟଣା ଘଟିବା ସମୟରେ ମନ୍ଦିରରେ ୫୦ରୁ ଅଧିକ ଶ୍ରଦ୍ଧାଳୁ ଥିଲେ। ଆହୁରି ଅନେକ ଲୋକ ମନ୍ଦିର ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ପୁଲିସ ଏବଂ ଏସଡିଆରଏଫ୍‌ ଦ୍ବାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେହିପରି ଆଜି ମଣ୍ଡି ଜିଲ୍ଲାର ସମ୍ବଲରେ ଆକସ୍ମିକ ବନ୍ୟାଜଳରେ ୭ ଜଣ ଭାସି ଯାଇଛନ୍ତି। ସୋଲନ ଜିଲ୍ଲାର ବଲେରା ପଞ୍ଚାୟତରେ ଭୂସ୍ଖଳନରେ ୨ ଶିଶୁଙ୍କର ମୃତ୍ୟୁ ହୋଇଛି। ରାମସେହେର ତହସିଲ୍‌ର ବନଲ ଗ୍ରାମରେ ଭୂସ୍ଖଳନ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ହମିରପୁରରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବଳେ ୨ ଜଣ ନିଖୋଜ ଅଛନ୍ତି। ମଣ୍ଡି ଜିଲ୍ଲାର ସେଗଲି ପଞ୍ଚାୟତରେ ଗୋଟିଏ ପରିବାରର ୭ ଜଣଙ୍କର ଗତକାଲି ରାତିରେ ଭୂସ୍ଖଳନରେ ମୃତ୍ୟୁ ହୋଇଛି।

ଇତି ମଧ୍ୟରେ ଶିମଲାର ଡେପୁଟି କମିସନର ଆଦିତ୍ୟ ନେଗି କହିଛନ୍ତି, ଶିମଲା ସହରରେ ୨ଟି ଭୂସ୍ଖଳନରେ ୧୫ରୁ ୨୦ ଲୋକ ପୋତି ହୋଇଯାଇଥିବା ଭୟ କରାଯାଉଛି। ସୋଲନ ଜିଲ୍ଲାର ମାମ୍‌ଲିଗ ଗ୍ରାମରେ ୬ ଜଣ ଲୋକ ବାଦଲଫଟା ବର୍ଷାରେ ଭାସି ଯାଉଥିଲେ। କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏଠାରେ ୨ଟି ଘର ପାଣିରେ ଭାସିଯାଇଛି। ପ୍ରଭାବିତ ପରିବାରଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ବିପର୍ଯ୍ୟୟ ପାଇଁ ରାଜ୍ୟରେ ୭୫୨ ରାସ୍ତା ବନ୍ଦ ରହିଛି। ରାଜ୍ୟରେ ସମସ୍ତ ସ୍କୁଲ୍‌ ଓ କଲେଜ ବନ୍ଦ ରହିଛି। ବର୍ଷା‌ ଓ ବିପର୍ଯ୍ୟୟ ସ୍ଥିତି ଉପରେ ନଜର ରଖିବାପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟ ସଚିବ, ଗୃହ ସଚିବ ଏବଂ ସମସ୍ତ ଡିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୧୪ ତାରିଖରେ ଥିବା ସମସ୍ତ ପରୀକ୍ଷା ବାତିଲ କରାଯାଇଛି।
ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫ ଜଣ ନିଖୋଜ ଅଛନ୍ତି। ଜାତୀୟ ରାଜପଥ ସମେତ ବିଭିନ୍ନ ରାସ୍ତା ବନ୍ଦ ରହିଛି। ଋଷିକେଶ – ଚାମ୍ବା ଜାତୀୟ ରାଜପଥ ବନ୍ଦ ରହିଛି ଏବଂ ଋଷିକେଶ-ଦେବପ୍ରୟାଗ-ଶ୍ରୀନଗର ରାଜପଥ ବନ୍ଦ ରହିଛି। ୨୪ ଘଣ୍ଟାରେ ଋଷିକେଶରେ ରେକର୍ଡ ୪୦୦ ମିମି ବର୍ଷା ହୋଇଛି। ଆସନ୍ତା ୧୮ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି। ଲଗାଣ ବର୍ଷା ଯୋଗୁଁ ଡେରାଡୁନର ମାଳଦେବତାରେ ଆଜି ଡୁନ୍‌ ଡିଫେନ୍ସ କଲେଜ କୋଠା ଆଜି ଭୁଶୁଡ଼ି ପଡ଼ିଛି ଏବଂ ବନ୍ଦଲ ନଦୀର ପ୍ରଖର ସ୍ରୋତରେ କୋଠାଟି ଭାସି ଯାଇଛି।