ଭାରତରେ ବର୍ଷା-ବନ୍ୟା ବିତ୍ପାତ: ତିନି ବର୍ଷରେ ୬,୮୦୦ ଲୋକଙ୍କ ମୃତ୍ୟୁ, ଶୀର୍ଷରେ ପଶ୍ଚିମବଙ୍ଗ

ନୂଆଦିଲ୍ଲୀ: ଗତ ତିନିବର୍ଷରେ ବର୍ଷା, ବନ୍ୟା, ଓ ବଜ୍ରପାତ ଭଳି ପାଣିପାଗଜନିତ ବିତ୍ପାତରେ ଭାରତରେ ୬,୮୧୧ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ସଂସଦରେ ସରକାର ଦେଇଥିବା ସୂଚନାରୁ ଜଣାପଡ଼ିଛି। ଏହି ତାଲିକାରେ ସବା ଉପରେ ରହିଛି ପଶ୍ଚିମବଙ୍ଗ ଯେଉଁଠି ବର୍ଷା ଆଦି ବିତ୍ପାତରେ ୯୬୪ ଜଣଙ୍କର ମୃତ୍ୟୁ ଘଟିଛି। ଅର୍ଥାତ୍ ଏପ୍ରିଲ ୨୦୧୮ରୁ ମାର୍ଚ୍ଚ ୨୦୨୧ ଭିତରେ ପ୍ରତି ୭ ଜଣଙ୍କର ଏଭଳି ମୃତ୍ୟୁରେ ପଶ୍ଚିମବଙ୍ଗର ଜଣେ ରହିଛନ୍ତି। ତାଲିକାରେ ଦୁଇ ନମ୍ବରରେ ମଧ୍ୟପ୍ରଦେଶ (୯୧୭ ମୃତ୍ୟୁ) ଥିବାବେଳେ କେରଳ (୭୦୮) ଅଛି ତିନି ନମ୍ବରରେ। ମୁଖ୍ୟତଃ ବନ୍ୟା ଯୋଗୁ ୨୦୧୯-୨୦ରେ ମଧ୍ୟପ୍ରଦେଶରେ ୬୭୪ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ବିହାର ଭଳି ରାଜ୍ୟ ବିଷୟରେ ସୂଚନା ମିଳିପାରି ନାହିଁ।

ପାଣିପାଗଜନିତ ବିତ୍ପାତ ଭିତରେ ରହିଛି, ପ୍ରବଳ ବର୍ଷା, ବାଦଲଫଟା ବର୍ଷା, ବଜ୍ରପାତ, ବାତ୍ୟା, ବନ୍ୟା, ମରୁଡ଼ି, ହିମ ସ୍ଖଳନ, ଗ୍ରୀଷ୍ମ ଲହରି ଓ ଶୀତ ଲହରି ଇତ୍ୟାଦି।
ଜଳବାୟୁ ପରିବର୍ତ୍ତନ ହେତୁ ଗତ ଦୁଇ ଦଶନ୍ଧି ଭିତରେ ଏସବୁ ବିପର୍ଯ୍ୟୟ ବୃଦ୍ଧି ପାଇଛି। ନିକଟରେ ଜଳବାୟୁ ପରିବର୍ତ୍ତନ ଉପରେ ଗଠିତ ଆନ୍ତଃସରକାରୀ ପ୍ୟାନେଲ (ଆଇପିସିସି)ର ଆକଳନ ଅନୁସାରେ ତାପମାତ୍ରା ୧ ଡିଗ୍ରୀ ସେଲ୍‌ସିୟସ୍ ବୃଦ୍ଧି ପାଇଲେ ବାୟୁମଣ୍ଡଳର ଜଳଧାରଣ କ୍ଷମତା ୭ ପ୍ରତିଶତ ବୃଦ୍ଧି ପାଏ। ସେଥିପାଇଁ ବର୍ଷାର ପରିମାଣ ବେଳେବେଳେ ଅତି ବୃଦ୍ଧି ପାଇବା ଦେଖାଯାଉଛି ଏବଂ ତା’ର ଫଳାଫଳ ବି ଆମେ ଅଙ୍ଗେ ନିଭଉଛୁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବତନ ନିର୍ଦ୍ଦେଶକ କେଜେ ରମେଶ କହିଛନ୍ତି। ୨୦୧୬ରେ ଭାରତୀୟ ଉପକୂଳକୁ ଅତି କମ୍‌ରେ ୪ଟି ବାତ୍ୟା ମାଡ଼ କରିଥିବା ବେଳେ ସେଥି ମଧ୍ୟରୁ ମାତ୍ର ଗୋଟିଏ ଥିଲା ଭୟଙ୍କର। କିନ୍ତୁ ୨୦୨୦ରେ ପାଞ୍ଚ ପାଞ୍ଚଟା ଭୟଙ୍କର ବାତ୍ୟା ଦେଶକୁ ମାଡ଼ କରିଛି। ୨୦୧୬ରେ ଦେଶରେ ଥିବା ପ୍ରାୟ ୧,୮୬୪ଟି ପାଣିପାଗ କେନ୍ଦ୍ର ପ୍ରବଳ ବର୍ଷା ଓ ୨୨୬ଟି ପାଣିପାଗ କେନ୍ଦ୍ର ଅତି ପ୍ରବଳ ବର୍ଷା ରେକର୍ଡ କରିଥିଲେ।

ସମ୍ବନ୍ଧିତ ଖବର