ମଦୁରାଇ: ପ୍ରବଳ ବର୍ଷା ଯୋଗୁ ତାମିଲନାଡ଼ୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତିରୁନେଲଭେଲି, ଟେଙ୍କାସି, ତୁତିକୋରିନ, ନାଗରକୋଏଲ ଓ କନ୍ୟାକୁମାରୀ ସମେତ ଦକ୍ଷିଣ ତାମିଲନାଡୁର ଅନେକ ସହର, ସଡ଼କ ଏବଂ ରାଜପଥ ଜଳମଗ୍ନ ହୋଇଯାଇଛି। ଆବାସିକ ଅଞ୍ଚଳ ଓ ରାସ୍ତାଘାଟରେ ବନ୍ୟା ଜଳ ପ୍ରବାହିତ ହେବାରୁ ଅନେକ ଘରେ ପାଣି ପଶିବାରୁ ଲୋକେ ଜଳବନ୍ଦୀ ଅଛନ୍ତି। ଥେନିସ୍ଥିତ ବୈଗାଇ ନଦୀରେ ଜଳସ୍ତର ବଢ଼ୁଥିବାରୁ ମଦୁରାଇ, ଡିଣ୍ଡିଗୁଲ୍, ଶିବଗଙ୍ଗା ଓ ରାମନାଥପୁରମ୍ ଜିଲ୍ଲାରେ ବନ୍ୟା ସତର୍କତା ଜାରି କରାଯାଇଛି। ବର୍ଷା ଓ ବନ୍ୟା ଯୋଗୁ ଅନେକ ଟ୍ରେନ୍ ବାତିଲ ହୋଇଛି। ବଢ଼ିପାଣିରେ ଘର ଭାଙ୍ଗିଯିବାରୁ ତିରୁନେଲଭେଲି ସହରରେ ଜଣେ ୫୭ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତୁତିକୁରିନ ଜିଲ୍ଲାର କୟାଲପଟ୍ଟିନମ୍ଠାରେ ଗତ ୨୪ ଘଣ୍ଟାରେ ୯୩ ସେମି ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି।
ତିରୁନେଲଭେଲିର ସିବାଲାପେରୀରେ ଅନେକ ଦୁଇମହଲା ଘରର ଛାତ ଉପରେ ଲୋକେ ଆଶ୍ରୟ ନେଇଛନ୍ତି। ତିରୁନେଲଭେଲିର ମୀନାକ୍ଷୀପୁରମ୍ରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ନାଗରକୋଏଲର ନେସାବାଲର କଲୋନିର ୧୦୦ରୁ ଅଧିକ ଘର ଜଳମଗ୍ନ ହେବା ପରେ କର୍ତ୍ତୃପକ୍ଷ ଲୋକମାନଙ୍କୁ ରିଲିଫ କେନ୍ଦ୍ରକୁ ପଠାଇଛନ୍ତି। ଅନେକ ବାସିନ୍ଦା କହିଛନ୍ତି ଯେ ଏତେ ପ୍ରବଳ ବର୍ଷା ଓ ବନ୍ୟା ସେମାନେ କେବେ ଦେଖି ନ ଥିଲେ। ସ୍ଥାନୀୟ ଲୋକ ଏବଂ ବିପର୍ଯ୍ୟୟ ମୁକାବିଲା ଟିମ୍ ବନ୍ୟାଜଳରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ଶ୍ରୀବୈକୁଣ୍ଡମଠାରେ ରେଳ ଧାରଣା ଭାସି ଯାଇଥିଲା। ଥୁଥୁକୁଡି ଓ ତିରୁନେଲଭେଲିର ଅନେକ ସ୍ଥାନରେ ଜଳସ୍ତର ୪ ଫୁଟରୁ ଅଧିକ ବୃଦ୍ଧି ପାଇଛି ଏବଂ ଉଭୟ ସହରରେ ବସ୍ ଟର୍ମିନାଲଗୁଡ଼ିକ ବଡ଼ ସୁଇମିଂ ପୁଲ୍ ପରି ଦେଖାଯାଉଛି।