ଗୌହାଟୀ: ସଅଳ ମୌସୁମୀର ପ୍ରଭାବରେ ଭାରତର ଉତ୍ତର-ପୂର୍ବ ରାଜ୍ୟର ଗତ ୪ ଦିନ ଧରି ପ୍ରବଳ ବର୍ଷା ଅନୁଭୂତ ହୋଇଛି। ବର୍ଷା ବିତ୍ପାତ ଯୋଗୁଁ ୧୯ଟି ଜିଲ୍ଲାରେ ବ୍ୟାପକ ଧନଜୀବନର କ୍ଷୟକ୍ଷତି ହୋଇଛି। ଆସାମ, ସିକିମ୍‌, ଅରୁଣାଚଳପ୍ରଦେଶ, ତ୍ରିପୁରା ଓ ମଣିପୁର ଆଦି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୃ୍ତ୍ୟୁସଂଖ୍ୟା ୩୪ରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍, ଏସ୍‌ଡିଆର୍‌ଏଫ୍‌ ସହ ବାୟୁସେନା ଓ ସେନା ଯୋଗ ଦେଇଛନ୍ତି। 

Advertisment

ସୂଚନାନୁସାରେ, ମେ’ ୨୯ରେ ସିକିମ୍‌ ତିସ୍ତା ନଦୀରେ ପର୍ଯ୍ୟଟକଙ୍କ ଯାନ ଓଲଟିବା ଘଟଣାରେ ୮ ଜଣଙ୍କ ପତ୍ତା ଏଯାଏଁ ମିଳିପାରିନାହିଁ। ଏହି ସମୟରେ ଉତ୍ତର ସିକିମ୍‌ରେ ସଦ୍ୟ ସଂଘଟିତ ଭୂସ୍ଖଳନରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ସୁରକ୍ଷାକର୍ମୀ ନିଖୋଜ ଅଛନ୍ତି। ବିଭିନ୍ନ ସ୍ଥାନରେ ୧୨ଶହରୁ ଊର୍ଦ୍ଧ୍ବ ଯାତ୍ରୀ ଅଟକି ରହିଛନ୍ତି। ମେଘାଳୟରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ବନ୍ୟାଜଳରେ ଫସି ରହିଥିବା ୫ଶହ ଜଣଙ୍କୁ ଉଦ୍ଧାର କରାଯାଇଛି। ତ୍ରିପୁରାରେ ହୋଇଥିବା ଅଚାନକ ବନ୍ୟାରେ ପ୍ରାୟ ୧୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି।

ଆସାମର ୧୯ଟି ଜିଲ୍ଲାର ୭୬୪ଟି ଗାଁର ୩.୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆଜି ଆସିଥିବା ଅଚାନକ ବନ୍ୟାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୦କୁ ପହଞ୍ଚିଛି। ଅରୁଣାଚଳପ୍ରଦେଶ ପୂର୍ବ କାମେଙ୍ଗ ଜିଲ୍ଲାର ୧୩ ନମ୍ବର ଜାତୀୟ ରାଜପଥରେ ହୋଇଥିବା ଭୂସ୍ଖଳନରେ ଏକ ପରିବାରର ୨ ମହିଳା ଓ ୨ ଶିଶୁଙ୍କ ସହ ୭ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମଣିପୁରରେ ଗତ ଚାରି ଦିନ ମଧ୍ୟ‌ରେ ୪୭ଟି ଭୂସ୍ଖଳନ ହୋଇଛି। ହେନିଗାଙ୍ଗ୍‌, ୱାଙ୍ଗ୍‌ଖେଇ, ଖୁରାଇ, ସେନାପତି ଜିଲ୍ଲାରେ ୩୩୬୫ଟି ଘର ଭାଙ୍ଗିଯାଇଥିବା ବେଳେ ୧୯,୮୧୧ଜଣ ବିସ୍ଥାପିତ ହୋଇଛନ୍ତି।