କୋଚି : କେରଳରେ ପୁଣି ଥରେ ବର୍ଷା ବିତ୍ପାତ ଦେଖାଦେଇଛି । ଦକ୍ଷିଣ ଭାରତର ଏହି ରାଜ୍ୟରେ ଆଜି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହେବା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହେବାରୁ ୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ କୋଟ୍ଟାୟାମ ଜିଲ୍ଲାର କୋଟ୍ଟିକାମଠାରେ ୨ ଜଣ ବ୍ୟକ୍ତି, ଇଡୁକିର କୋକ୍କାୟାର ଠାରେ ୨ ଜଣ ଓ ଥୋଡ଼ୁପୁଝାଠାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ କେରଳର ଦକ୍ଷିଣ ଓ ମଧ୍ୟ ଭାଗରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହିତ ରାଜ୍ୟର ଅଧିକାଂଶ ନଦୀରେ ଜଳସ୍ତର ସତର୍କ ସଂକେତ ଉପରେ ରହିଛି ।
ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷକରି ଅକ୍ଟୋବର ୧୭ରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଲୋକମାନଙ୍କୁ ନିବେଦନ କରିଛନ୍ତି ।